ଯୋରରୁ ନିଖୋଜ ଛାତ୍ରୀଙ୍କ ଶବ ଉଦ୍ଧାର ଘଟଣା: ଶରୀରରେ ନଥିଲା ମୁଣ୍ଡ, ଦୁଇଟି ଆଙ୍ଗୁଠି, ବଳି ସନ୍ଦେହ

Advertisment
ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ: ପକେଟରେ ଥିବା ୪ ଲକ୍ଷ ଟଙ୍କା ଗଲା କୁଆଡ଼େ?

stock.adobe.com

ବଅଁରପାଳ: ନାଲକୋନଗର ଥାନା ବଳରାମପ୍ରସାଦ ନକୁଳଚନ୍ଦ୍ର ସ୍ୱତନ୍ତ୍ର ମୂକ ବଧିର ଆବାସିକ ବିଦ୍ୟାଳୟ’ର ଛାତ୍ରୀ ଇତିଶ୍ରୀ ବିଶ୍ବାଳ(୮)ଙ୍କ ଗଳିତ ମୃତଦେହ ଗତକାଲି ସ୍କୁଲ୍‌ଠାରୁ କିଛିଦୂର ନନ୍ଦିରା ଯୋରରୁ ଉଦ୍ଧାର କରାଯାଇଛି। ମୃତଦେହରେ ମୁଣ୍ଡ ଓ ଦୁଇଟି ଆଙ୍ଗୁଠି ନଥିବାରୁ ଅଞ୍ଚଳରେ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।   ସୂଚନା ଅନୁଯାୟୀ, ଅନୁଗୁଳ ବ୍ଲକ୍‌ କାଙ୍ଗୁଲା ବେନ୍ତପୁର ପଞ୍ଚାୟତ ନୂଆସାହି ଗାଁର ପାଣ୍ଡବ ବିଶ୍ଵାଳ ଓ  ସୁଶୀଳା ବିଶ୍ଵାଳଙ୍କର ଝିଅ ଇତିଶ୍ରୀ ୩ମାସ ତଳେ ଏହି ସ୍କୁଲ୍‌କୁ ପଢ଼ିବା ପାଇଁ ଯାଇଥିଲେ। ଗତ ମାସ ୨୨ତାରିଖରେ ସେ ସ୍କୁଲ୍‌ ପରିସରରୁ  ନିଖୋଜ ହୋଇ ଯାଇଥିଲେ। ସ୍କୁଲ୍‌ କର୍ତ୍ତୃପକ୍ଷ ତାଙ୍କ ପରିବାରକୁ ଏହା ଜଣାଇଥିଲେ। ବହୁ ଖୋଜାଖୋଜି ପରେ  ଝିଅକୁ ନପାଇବାରୁ ଇତିଶ୍ରୀଙ୍କ ମାଆ ନାଲ୍‌କୋ ଥାନାରେ ଅଭିଯୋଗ କରିଥିଲେ।

ପୁଲିସ ଏକ ନିଖୋଜ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା। ଗତକାଲି ଅପରାହ୍ଣ ପ୍ରାୟ ୪ଟାବେଳେ ବଳରାମପ୍ରସାଦ ଅଞ୍ଚଳର କିଛି ଲୋକେ ନନ୍ଦିରା ଯୋରକୁ ମାଛ ମାରିବାକୁ ଆସିଥିବାବେଳେ ଏକ ମୃତଦେହ ଭାସୁଥିବା ଦେଖି ପୁଲିସକୁ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲା। ସ୍କୁଲ୍‌ କର୍ତ୍ତୃପକ୍ଷ ଓ ପରିବାର ସଦସ୍ୟ ମୃତଦେହ ଚିହ୍ନଟ କରିଥିଲେ। ଗତକାଲି ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ସନ୍ଧ୍ୟା ହୋଇଯିବାରୁ ବ୍ୟବଚ୍ଛେଦ ହୋଇ ନପାରି ଶବ ସଂରକ୍ଷଣ ଗୃହରେ ରଖାଯାଇଥିଲା।

ନନ୍ଦିରା ଯୋରକୁ କିପରି ମୃତଦେହ ଆସିଲା ସେ ସଂପର୍କ‌ରେ ନାଲ୍‌କୋ ଥାନାଧିକାରୀ ଦିଲୀପ ଲାକ୍ରା, ବଅଁରପାଳ ଥାନାଧିକାରୀ ନରେଶ ସାହୁ ତଦନ୍ତ କରିଥିଲେ। ମୃତଦେହରେ ମୁଣ୍ଡ ଓ ଗୋଡ଼ର ଦୁଇଟି ଆଙ୍ଗୁଠି ନଥିବା ଆଜି ଶବ ବ୍ୟବଚ୍ଛେଦବେଳେ ଦେଖା‌ଯାଇଥିଲା। ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବା ବଳି ଘଟଣା ହୋଇଥାଇପାରେ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି। ଯୋରରେ ଯେଉଁଠି ମୃତଦେହ ମିଳିଲା, ସେହି ଅଞ୍ଚଳରେ ମାତ୍ର ଆଣ୍ଠୁଏ ପାଣି ଅଛି।

ତେଣୁ ଇତିଶ୍ରୀ ସେଠାରେ ବୁଡ଼ିଯାଇ ପ୍ରାଣହରାଇବା ସମ୍ଭବ ନୁହେଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ମୃତଦେହରେ ମୁଣ୍ଡ ଓ ଦୁଇଟି ଆଙ୍ଗୁଠି ନଥିବାରୁ ଇତିଶ୍ରୀଙ୍କୁ କେହି ହତ୍ୟାକରି ବା ବଳିଦେଇ ଏଠାରେ ପକାଇପାରିଥାଏ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ତେବେ ପୁଲିସ ତଦନ୍ତ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୁଲିସ କହିଛି। ସୂଚନାଯୋଗ୍ୟ, ୨୦୧୪ ମସିହାରେ ଏହି ସ୍କୁଲ୍‌ର ଜଣେ ୧୩ ବର୍ଷୀୟା ଛାତ୍ରୀଙ୍କୁ ସ୍କୁଲ୍‌ର ଜଣେ କର୍ମଚାରୀଙ୍କ ସଂପର୍କୀୟ ଦୁଷ୍କର୍ମ କରିଥିଲେ ବୋଲି ପୀଡ଼ିତା ଛାତ୍ରୀ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe