ମିଳିଲାନି ମହାପ୍ରୟାଣ: ଟ୍ରଲିରେ ବୁହାହେଲା ଶବ

ମିଳିଲାନି ମହାପ୍ରୟାଣ: ଟ୍ରଲିରେ ବୁହାହେଲା ଶବ

ମୋହନା : ମୃତ୍ୟୁ ପରେ ଶବକୁ ଅସମ୍ମାନ। ମହାପ୍ରୟାଣ ଗାଡ଼ି ନମିଳିବାରୁ ସମ୍ପର୍କୀୟଙ୍କ ଶବକୁ ଟ୍ରଲିରେ ବୋହି ନେବା ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନାରେ। ଗତକାଲି ବିଳମ୍ବିତ ରାତିରେ ଏଭଳି ଅଭାବନୀୟ ଘଟଣାକୁ ନେଇ ଆଜି ଦିନତମାମ ଜୋରଦାର ଚର୍ଚ୍ଚା। ମୃତ କୃଷ୍ଣଙ୍କ ଶବକୁ ପରିବାର ଲୋକେ ଟ୍ରଲିରେ ପ୍ରାୟ ଦେଢ଼ କିଲୋମିଟର ଦୂର ଘରକୁ ନେଇଥିଲେ।

ସୂଚନା ପ୍ରକାରେ, ରାତିରେ ମୋହନାର କୃଷ୍ଣ ସାହୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶବ ନେବା ପାଇଁ ମହାପ୍ରୟାଣ ଗାଡ଼ି ନଥିବାରୁ ବାଧ୍ୟ ହୋଇ ପରିବାର ଲୋକେ ମୃତ ଦେହକୁ ବିକଳ୍ପ ବ୍ୟବସ୍ଥାରେ ନେବାକୁ ଉଦ୍ୟମ କଲେ। ହେଲେ କୌଣସି ଗାଡ଼ି ମିଳି ନଥିଲା। ବାଧ୍ୟ ହୋଇ ଏକ ଟ୍ରଲି ରିକ୍ସାରେ ଶବ ନେଇଥିଲେ।

publive-image

ଏହାଠାରୁ ଆହୁରି ହୃଦୟ ବିଦାରକ ଥିଲା ଟ୍ରଲି ଉପରେ ବସି ପତ୍ନୀ ଜୟନ୍ତୀଙ୍କ କ୍ରନ୍ଦନ ଦୃଶ୍ୟ। ଏହାକୁ ସ୍ଥାନୀୟ ବୁଦ୍ଧିଜୀବୀ ନାପସନ୍ଦ କରିଥିବା ବେଳେ ଏ ନେଇ ପ୍ରଶାସନର ଅପରାଗତାକୁ ଦାୟୀ କରିଛନ୍ତି। ତେବେ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡା.ନମିତା ପଣ୍ଡାଙ୍କୁ ଯୋଗାଯୋଗ କରିବା ପରେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମହପ୍ରୟାଣ ଯାନ ବ୍ୟବସ୍ଥା ନଥିବା ସେ କହିଛନ୍ତି।

ଏଠାରେ ପ୍ରଶ୍ନ ଉଠୁଛି, ସରକାର ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ବହୁବିଧ ଯୋଜନା କରିବା ସହ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମୃତ୍ୟୁପରେ ଶବକୁ ଘରେ ପହଞ୍ଚାଇବା ପାଇଁ ମହାପ୍ରୟାଣ ଗାଡ଼ି ବ୍ୟବସ୍ଥା କରିଛନ୍ତି। ହେଲେ ୩୯ ପଞ୍ଚାୟତ ବିଶିଷ୍ଟ ସର୍ବବୃହତ୍ତ ବ୍ଲକ୍‌ ମୋହନା ସଦର ମହକୁମା ଡାକ୍ତରଖାନାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏଭଳି ଘଟଣା ବାରମ୍ବାର ଘଟୁଥିବା ଯୋଗୁଁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତୁରନ୍ତ ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe