ସଂସ୍କୃତି ବିଭାଗ କରିବ ରାଜାରାଣୀ, ମୁକ୍ତେଶ୍ବର ଉତ୍ସବ

ସଂସ୍କୃତି ବିଭାଗ କରିବ ରାଜାରାଣୀ, ମୁକ୍ତେଶ୍ବର ଉତ୍ସବ

eOdisha.org

କେବଳ କୋଣାର୍କ ଉତ୍ସବ ପର୍ଯ୍ୟଟନ ବିଭାଗ ଦାୟିତ୍ବରେ ରହିବ
ଆଜି ଉନ୍ନୟନ କମିସନର୍‌ଙ୍କ ଅଧ୍ୟକ୍ଷତାରେ ସମନ୍ବୟ ବୈଠକ

ଭୁବନେଶ୍ବର : ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜନ କରାଯାଉଥିବା ବିଭିନ୍ନ ଉତ୍ସବର ଦାୟିତ୍ବ ଏଣିକି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ହାତରେ ରହିବ। ଏହି କ୍ରମରେ ଜାନୁଆରିରୁ ମାର୍ଚ୍ଚ ମାସ ଭିତରେ ହେଉଥିବା ରାଜାରାଣୀ ସଙ୍ଗୀତ ମହୋତ୍ସବ, ମୁକ୍ତେଶ୍ବର ନୃତ୍ୟ ଉତ୍ସବ, ଧଉଳି-କଳିଙ୍ଗ ମହୋତ୍ସବ ଓ ବୃନ୍ଦାବନ ଉତ୍ସବ ଆଦି ୪ଟି ଯାକ ଉତ୍ସବ ସଂସ୍କୃତି ବିଭାଗ ଆୟୋଜନ କରିବ। କେବଳ କୋଣାର୍କଠାରେ ଆୟୋଜିତ ହେଉଥିବା ‘ବାଲୁକା କଳା ଓ କୋଣାର୍କ ଉତ୍ସବ’କୁ ପର୍ଯ୍ୟଟନ ବିଭାଗ ଆୟୋଜନ କରିବ। ସଂସ୍କୃତି ବିଭାଗକୁ ଏହି ଦାୟିତ୍ବ ହସ୍ତାନ୍ତର କରିବା ପାଇଁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ଆସନ୍ତାକାଲି ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ବସିବ। ଏଥିରେ ଉଭୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ସଚିବ ଓ ନିର୍ଦ୍ଦେଶକ, ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ।

କେବଳ ଚାରିଟି ଉତ୍ସବ ନୁହେଁ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ସ୍ବତନ୍ତ୍ର ଉତ୍ସବ ଆୟୋଜନ କରିବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଗତ ବର୍ଷ ଠାରୁ ପ୍ରସ୍ତୁତି ଚାଲିଛି। ସେ ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହେବ। ଏହି ଉତ୍ସବଗୁଡ଼ିକର ଦାୟିତ୍ବ ମଧ୍ୟ ସଂସ୍କୃତି ବିଭାଗ ନେବ। ତେବେ ଏହି ସମସ୍ତ କାର୍ଯ୍ୟକ୍ରମକୁ ପର୍ଯ୍ୟଟନ କ୍ୟାଲେଣ୍ଡର୍‌ରେ ସ୍ଥାନ ଦେଇ ପର୍ଯ୍ୟଟନ ବିଭାଗ ତାହାର ଆବଶ୍ୟକ ପ୍ରଚାର ପ୍ରସାର କରିବ। ଉତ୍ସବ ଆୟୋଜନ ପାଇଁ ଥିବା ପର୍ଯ୍ୟଟନ ବିଭାଗର ବଜେଟ୍‌କୁ ସଂସ୍କୃତି ବିଭାଗକୁ ଦିଆଯିବାକୁ ଆପାତତଃ ସ୍ଥିର ହୋଇଛି। ଆସନ୍ତାକାଲିର ବୈଠକରେ ବିଧିବଦ୍ଧ ନିଷ୍ପତ୍ତି ନିଆଗଲା ପରେ ଆସନ୍ତା ପର୍ଯ୍ୟଟନ ଋତୁରେ ଏହା ଲାଗୁ ହେବ।

ସୂଚନାଥାଉ କି, ପୂର୍ବରୁ ଜାନୁଆରି ମାସରେ ହିଁ ଉଭୟ ରାଜାରାଣୀ ସଙ୍ଗୀତ ମହୋତ୍ସବ ଓ ମୁକ୍ତେଶ୍ବର ଉତ୍ସବ ଆୟୋଜିତ ହେଉଥିବା ବେଳେ ଗତ ବର୍ଷଠାରୁ ୨ ମାସରେ ୩ଟି ଉତ୍ସବ ନ କରି, ପର୍ଯ୍ୟଟନ କ୍ୟାଲେଣ୍ଡରକୁ ଅଧିକ ବ୍ୟବସ୍ଥିତ କରିବାକୁ ୩ ମାସରେ ୩ଟି ଉତ୍ସବ କରିବାର ଯୋଜନା ପ୍ରସ୍ତୁତ ହୋଇଥିଲା। ଏହି କ୍ରମରେ ନଭେମ୍ବରରେ ରାଜାରାଣୀ ସଙ୍ଗୀତ ମହୋତ୍ସବ, ଜାନୁଆରିରେ ମୁକ୍ତେଶ୍ବର, ଫେବୃଆରି-ମାର୍ଚ୍ଚରେ ଧଉଳି-କଳିଙ୍ଗ ଉତ୍ସବ ଓ ହୋଲିରେ ବୃନ୍ଦାବନ ମହୋତ୍ସବ ସହ କ୍ୟାଲେଣ୍ଡର କାର୍ଯ୍ୟକ୍ରମର ସମାପନ କରିବାକୁ ସ୍ଥିର ହୋଇଥିଲା। ଏଣୁ ଗତ ନଭେମ୍ବର ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜାରାଣୀ ସଙ୍ଗୀତ ମହୋତ୍ସବ ରାଜାରାଣୀ ମନ୍ଦିର ପ୍ରାଙ୍ଗଣରେ ଆୟୋଜନ ମଧ୍ୟ କରାଯାଇଥିଲା। କିନ୍ତୁ ସମସ୍ତ ଆୟୋଜନ ସତ୍ତ୍ବେ ଲଘୁଚାପଜନିତ ବର୍ଷା ଯୋଗୁଁ ଉତ୍ସବକୁ ସ୍ଥଗିତ ରଖାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe