ତେଜୁଛି ଜୟନାରାୟଣଙ୍କ ଗିରଫ ଦାବି

Advertisment
ତେଜୁଛି ଜୟନାରାୟଣଙ୍କ ଗିରଫ ଦାବି

ସମ୍ବଲପୁର : ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ଓ ଆଇଆଇସି ମୁଥ ମରାମରି ଘଟଣାକୁ ନେଇ ଗତକାଲିଠାରୁ ବିଜେଡି-ବିଜେପି ମଧ୍ୟରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଥିବା ବେଳେ ଆଜି ଉଗ୍ର ରୂପ ନେଇଛି। ବିଜେଡି କର୍ମୀମାନେ ଜୟ ନାରାୟଣ ରହୁଥିବା ସର୍କିଟ ହାଉସ୍‌ ପ୍ରକୋଷ୍ଠକୁ ପଶି ବେଶ୍‌ କିଛି ସମୟ ଧରି ଉତ୍ପାତ କରିଥିଲେ। ତେବେ, ଘଟଣା ସମୟରେ ଜୟ ନାରାୟରଣ ସେଠାରେ ନଥିଲେ। ଅପରପକ୍ଷରେ ପୁଲିସ ଅଧିକାରୀ ଓ କର୍ମଚାରୀମାନେ ରାଲିରେ ଆଇଜି କାର୍ଯ୍ୟାଳୟକୁ ଯାଇ ଜୟ ନାରାୟଣଙ୍କୁ ଗିରଫ ପାଇଁ ଦାବିପତ୍ର ଦେଇଛନ୍ତି।

ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ସ୍ବାସ୍ଥ୍ୟଗତ କାରଣରୁ କିଛିଦିନ ହେଲା ସର୍କିଟ ହାଉସ୍‌ରେ ରହୁଥିଲେ। ଧନୁପାଲି ଥାନା ଅଧିକାରୀ ଅନିତା ପ୍ରଧାନଙ୍କୁ ପିଟିବା ଘଟଣାରେ ଜୟନାରାୟଣଙ୍କୁ ଗିରଫ ଦାବିରେ ବିଜେଡି ଆଜି ତାଙ୍କ ବାସଭବନ ଘେରିବାକୁ ଯୋଜନା କରିଥିଲା। ଜୟ ନାରୟଣଙ୍କ ନନ୍ଦପଡ଼ାସ୍ଥିତ ବାସଭବନକୁ ଯିବା ପାଇଁ ସବୁ ପ୍ରକାର ପ୍ରସ୍ତୁତି ସରିଥିଲା। ମାତ୍ର, ଜୟ ନାରାୟଣ ସର୍କିଟ ହାଉସ୍‌ରେ ରହୁଥିବା ଜାଣିବା ପରେ ଶତାଧିକ ମହିଳା ଓ ପୁରୁଷ ବିଜେଡି କର୍ମୀ ଓ ସମର୍ଥକ ଅଚାନକ ସେଠାରେ ପହଂଚି ଥିଲେ। ଜୟ ନାରାୟଣ କିନ୍ତୁ ଏହା ପୂର୍ବରୁ ସେଠାରୁ ବାହାରି ନିଜ ନନ୍ଦପଡ଼ାସ୍ଥିତ ବାସଭବନକୁ ଚାଲି ଆସିଥିଲେ। ବିଜେଡି କର୍ମୀମାନ‌େ ‘ନାରୀ ଅପମାନିକାରୀ ଜୟ ନାରାୟଣଙ୍କୁ ଗିରଫ କର’ ସ୍ଲୋଗାନଦେଇ ସର୍କିଟ ହାଉସ୍‌କୁ ପଶିଥି‌ଲେ। ଜୟନାରୟଣ ରହୁଥିବା ପ୍ରକୋଷ୍ଠକୁ ପଶି ପାଟିତୁଣ୍ଡ କରିବା ସହିତ ସୋଫା ଉପରେ ଚଢ଼ି ନାଚି ଥିଲେ।

ଘଟଣା ସଂକ୍ରାନ୍ତରେ ଖବର ମିଳିବା ସତ୍ତ୍ବେ ପୁଲିସ ସେଠାକୁ ପହଂଚିବାରେ ବିଳମ୍ବ ହୋଇଥିଲା। ଜିଲ୍ଲା ସ୍କୁଲ ପଟୁ ସର୍କିଟ ହାଉସ୍‌କୁ ଯିବା ରାସ୍ତା ମଝିରେ କେହି ଜଣେ ଏକ ଗାଡ଼ି ରଖି ଚାଲି ଯାଇଥିବାରୁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥିଲା। ତେବେ, କୌଣସି ପ୍ରକାରେ ପୁଲିସ ସର୍କିଟ ହାଉସ୍‌ରେ ପହଂଚି ବିଜେଡି କର୍ମୀମାନଙ୍କୁ ଭିତରକୁ ବାହାରକୁ ଆଣିଥିଲା। ଜୟ ନାରାୟଣ ଅନ୍ୟ ‌କୌଣସି ପ୍ରକୋଷ୍ଠରେ ଲୁଚି ଥିବା ସନ୍ଦେହକରି ବିଜେଡି କର୍ମୀମାନେ ପୁଣି ସେଠାକୁ ପଶିବାକୁ ଉଦ୍ୟମ କରିବା ବେଳେ ସର୍କିଟ ହାଉସ୍‌ର ମୁଖ୍ୟ ଗେଟ୍‌ ଟଣାଟଣି କରିବା ସମୟରେ ଏହାର କବଜା ଖୋଲି ଯାଇଥିଲା। ସର୍କିଟ୍ ହାଉସ୍‌ ପରିସରରେ ବିଜେଡି କର୍ମୀମାନେ ବେଶ୍ କିଛି ସମୟ ଧରି ପ୍ଲା’କାର୍ଡ ଧରି ଜୟନାରାୟଣଙ୍କ ଗିରଫ ଦାବିରେ ସ୍ଲୋଗାନ ଦେଉଥିବା ଦେଖିବାକୁ ମିଳିଥିଲା। ଏପଟେ ପୁଲିସ ଅଧିକାରୀ ଓ କର୍ମଚାରୀମାନେ ଟାଉନ୍‌ ଥାନାରୁ ଏକ ରାଲିରେ ବାହାରି ଉତ୍ତରାଂଚଳ ଆଇଜି କାର୍ଯ୍ୟାଳୟରେ ପହଂଚି ଜୟ ନାରାୟଣଙ୍କୁ ଗିରଫ ଦାବିରେ ପୁଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେଇଥିଲେ। ଅପରାହ୍‌ଣରେ ପୁଣି ମହିଳା ଥାନା ଅଧିକାରୀମାନେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ପହଂଚି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଭେଟି ସେଭଳି ଏକ ଦାବିପତ୍ର ଦେଇଥିବା ଜଣାପଡ଼ିଛି।

ଏହି ଘଟଣାକୁ ନେଇ ଜୟ ନାରାୟଣ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ବିଜେଡି କର୍ମୀମାନଙ୍କ ନିଜ ସରକାରଙ୍କ ଉପରେ ଭରସା ନାହିଁ। ସେମାନେ ମୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିପାରିନ୍ତେ। ମାତ୍ର ତାହା ନକରି ସବୁଠାରୁ ସୁରକ୍ଷିତ ଜାଗା କହାଯାଉଥିବା ସର୍କିଟ ହାଉସ୍‌ କବାଟ ଭାଂଗି ପଶିଥିଲେ। ସୋଫା ଉପରେ ଚଢ଼ି ନାଚି ଥିଲେ। ବିଜେଡିର ଗୁଣ୍ଡାମାନେ ମୋତେ ହତ୍ୟା କରିବାକୁ ସେଠାକୁ ଯାଇଥିଲେ। ମୁଖ୍ୟତଃ ନବ ଦାସ ହତ୍ୟା ମାମଲାରେ ସରକାରୀ ଷଡ୍‌ଯନ୍ତ୍ରକୁ ମୁଁ ପଦାରେ ପକାଇଥିବାରୁ ସେମାନେ ମୋତେ ରାସ୍ତାରୁ ହଟାଇବାକୁ ଚେଷ୍ଟା କରୁଛନ୍ତି। ଆଉ ଆଜି ସେହି ଉଦ୍ଦେଶ୍ୟରେ ମୁଁ ରହୁଥିବା ସର୍କିଟ ହାଉସ୍‌କୁ ଯାଇଥିଲେ। ଆଜିର ଘଟଣାରୁ ବିଜେଡିର ଅସଲ ଚରିତ୍ର ପୁଣି ଥରେ ସାମ୍‌ନାକୁ ଆସିଛି ବୋଲି ଜୟ ନାରାୟଣ ଅଭିଯୋଗ କରିଛନ୍ତି।

ଅପରପକ୍ଷରେ ମହିଳା ପୁଲିସ ଅଧିକାରୀ(ଧନୁପାଲି ଆଇଆଇସି)ଙ୍କୁ ଚାପୁଡ଼ା ମାରିବା ଘଟଣାରେ ଟାଉନ ଥାନା ପୁଲିସ ଜୟ ନାରାୟଣ ମିଶ୍ରଙ୍କ ବିରୋଧରେ ବିଭିନ୍ନ ଦଫାରେ ମାମଲା ରୁଜୁ କରିଥିବା ବେଳେ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନ୍ନପୂର୍ଣ୍ଣା ବାରିକ ଦେଇଥିବା ଏତଲା ନେଇ କୌଣସି ମାମଲା ରୁଜୁ ହୋଇନାହିଁ। ଏ ସଂକ୍ରାନ୍ତରେ ଏସ୍‌ପି ବି. ଗଂଗାଧରଙ୍କୁ ପଚାରିବାରୁ ଯେହେତୁ ସେହିଦିନର ଘଟଣାରେ ଗୋଟିଏ ମାମଲା ରୁଜୁ ହୋଇଛି, ତେଣୁ ଆଉ ଅନ୍ୟ ମାମଲା ରୁଜୁ କରାଯାଇ ନାହିଁ। ଜଣେ ଡିଏସ୍‌ପି ଏହି ଘଟଣାର ତଦନ୍ତ କରୁଛନ୍ତି। ବିଜେପି ପକ୍ଷରୁ ହୋଇଥିବା ଅଭିଯୋଗ ସେହି ମାମଲା ସହିତ ଆଟାଚ୍ ହୋଇଛି ବୋଲି ସେ କହିଛନ୍ତି। ଏପଟେ, ଟାଉନ ଥାନା ପୁଲିସ ମାମଲା ରୁଜୁ କରିନଥିବାରୁ ଅନ୍ନପୂର୍ଣ୍ଣାଙ୍କ ଅଭିଯୋଗପତ୍ର ଡାକଯୋଗ‌େ ଏସ୍‌ପିଙ୍କ ଦପ୍ତରକୁ ପଠାଯାଇଛି। ଏଭଳି ସିଧାସଳଖ ଏସ୍‌ପିଙ୍କୁ ଅଭିଯୋପତ୍ର ଦିଆଯିବା ପରେ ବି ଯଦି ଜୟ ନାରୟାଣଙ୍କୁ ମୁଥ ମାରିଥିବା ଧନୁପାଲି ଥାନା ଅଧିକାରୀଙ୍କ ବିରୋଧରେ ପୁଲିସ ମାମଲା ରୁଜୁ ନକଲେ ବାଧ୍ୟ ହୋଇ କୋର୍ଟର ଆଶ୍ରୟ ନିଆଯିବ ବୋଲି ବିଜେପି ସୂତ୍ରରୁ କହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe