କେନ୍ଦ୍ରାପଡ଼ାରେ ‘ଶିଳ୍ପ’ର ପଶ୍ଚାତ୍‌ଗତି: ୨୪ ବର୍ଷରେ ହେଲାନି ଗୋଟିଏ ବି ଶିଳ୍ପ

Advertisment

୨୦୨୩, ଫେବ୍ରୁଆରି ୩ ତାରିଖରେ ବିଜେଡି ସରକାରର ତତ୍କାଳୀନ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ କେନ୍ଦ୍ରାପଡ଼ା ଗସ୍ତରେ ଆସି ବର୍ଷ ଶେଷ ସୁଦ୍ଧା ଜିଲ୍ଲାକୁ ଶିଳ୍ପ ଆସିବ ବୋଲି ଘୋଷଣା କରିବା ସହିତ ୧୭ଟି ଶିଳ୍ପ ପ୍ରସ୍ତାବ ସରକାରଙ୍କ ପାଖେ ବିଚାରାଧୀନ ଥିବା କହିଥିଲେ।

୨୦୨୩, ଫେବ୍ରୁଆରି ୩ ତାରିଖରେ ବିଜେଡି ସରକାରର ତତ୍କାଳୀନ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ କେନ୍ଦ୍ରାପଡ଼ା ଗସ୍ତରେ ଆସି ବର୍ଷ ଶେଷ ସୁଦ୍ଧା ଜିଲ୍ଲାକୁ ଶିଳ୍ପ ଆସିବ ବୋଲି ଘୋଷଣା କରିବା ସହିତ ୧୭ଟି ଶିଳ୍ପ ପ୍ରସ୍ତାବ ସରକାରଙ୍କ ପାଖେ ବିଚାରାଧୀନ ଥିବା କହିଥିଲେ।

କେନ୍ଦ୍ରାପଡ଼ା ଲୋକସଭା ଆସନ: ୨ଲକ୍ଷ ସ˚ଖ୍ୟାଲଘୁ, ବଙ୍ଗୀୟ ଭୋଟ୍‌ ଉପରେ ନଜର

କେନ୍ଦ୍ରାପଡ଼ା: ୨୦୨୩, ଫେବ୍ରୁଆରି ୩ ତାରିଖରେ ବିଜେଡି ସରକାରର ତତ୍କାଳୀନ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ କେନ୍ଦ୍ରାପଡ଼ା ଗସ୍ତରେ ଆସି ବର୍ଷ ଶେଷ ସୁଦ୍ଧା ଜିଲ୍ଲାକୁ ଶିଳ୍ପ ଆସିବ ବୋଲି ଘୋଷଣା କରିବା ସହିତ ୧୭ଟି ଶିଳ୍ପ ପ୍ରସ୍ତାବ ସରକାରଙ୍କ ପାଖେ ବିଚାରାଧୀନ ଥିବା କହିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାକୁ ପ୍ରତିନିଧିତ୍ବ କରୁଥିବା ଦୃଷ୍ଟିରୁ ତାଙ୍କର ଏହି ମନ୍ତବ୍ୟ ଶିଳ୍ପଶୂନ୍ୟ ଜିଲ୍ଲାବାସୀଙ୍କ ମନରେ ଆଶା ସଞ୍ଚାର କରିଥିଲା। କିନ୍ତୁ ୨୦୨୩ ଯାଇ ୨୦୨୪ ସରିବାକୁ ବସିଲାଣି। ରାଜ୍ୟରେ ସରକାର ବଦଳି ଗଲାଣି। ଜିଲ୍ଲାବାସୀଙ୍କ ଶିଳ୍ପ ସ୍ବପ୍ନ କିନ୍ତୁ ସାକାର ହେଇପାରିଲା ନାହିଁ। କେବଳ କାଗଜପତ୍ର, ଚୁକ୍ତିନାମା ସ୍ବାକ୍ଷରରେ ହିଁ ଶିଳ୍ପ ପ୍ରତିଷ୍ଠା ଯୋଜନା ସୀମିତ ରହିଯାଇଛି। ହାଣ୍ତିରୁ ଗୋଟିଏ ଭାତ ଚିପିବା ନ୍ୟାୟରେ ମହାକାଳପଡ଼ାର ଅଳାଇଲୋ ଥର୍ମାଲ ପାଵାର ପ୍ଲାଣ୍ଟ୍‌ ପ୍ରକଳ୍ପକୁ ଯଦି ଉଦାହରଣ ଭାବେ ନିଆଯାଏ ତେବେ ସରକାରଙ୍କ ଶିଳ୍ପ ଘୋଷଣା କେନ୍ଦ୍ରାପଡ଼ାବାସୀଙ୍କ ପାଇଁ କିଭଳି ଧୂଆଁବାଣରେ ପରିଣତ ହେଉଛି ତାହା ଜଳଜଳ ଜଣାପଡ଼ିଯିବ। 

୨୦୧୨ ପଞ୍ଚାୟତ ନିର୍ବାଚନକୁ ଆଖିଆଗରେ ରଖି ସେତେବେଳେ ଏହି ଶିଳ୍ପ ପ୍ରକଳ୍ପ ଘୋଷଣା କରାଯାଇଥିଲା। ୬୬୧୦କୋଟି ବ୍ୟୟରେ ୧୩୨୦ ମେଗାଵାଟ୍‌ ବିଶିଷ୍ଟ ଏହି ମେଗା ପ୍ରକଳ୍ପ ପାଇଁ ୨୦୧୧, ଜାନୁଆରି ପ୍ରଥମ ସପ୍ତାହରେ ରାଜ୍ୟ ସରକାର ‘ଏସ୍‌ପିଏଲ୍‌ ପୋର୍ଟସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌’ କମ୍ପାନି ସହିତ ଚୁକ୍ତିନାମା କରିଥିଲେ। ମହାକାଳପଡ଼ା ଅଳାଇଲୋ-ଓଳିହୋ ପାଟରେ ଥିବା ୧୦ ହଜାର ଏକର ଜମି ଏଥିପାଇଁ ଚିହ୍ନଟ ହେଲା। ମାଟି ପରୀକ୍ଷା ପାଇଁ ବି ଗଲା। ପଞ୍ଚାୟତ ନିର୍ବାଚନରେ ଏହି ଶିଳ୍ପ ସ୍ବପ୍ନ ଦେଖାଇ ବିଜେଡି ବାଜି ମାରିନେଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହି ଘୋଷଣା ଧୂଆଁବାଣରେ ପରିଣତ ହେଲା। 

୨୦୧୨ମସିହାରେ ମାର୍ଶାଘାଇର କଳାଗଡ଼ଠାରେ ୨୮୭୬କୋଟି ବ୍ୟୟରେ ୭୫୦ମେଗା ଵାଟ୍‌ର ଓଡ଼ିଶା ପାଵାର‌୍‌ କନ୍ସୋର୍ଟିୟମ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ଗ୍ୟାସ୍‌ ପ୍ରକଳ୍ପ ଅନୁମୋଦନ ହୋଇଥିଲେ ମଧ୍ୟ କାଗଜପତ୍ରରୁ ଏହା ଆଗକୁ ବଢ଼ିପାରିନାହିଁ। ଅନୁରୂପ ଭାବେ ୨୦୨୦ ମସିହାରୁ ମହକାଳପଡ଼ାର ଯଦୁପୁରରେ ୧୦୦ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ବିଶାଳ ଶୀତଳଭଣ୍ତାର, ଗୋଦାମ ଘର, ଟ୍ରକ୍‌ ପାର୍କି˚ ପାଇଁ ଜାଗା ଚିହ୍ନଟ ସରିଥିଲେ ବି ଶ୍ରାବଣ ସିପି˚ ସିର୍ଭିସେସ୍‌ ସ˚ସ୍ଥା କାମ ଆରମ୍ଭ କରିପାରିନାହିଁ। ୨୦୨୨ରେ ୨୧୫କୋଟି ବ୍ୟୟରେ ବ୍ରହ୍ମପୁତ୍ର ବାୟୋକେମ୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ୨୦୨୩ରେ ୱେଲସ୍ପୁନ୍‌ ଲିଭି˚ ଲିମିଟେଡ୍‌ ଆଣ୍ତ୍ ଟେକ୍ସଟାଇଲ୍‌ ଏବ˚ କୈବଲ୍ୟ ଲଜିଷ୍ଟିକ୍ସ ସହିତ ରାଜ୍ୟ ସରକାର ଚୁକ୍ତିନାମା ସ୍ବାକ୍ଷର କରିଥିଲେ ବି ପ୍ରକଳ୍ପ କେବଳ ଘୋଷଣାରେ ହିଁ ସୀମିତ ରହିଛି। 

ଏସବୁ ଭିତରେ ମହାକାଳପଡ଼ାର ମେଗା ଇସ୍ପାତ ଶିଳ୍ପକୁ ନେଇ ପ୍ରଚାର ଜୋରସୋର‌୍‌ କରାଯାଉଛି। ୨୦୨୧, ଡିସେମ୍ବର ୧୭ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧୢକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଆର୍ସେଲର-ମିତ୍ତଲ-ନିପନ୍‌ ଷ୍ଟିଲ୍‌ ପ୍ରକଳ୍ପକୁ ମଞ୍ଜୁରି ଦିଆଯାଇଥିଲା। ମୋଟ୍‌ ୧.୨ଲକ୍ଷ କୋଟି ବ୍ୟୟ ଅଟକଳରେ ୨୪ମେଟ୍ରିକ୍‌ ଟନ୍‌ର ପ୍ରସ୍ତାବିତ ଇସ୍ପାତ କାରଖାନା ଏବ˚ ବାର୍ଷିକ ୧୮.୭୫ମେଟ୍ରିକ୍‌ ଟନ୍‌ର ସିମେଣ୍ଟ କାରଖାନା ଦ୍ବାରା ୧୬ହଜାର ନିଯୁକ୍ତି ସମ୍ଭାବନା ସୃଷ୍ଟି ହେବ ବୋଲି କୁହାଯାଇଛି। ଏହି କ୍ରମରେ ମହାକାଳପଡ଼ାର ରାମନଗର ଖରିନାସୀ, ବତୀଘର ଆଦି ପଞ୍ଚାୟତରେ ୧୦ହଜାର ୪୪୧ଏକର ପରିମିତ ଅଞ୍ଚଳ ଜମି ଚିହ୍ନଟ ହେବା ସହିତ ପ୍ରଥମ ପର୍ଯ୍ୟାୟରେ ୪ହଜାର ୪୪୧ଏକର ଜମି ଅଧିଗ୍ରହଣ ପାଇଁ ନୋଟିସ୍‌ ଦିଆସରିଛି। ଏହାସହିତ ଖରିନାସୀ ମୌଜାର ନିର୍ବିବାଦୀୟ ୧୦୦ଏକର ଜମିକୁ ଇଡ୍‌କୋ ହାତକୁ ଟେକି ଦିଆଯାଇଛି। ପ୍ରକଳ୍ପସ୍ଥଳକୁ ଗମନାଗମନ ସ˚ଯୋଗୀକରଣ ପାଇଁ ୧୦୪କୋଟିରୁ ଅଧିକ ଟଙ୍କା ବ୍ୟୟରେ ମାର୍ଶାଘାଇ-ଜମ୍ଭୁ କେନାଲ ରାସ୍ତା ସ˚ପ୍ରସାରଣ କାର୍ଯ୍ୟ ଚାଲିଛି। ହେଲେ ଯେଉଁ ମୌଳିକ ପ୍ରଶ୍ନଟି ସମସ୍ତଙ୍କୁ ଆନ୍ଦୋଳିତ କରୁଛି, ତାହା ହେଉଛି ଅଳାଇଲୋ ଷ୍ଟିଲ୍‌ ପ୍ଲାଣ୍ଟ୍‌ ଭଳି ଏହି ପ୍ରକଳ୍ପର ଅବସ୍ଥା ହେବନି ତ? ଲଗାତାର ଛଅ ଥର କ୍ଷମତାକୁ ଆସିବା ପରେ ବି ବିଜେଡି ସରକାର କେନ୍ଦ୍ରାପଡ଼ାରେ ଗୋଟିଏ ଶିଳ୍ପ ବସାଇ ପାରି ନଥିବା ବେଳେ ବିଜେପି ସରକାର ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି ମୁତାବକ ଆଗାମୀ ପାଞ୍ଚ ବର୍ଷ ଭିତରେ ଶିଳ୍ପ ମାନଚିତ୍ରରେ କେନ୍ଦ୍ରାପଡ଼ାକୁ ଯୋଡ଼ିବାରେ କେତେଦୂର ସକ୍ଷମ ହେଉଛି, ତାହା ଦେଖିବାକୁ ବାକି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe