ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣା: ତଥ୍ୟ, ପ୍ରମାଣ ଧରି ଫେରିଗଲା କ୍ରାଇମ୍‌ବ୍ରାଞ୍ଚ

Advertisment
ଜାଲ୍‌ ସାର୍ଟିଫିକେଟ୍ କେଳେଙ୍କାରୀ: ୪୧ ଅନୁଷ୍ଠାନ ସହ ଯୋଗାଯୋଗ କରି କ୍ରାଇମବ୍ରାଞ୍ଚର ଛାନଭିନ୍‌

ବ୍ରହ୍ମପୁର : ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣାର ବ୍ରହ୍ମପୁର ଲିଙ୍କ୍‌କୁ ନେଇ ଗତ ୫ ଦିନ ଧରି ତନାଘନା କରିଥିବା କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଆଜି ଫେରିଛନ୍ତି। ବିଭିନ୍ନ ଦିଗ ଉପରେ ତଥ୍ୟ ପ୍ରମାଣ ସଂଗ୍ରହ କରିବା ପରେ ଆଜି କଟକ ଫେରି ଯାଇଥିବା ବେଳେ ଆବଶ୍ୟକ ପଡ଼ିଲେ ପୁଣିଥରେ ବ୍ରହ୍ମପୁର ଆସିବେ ବୋଲି ସୂଚନାରୁ ଜଣାପଡ଼ିଛି।

ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳକୃଷ୍ଣ ଦାସଙ୍କ ଘର ବ୍ରହ୍ମପୁର ହୋଇଥିବାରୁ କ୍ରାଇମବ୍ରାଞ୍ଚ୍‌ ଟିମ୍‌ ଗତ ୩୧ ତାରିଖରେ ବ୍ରହ୍ମପୁରଠାରେ ପହଞ୍ଚିଥିଲେ। କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ଶିଶିର ମିଶ୍ରଙ୍କ ନେତୃତ୍ବରେ ଏହି ଟିମ୍‌ ପ୍ରଥମେ ଜଳେଶ୍ବରଖଣ୍ଡି ସ୍ଥିତ ଗୋପାଳଙ୍କ ପୈତୃକ ଘରକୁ ଯାଇଥିଲା। ସେଠାରେ ପତ୍ନୀ ଜୟନ୍ତୀ ଦାସ, ବଡ଼ଭାଇ ସତ୍ୟନାରାୟଣ ଦାସଙ୍କ ସମେତ ପରିବାରବର୍ଗଙ୍କୁ ପଚରାଉଚରା କରିଥିଲେ। ଅଧିକ ତଦନ୍ତ କରିବା ପାଇଁ ଗୋପାଳଙ୍କ ବଡ଼ଭାଇ ସତ୍ୟନାରାୟଣଙ୍କୁ ଉଠାଇ ନେଇ ନିଜ ହେପାଜତରେ ରଖିଥିଲେ। ବିଭିନ୍ନ ଦିଗ ଉପରେ ଜେରା କରିବାପରେ ଗତ ୩ତାରିଖରେ ତାଙ୍କୁ ଛାଡ଼ି ଦେଇଥିଲେ। ଏହାପରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଶିଳ୍ପାଞ୍ଚଳ ପଞ୍ଚଶୀଳମାର୍ଗସ୍ଥିତ ଗୋପାଳଙ୍କ ଘରେ ଛାନ୍‌ଭିନ୍‌ କରି ତାଙ୍କର ମାନସିକ ସ୍ଥିତିର ଚିକିତ୍ସା ସମ୍ପର୍କିତ ରିପୋର୍ଟ ଏବଂ ପ୍ରେସ୍‌କ୍ରିପସନ୍‌ ସଂଗ୍ରହ କରିଥିଲେ। ଏ ନେଇ କ୍ରାଇମ୍‌ବ୍ରାଞ୍ଚ ଏମ୍‌କେସିଜି ବଡ଼ ଡାକ୍ତରଖାନା ମାନସିକ ରୋଗ ବିଭାଗର ପ୍ରଫେସର ଚନ୍ଦ୍ରଶେଖର ତ୍ରିପାଠୀଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ। ଏପରିକି ଗୋପାଳଙ୍କୁ ବ୍ରହ୍ମପୁରରୁ ଔଷଧ ପଠାଯାଉଥିବା ନେଇ ପରିବାରବର୍ଗ କହିଥିବା ବେଳେ ଦୁଇଟି ଓଏସ୍‌ଆର୍‌ଟିସି ବସ୍‌ର ଡ୍ରାଇଭର୍‌ ଓ କଣ୍ଡକ୍ଟର୍‌ଙ୍କୁ ମଧ୍ୟ ଏ ଦିଗରେ ପଚରାଉଚରା କରିଥିଲେ। ସେହିପରି, ଗୋପାଳଙ୍କ ପଡ଼ୋଶୀ ଓ ବନ୍ଧୁଙ୍କୁ ମଧ୍ୟ କ୍ରାଇମ୍‌ବ୍ରାଞ୍ଚ ଜେରା କରିଥିଲେ କ୍ରାଇମବ୍ରାଞ୍ଚ ଟିମ୍‌। ଗୋପାଳଙ୍କ ପରିବାରର ଆର୍ଥିକ କାରବାର ଉପରେ ବି ଖୋଳତାଡ଼ କରିଥିଲେ। ଘଟଣାର ବିଭିନ୍ନ ଦିଗକୁ ଅନୁଧ୍ୟାନ ସହ ତଦନ୍ତ କରିବାପରେ କ୍ରାଇମ୍‌ବ୍ରାଞ୍ଚ୍‌ର ଏହି ଟିମ୍‌ ଆଜି କଟକ ଫେରିଯାଇଛନ୍ତି।

ଏ ସମ୍ପର୍କରେ କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ଶ୍ରୀ ମିଶ୍ର କହନ୍ତି, ମାମଲାର ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଇ ପ୍ରମାଣ ସଂଗ୍ରହ କରାଯାଇଛି। ତାହା ମୁଖ୍ୟାଳୟକୁ ପ୍ରେରଣ କରାଯାଇଛି। ସେପଟର ତଥ୍ୟ ଓ ବ୍ରହ୍ମପୁରରୁ ମିଳିଥିବା ପ୍ରମାଣକୁ ଆଧାର କରି ପରବର୍ତ୍ତୀ ପର୍ଯ୍ୟାୟ ତଦନ୍ତ କରାଯିବ। ମାମଲା ଯେଉଁଆଡ଼କୁ ଯିବ ‌ସେ ଅନୁସାରେ ପୁଣିଥରେ ତଦନ୍ତ ହେବ। ଆବଶ୍ୟକସ୍ଥଳେ ଟିମ୍‌ ପୁଣିଥରେ ବ୍ରହ୍ମପୁର ଆସିବ। ବର୍ତ୍ତମାନ ସୁଦ୍ଧା ହୋଇଥିବା ତଦନ୍ତ ସନ୍ତୋଷଜନକ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe