ବିଧାନସଭାରେ ଉଠିଲା ଭଦ୍ରକ ମେଡିକାଲ କଲେଜ ଦାବି

Advertisment

ନାସ୍ତିବାଣୀ ଶୁଣାଇଲେ ସ୍ବାସ୍ଥ୍ୟମନ୍ତ୍ରୀ, ବିଧାୟକ ପାଣ୍ଠି ସମ୍ପୂର୍ଣ୍ଣ ଦେବି: ସୂରଜ

ନାସ୍ତିବାଣୀ ଶୁଣାଇଲେ ସ୍ବାସ୍ଥ୍ୟମନ୍ତ୍ରୀ, ବିଧାୟକ ପାଣ୍ଠି ସମ୍ପୂର୍ଣ୍ଣ ଦେବି: ସୂରଜ

ବିଧାନସଭାରେ ଉଠିଲା ଭଦ୍ରକ ମେଡିକାଲ କଲେଜ ଦାବି

Mint

ଭଦ୍ରକ: ଭଦ୍ରକ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ପୁଣି ଥରେ ବିଧାନସଭା ଉଠିଛି। ଆଜି ବିଧାନସଭାରେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞ ଏହି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବିଧାୟକ ସୂର୍ଯ୍ୟବଂଶୀ ସୂରଜ ଏକ ଅଣତାରକା ପ୍ରଶ୍ନ ଉତ୍‌ଥାପନ କରି ଭଦ୍ରକ ଜିଲ୍ଲାରେ ଏକ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଜିଲ୍ଲାବାସୀ ଦୀର୍ଘଦିନ ଧରି ଦାବି କରିବା ଏବଂ ଏଥିପାଇଁ ଅନେକ ଜନ ଆନ୍ଦୋଳନ ହୋଇଛି ବୋଲି ଉଲ୍ଲେଖ କରିଥିଲେ।

ଏହାର ଉତ୍ତର ରଖି ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଲେ ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କର କୌଣସି ପ୍ରସ୍ତାବ ଏବେ ବିଚାରାଧୀନ ନାହିଁ। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏଭଳି ଉତ୍ତରକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ସୂରଜ। ସେ କହିଛନ୍ତି ଯେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ଅପେକ୍ଷା ଭଦ୍ରକ ଜିଲ୍ଲାର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଅଧିକ ବିପର୍ଯ୍ୟସ୍ତ। ଜିଲ୍ଲାରେ ବର୍ତ୍ତମାନ ୨୬୫ଜଣ ଡାକ୍ତର ଆବଶ୍ୟକତା ଥିବାବେଳେ ମାତ୍ର ୧୧୬ଜଣ ଡାକ୍ତର ଅଛନ୍ତି। ୫୬ ପ୍ରତିଶତ ଅର୍ଥାତ୍ ୧୪୯ ଜଣ ଡାକ୍ତର ନାହାନ୍ତି। ଭଦ୍ରକ ପୂର୍ବ-ଉପକୂଳ ଅଞ୍ଚଳର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହୋଇଥିଲା ବେଳେ ଏଠାରେ ଗତ ୨୦୦୯ ମସିହା ଠାରୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ ପାଇଁ ବାରମ୍ବାର ଦାବି କରାଯାଇଛି।

ଏ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୨୦ମସିହା ଫେବ୍ରୁଆରି ମାସ ୨୦ତାରିଖରେ ରାଜ୍ୟ ସରକାରଙ୍କୁ ଚିଠି ଲେଖି ପ୍ରଧାନମନ୍ତ୍ରୀ ଜନ ବିକାଶ ଯୋଜନା ଅନ୍ତର୍ଗତ ସଂଖ୍ୟାଲଘୁ ବହୁଳ ଅଞ୍ଚଳ ଭାବେ ପରିଗଣିତ ଭଦ୍ରକ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବି କରିଥିଲେ। ଯେଉଁଥିରେ କେନ୍ଦ୍ର ସରକାର ୬୦ ଏବଂ ରାଜ୍ୟ ସରକାର ୪୦ ପ୍ରତିଶତ ଅନୁଦାନ ବହନ କରିଥାନ୍ତେ। ଏ ପ୍ରସ୍ତାବ ଉପରେ ମଧ୍ୟ ରାଜ୍ୟ ସରକାର ଅହେତୁକ ନିରବତା ଦେଖାଇ ଆସିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବା ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଥିବାରୁ ଲୋକଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଜିଲ୍ଲା ସାରା ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡ଼ିଛି।

ଏ କ୍ଷେତ୍ରରେ ଜିଲ୍ଲାବାସୀଙ୍କ ଦୀର୍ଘଦିନର ଦାବିକୁ ରାଜ୍ୟ ସରକାର ଅଣଦେଖା କରିବା ବୈମାତୃକ ମନୋଭାବ ଛଡା ଅନ୍ୟ କିଛି ନୁହେଁ ବୋଲି ସେ କହିଛନ୍ତି। ସଂଖ୍ୟାଲଘୁ ବହୁଳ ଭଦ୍ରକ ଜିଲ୍ଲାର ଧାମନଗର ଠାରେ ସରକାର ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଅନ୍ତୁ ଏବଂ ଏଥିପାଇଁ ସେ ତାଙ୍କର ହାତ ପାଣ୍ଠି ଅନୁଦାନକୁ ସମ୍ପୂର୍ଣ୍ଣ ଦେବାକୁ ପ୍ରସ୍ତୁତ ବୋଲି ବିଧାୟକ ସୂର୍ଯ୍ୟବଂଶୀ ସୂରଜ ଦର୍ଶାଇଛନ୍ତି।

ମନ୍ତ୍ରୀଙ୍କ ବିବୃତିକୁ ନେଇ ପ୍ରତିକ୍ରିୟା

ଆଜି ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କର ଏଭଳି ଉତ୍ତର ପରେ ସାରା ଜିଲ୍ଲାରେ ପ୍ରତିବାଦର ସ୍ବର ଉଠିଛି। ଭଦ୍ରକ ମେଡିକାଲ କଲେଜ ଆନ୍ଦୋଳନ‌େର ସାମିଲ ଥିବା ସମାଜସେବୀ ସୁଧାର ରାଉତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିବା ବେଳେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ସେହିପରି ଇଣ୍ଡିଆନ ମେଡିକାଲ ଆସୋସିଏସନର ଭଦ୍ରକ ଜିଲ୍ଲା ଶାଖାର ସଂପାଦକ ଡା.ହରେକୃଷ୍ଣ ନାୟକ ଦୁର୍ବଳ ନେତୃତ୍ବ ପାଇଁ ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ମୁହଁ ମୋଡୁଛନ୍ତି ରାଜ୍ୟ ସରକାର। ଜିଲ୍ଲାର ନେତା ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ସ୍ବର ଉଠାଉ ନାହାନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ମନା କରିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଆଗାମୀ ଦିନରେ ମେଡିକାଲ କଲେଜ ପ୍ରସଙ୍ଗକୁ ନେଇ ସାରା ଜିଲ୍ଲାରେ ପ୍ରତିବାଦର ସ୍ବର ଊଠିବ ବୋଲି ସେ ଚେତାବନୀ ଦେଇଛନ୍ତି।

ଜିଲ୍ଲାର ନେତାମାନେ ଏଥିପାଇଁ ସ୍ବର ଉଠାନ୍ତୁ ବୋଲି ସେ ଆହ୍ବାନ ଦେଇଛନ୍ତି। ଜିଲ୍ଲାର ନେତା ନିରବ ରହିବା ଘଟଣାକୁ ଜିଲ୍ଲାବାସୀ କେବେ ବରଦାସ୍ତ କରିବେ ନାହିଁ ‌ ବୋଲି ଜିଲ୍ଲାର ବହୁ ବୁଦ୍ଧିଜୀବୀ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ପୂର୍ବତନ ବିଧାୟକ ନରେନ ପଲେଇ କହିଛନ୍ତି ଭଦ୍ରକବାସୀ ନିଜର ହକ୍ ହାସଲ ନ କରିବା ପର୍ଯ୍ୟନ୍ତ ପ୍ରତି ମାସ ୧୦ ତାରିଖ ନବୀନ ନିବାସ ଯାଇ ଜିଲ୍ଲାବାସୀଙ୍କର ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ଦାବିପତ୍ର ପ୍ରଦାନ କରିବୁ। ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ପ୍ରସଙ୍ଗକୁ ରାଜ୍ୟ ସରକାର ହାଲ୍‌କା ଭାବେ ନେଲେ ଆଗାମୀ ଦିନରେ ଭଦ୍ରକ ଜିଲ୍ଲାରେ ବିଜେଡି ସରକାରକୁ ବହୁ ମୂଲ୍ୟ ଦେବାକୁ ପଡିବ ବୋଲି ସାଧାରଣ ଭୋଟର ନିଜର ମତ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe