Advertisment

ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି

Advertisment

୪ ବର୍ଷ ହେଲା ବନ୍ଦ ଅଛି ଖପୁରିଆ ବତକ କେନ୍ଦ୍ର, କୁକୁଡ଼ା ଅଣ୍ଡା ଠାରୁ ରହିଛି ଅଧିକ ଭିଟାମିନ

୪ ବର୍ଷ ହେଲା ବନ୍ଦ ଅଛି ଖପୁରିଆ ବତକ କେନ୍ଦ୍ର, କୁକୁଡ଼ା ଅଣ୍ଡା ଠାରୁ ରହିଛି ଅଧିକ ଭିଟାମିନ

୪ ବର୍ଷରେ ଅଣ୍ଡା ଉତ୍ପାଦନ ୫୮ % ବୃଦ୍ଧି: ଅଣ୍ଡାରେ ସ୍ବାବଲମ୍ବୀ ପାଇଁ କର୍ମଶାଳା

Image Courtesy of NDTV

ଭୁବନେଶ୍ବର: ଲାଲ କେଶର ଅଣ୍ଡାକୁ ନେଇ ଅନେକ ଦ୍ବନ୍ଦ୍ବ ରହିଛି। ମାତ୍ର ଭିଟାମିନ ଏ ଯୁକ୍ତ ଲାଲ କେଶର ବତକ ଅଣ୍ଡାର ଚାହିଦା ବଢିବାରେ ଲାଗିଛି। ସ୍ଥିତି ଏଭଳି ଯେ ରାଜ୍ୟରେ ୧୦ ଲକ୍ଷ ବତକ ଅଣ୍ଡାର ଚାହିଦା ଥିଲେ ମଧ୍ୟ କେନ୍ଦ୍ରୀୟ କୁକୁଟ ପରିଯୋଜନା ନିର୍ଦେଶାଳୟ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ମାତ୍ର ଅଢେଇ ଲକ୍ଷ ବତକ ଅଣ୍ଡାର ଯୋଗାଣ ହୋଇ ପାରୁଥିବା କହିଛନ୍ତି କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ସୂର୍ଯ୍ୟ ମିଶ୍ର। ଏପରିକି ବ୍ୟବସାୟ ପାଇଁ ୫ ଲକ୍ଷ ବତକ ଚିଆଁର ଚାହିଦା ରହିଥିଲେ ମଧ୍ୟ ମାତ୍ର ଦେଢ ଲକ୍ଷ ହିଁ ଯୋଗାଣ କରାଯାଇ ପାରୁଥିବା କୁହାଯାଇଛି।

କେନ୍ଦ୍ରୀୟ କୁକୁଟ ପରିଯୋଜନା ନିର୍ଦେଶାଳୟ ଆଞ୍ଚଳିକ କେନ୍ଦ୍ରର ତଥ୍ୟ ଅନୁସାରେ, ବତକ ଅଣ୍ଡା ଏବଂ ମାଂସର ଖାଦ୍ୟ ସଂସ୍କୃତି ପ୍ରାୟ ୨୦୦ ବର୍ଷର ପୁରୁଣା। କିନ୍ତୁ ୧୯୭୦ ମସିହାରେ ଦେଶରେ ଏହାକୁ ନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଗ୍ରହଣ ସହିତ ଗବେଷଣା ଆରମ୍ଭ ହେଲା। କୁକୁଡ଼ା ଅଣ୍ଡା ଠାରୁ ବତକ ଅଣ୍ଡାରେ ୧.୫ରୁ ୨% ଅଧିକ ପୁଷ୍ଟିସାର, ୩ % ଅଧିକ ସ୍ନେହସାର, ୧ % ଅଧିକ ଶ୍ବେତସାର ରହିଛି। ଏପରିକି ଏହାର ଆକାର ମଧ୍ୟ କୁକୁଡ଼ା ଅଣ୍ଡା ଠାରୁ ପ୍ରାୟ ୧୫ରୁ ୨୦ ଗ୍ରାମ ଅଧିକ ଅଟେ। ଖାଦ୍ୟର ଏହି ବିଶେଷତା ଯୋଗୁଁ ପଶ୍ଚିମବଙ୍ଗ, କେରଳ, ଆସାମ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡ଼ୁରେ ଏହାର ବ୍ୟବସାୟିକ କଳେବର ଯେଉଁଭଳି ବଢିବାରେ ଲାଗିଛି, ସମସ୍ତ ପ୍ରକାର ଭିତ୍ତିଭୂମି ଥାଇ ମଧ୍ୟ ଓଡ଼ିଶା କିନ୍ତୁ ଏହାର ଲାଭ ଉଠାଇ ପାରୁ ନାହିଁ। କୁକୁଡ଼ା ଠାରୁ ବତକ ପ୍ରାୟ ୬୦ରୁ ଅଧିକ ଅଣ୍ଡା ଦେଇ ପାରେ। ଦେଶୀ କୁକୁଡ଼ା ଠାରୁ ଦେଶୀ ବତକ ଆହୁରି ଲାଭପ୍ରଦ। ଏପରିକି ସେମାନେ ଜିଆ, ଝିଣ୍ଟିକା, ପୋକ, ଗେଣ୍ଡା ଖାଇ ଚଳିପାରନ୍ତି। ଜଳାଶୟରେ ଏମାନେ ରହୁଥିବାରୁ ଏଥିପାଇଁ ବିଶେଷ ଖର୍ଚ୍ଚ କରିବାକୁ ପଡ଼େ ନାହିଁ। କୁକୁଡ଼ା ଭଳି ଏମାନେ ଧାଇଁ ଯାଆନ୍ତି ନାହିଁ। ତେଣୁ ବୟସ୍କ ବ୍ୟକ୍ତିମାନେ ଏହି ବ୍ୟବସାୟ କରି ପାରନ୍ତି।

ତଥ୍ୟ ଆହୁରି କହୁଛି, ୨୦ଟି ବତକ ପାଳନ କରି ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ମଧ୍ୟ ଆୟ ସମ୍ଭବ ହେଉଛି। ଏଥିପାଇଁ ରାଜ୍ୟର କଟକ, ପୁରୀ, ଖୋର୍ଧା, ବଲାଙ୍ଗୀର, ମୟୂରଭଞ୍ଜ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର, କେନ୍ଦୁଝର ଆଦି ଅଞ୍ଚଳରେ ଯୁବକ ଏବଂ ମହିଳାମାନେ ବତକ ପାଳନ ନେଇ ଆଗ୍ରହ କରୁଛନ୍ତି। କନ୍ଧମାଳ, କୋରାପୁଟ ଅଞ୍ଚଳର ଚାହିଦା ଥାଇ ମଧ୍ୟ ପୂରଣ କରାଯାଇ ପାରୁ ନାହିଁ। ରାଜ୍ୟରେ କେବଳ ଭୁବନେଶ୍ବର ସ୍ଥିତ ଘାଟିକିଆରେ ହିଁ ଏକମାତ୍ର କେନ୍ଦ୍ରୀୟ କୁକୁଟା ପରିଯୋଜନା କେନ୍ଦ୍ର ରହିଥିବାରୁ ଚାହିଦା ପୂରଣ କରିପାରୁ ନାହିଁ। ପୂର୍ବରୁ ରାଜ୍ୟ ସରକାରଙ୍କ ପରିଚାଳିତ ଖପୁରିଆରେ ବତକ କେନ୍ଦ୍ର ଥିଲେ ମଧ୍ୟ ବିଭିନ୍ନ କାରଣରୁ ଏହା ୨୦୧୯ ମସିହାରୁ ଏହା ବନ୍ଦ ପଡ଼ିଛି। ରାଜ୍ୟରେ ବତକ ପାଇଁ ଆବଶ୍ୟକ ଟିକା ଉତ୍ପାଦନ ବ୍ୟବସ୍ଥା ନଥିବାରୁ ଏହାର ଗବେଷଣା ଏବଂ ବ୍ୟବସାୟ ପାଇଁ ସମସ୍ୟା ହେଉଛି। ସ୍ବାସ୍ଥ୍ୟଗତ କାରଣରୁ ବର୍ତ୍ତମାନ ଯେଉଁଭଳି ଭାବରେ ଅଣ୍ଡାର ଚାହିଦା ବଢିଛି, ବତକ ପାଳନ ନେଇ ସରକାରଙ୍କ ପକ୍ଷରୁ ଆବଶ୍ୟକ ପ୍ରୋତ୍ସାହନ ଦିଆଗଲେ ଗ୍ରାହକଙ୍କୁ ଭିଟାମିନ ଯୁକ୍ତ ଖାଦ୍ୟ ମିଳିବା ସହିତ ଲୋକଙ୍କୁ କମ ଖର୍ଚ୍ଚରେ ଭଲ ରୋଜଗାର ମିଳିପାରିବ ବୋଲି ବୈଜ୍ଞାନିକ ଶ୍ରୀ ମିଶ୍ର ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe