ଜଟିଳ ହେଉଛି ଧର୍ମେନ୍ଦ୍ର ଆତ୍ମହତ୍ୟା ମାମଲା: ସ୍ବତନ୍ତ୍ର ଟିମ୍‌ ଗଠନ ହେଲା, ଗୋପ ଯିବ

Advertisment

ପୁଲିସ ହାତରେ ନୂଆ ୧୦ ଅଡିଓ, ଯାଞ୍ଚ ପାଇଁ ଗଲା, ମୋବାଇଲ୍‌ରୁ ତଥ୍ୟ କିଏ ଡିଲିଟ୍ କଲା?

ପୁଲିସ ହାତରେ ନୂଆ ୧୦ ଅଡିଓ, ଯାଞ୍ଚ ପାଇଁ ଗଲା, ମୋବାଇଲ୍‌ରୁ ତଥ୍ୟ କିଏ ଡିଲିଟ୍ କଲା?

ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ଆତ୍ମହତ୍ୟା ମାମଲା: ସାମ୍ବାଦିକ ଅକ୍ଷୟଙ୍କୁ ୩ଘଣ୍ଟା ଜେରା

ଭୁବନେଶ୍ବର: ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ରଙ୍କ ଆତ୍ମହତ୍ୟା ଘଟଣା ଦିନକୁ ଦିନ ରହସ୍ୟମୟ ହେବାରେ ଲାଗିଛି। ମଙ୍ଗଳବାର ଦିନ ଏକ ଅଡିଓ ଭାଇରାଲ୍‌‌ ହେବା ପରେ ଘଟଣା ଭିନ୍ନ ମୋଡ଼ ନେଇଥିଲା। ଏବେ ପୁଲିସ ହାତରେ ୧୦ରୁ ଅଧିକ ଅଡିଓ ଲାଗିବା ପରେ ଅଡ଼ୁଆ ବଢ଼ିଯାଇଛି। ପ୍ରଥମ ଅଡିଓରେ ତାଙ୍କ ଆତ୍ମହତ୍ୟା ପାଇଁ ୫ଜଣଙ୍କୁ ସେ ଦାୟୀ କରିଥିଲେ। ‌ନୂଆ ଅଡିଓ ଗୁଡ଼ିକରେ ଆହୁରି ଚାଞ୍ଚଲ୍ୟକର ତଥ୍ୟ ଥିବା ପୁଲିସ କହିଛି। ଏଥିସହିତ ଘଟଣାର ଗୁରୁତ୍ବ ଅନୁଭବ କରି ଅଡିଓ ଗୁଡ଼ିକର ଯାଞ୍ଚ ପାଇଁ ସମସ୍ତ କ୍ଲିପ୍‌କୁ ପୁଲିସ ଫରେନ୍‌ସିକ୍ ଲ୍ୟାବକୁ ପଠାଇଛି। ‌ଅନ୍ୟପକ୍ଷରେ ପୁଲିସ ମୋବାଇଲ୍‌, ସ୍ମାର୍ଟ ୱାଚକୁ ନେଇ ମଧ୍ୟ ଖୋଳତାଡ଼ ଆରମ୍ଭ କରିଛି। ସେଥିରୁ ତଥ୍ୟ ଡିଲିଟ୍‌ ହୋଇଥିବା ଜଣାପଡ଼ିଛି। ମୋବାଇଲ୍‌କୁ କିଏ ବ୍ୟବହାର କରିଥିଲେ? କାହିଁକି ତଥ୍ୟ ଡିଲିଟ୍‌ କଲେ? ଏସବୁକୁ ନେଇ ପୁଲିସ ପଚରାଉଚରା ଚଳାଇଛି।

ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଦିନ ତାଙ୍କ ଡ୍ରେସ୍‌ ଠାରୁ ଆରମ୍ଭ କରି ସ୍ମାର୍ଟ ୱାଚ ସବୁ ଗାଡ଼ି ଭିତରେ ଥିବା ବେଳେ ଦୁଇଟି ମୋବାଇଲ ତାଙ୍କ ଘର ନିକଟ ଏକ ବୁଦାମୂଳ ପାଣି ଭିତରୁ ମିଳିଥିଲା। ସମସ୍ତ ଜିନିଷ ଗାଡ଼ି ଭିତରେ ଥିବା ବେଳେ ମୋବାଇଲ୍‌ କେମିତି ବାହାରକୁ ଗଲା? କେହି ପ୍ରମାଣ ନଷ୍ଟ ପାଇଁ ମୋବାଇଲ୍‌କୁ ଫୋପାଡ଼ି ଦେଇଥିଲା କି? ଏହି ପ୍ରଶ୍ନ ସମସ୍ତଙ୍କୁ ଘାରିଛି। ଏହାର ଉତ୍ତର ମିଳିନାହିଁ ଏବଂ ଏହି ପ୍ରସଙ୍ଗଟି ହିଁ ଧର୍ମେନ୍ଦ୍ରଙ୍କ ମୃତ୍ୟୁକୁ ଅଧିକ ରହସ୍ୟମୟ କରିଛି। ତେଣେ ପୁଲିସ ସନ୍ଦେହରେ ପରିବାର ସଦସ୍ୟଙ୍କ ସମେତ ୬ଜଣଙ୍କୁ ଜେରା କରିସାରିଛି। ନୂଆ ନୂଆ ଅଡିଓ ଆସିବା ପରେ ଆହୁରି ୮ରୁ ଅଧିକଙ୍କ ତାଲିକା କରିଛି। ଦରକାର ପଡ଼ିଲେ ସେମାନଙ୍କୁ ଡାକି ଜେରା କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି। ପୁଲିସ ଆହୁରି କହିଛି ଯେ ଏହି ଘଟଣାର ଅନୁସନ୍ଧାନ ଲାଗି ଏକ ୫ଜଣିଆ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଜଣେ ଏସିପିଙ୍କ ନେତୃତ୍ବରେ ଟିମ୍‌ ଗୋପ୍‌ ସ୍ଥିତ ଧର୍ମେନ୍ଦ୍ରଙ୍କ ଘରକୁ ଯାଇ ସେଠାରେ ବିଭିନ୍ନ ଦିଗ ଉପରେ ଅନୁସନ୍ଧାନ କରିବ। ସନ୍ଦେହ ଘେରରେ ଥିବା ହାତଗଣତି ଲୋକଙ୍କୁ ଜେରା କରାଯିବ ବୋଲି ଜଣାପଡ଼ିଛି।

ପୁଲିସ ହାତରେ ନୂଆ ୧୦ ଅଡିଓ, ଯାଞ୍ଚ ପାଇଁ ଗଲା
ମୋବାଇଲ୍‌ରୁ ତଥ୍ୟ କିଏ ଡିଲିଟ୍ କଲା?
ବିଜେପି ପରେ କଂଗ୍ରେସ ରାସ୍ତାରୁ ଓହ୍ଲାଇଲା
ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ଛାତ୍ର କଂଗ୍ରେସ

ଏପଟେ ଏହି ପ୍ରସଙ୍ଗକୁ ନେଇ ବିଜେପି ପରେ କଂଗ୍ରେସ ରାସ୍ତାକୁ ଓହ୍ଲାଇଛି। ଧର୍ମେନ୍ଦ୍ରଙ୍କ ଆତ୍ମହତ୍ୟା ଘଟଣାରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କ ସଂପୃକ୍ତି ରହିଥିବା ଛାତ୍ର କଂଗ୍ରେସ ଅଭିଯୋଗ କରିଛି। ମନ୍ତ୍ରୀ ଶ୍ରୀ ଦାଶଙ୍କ ଇସ୍ତଫା ଓ ଗିରଫ ଦାବିରେ ଆଜି ଛାତ୍ର କଂଗ୍ରେସ ସଭାପତି ୟାସିର ନଓ୍ବାଜଙ୍କ ନେତୃତ୍ବରେ ଶତାଧିକ କର୍ମୀ ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲେ। ତାଙ୍କ ବାସଭବନ ଉପରୁ ଅଣ୍ଡା ମାଡ଼ କରିବା ସହ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ବାସଭବନ ସମ୍ମୁଖରେ ଘଣ୍ଟାଏ ଧରି ପୁଲିସ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଶେଷରେ ଶତାଧିକ କର୍ମୀଙ୍କୁ ପୁଲିସ ଗିରଫ କରି ପରେ ଛାଡ଼ିଦେଇଛି।

ଶ୍ରୀ ନଓ୍ବାଜ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତୀତରେ ଆପରାଧିକ ମାମଲାରେ ସଂପୃକ୍ତ ଥିବା ମନ୍ତ୍ରୀଙ୍କୁ ସୁରକ୍ଷା ଦେଇଆସୁଥିଲେ। ଆଜି ମଧ୍ୟ ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ପାଇଁ ଦାୟୀ ଥିବା ଗଣଶିକ୍ଷା ମନ୍ତ୍ରୀଙ୍କୁ ସୁରକ୍ଷା ଦେଉଛନ୍ତି। ସ୍ବର୍ଗତ ସାହୁଙ୍କ ଯେଉଁ ଅଡିଓ ମିଳିଛି ସେଥିରେ ସେ ଆତ୍ମହତ୍ୟା କରିବା ଦିନ ରାତିରେ ତାଙ୍କ ବନ୍ଧୁଙ୍କୁ ସଂପୂର୍ଣ୍ଣ ଭାବେ କହିଛନ୍ତି ଯେ ମନ୍ତ୍ରୀ ସମୀର ଦାଶଙ୍କ ପାଇଁ ସେ ଆତ୍ମହତ୍ୟା କରିବେ। ଉକ୍ତ ଅଡିଓରେ ତାଙ୍କର ଆତ୍ମହତ୍ୟା ପାଇଁ ଦାୟୀ କରିଥିବା ୭ଜଣଙ୍କ ମଧ୍ୟରୁ ସମୀର ଦାଶ ୨ନମ୍ବରରେ ଅଛନ୍ତି। ସ୍ବର୍ଗତ ସାହୁଙ୍କ ମୋବାଇଲରେ ସଂପୂର୍ଣ୍ଣ ଆତ୍ମହତ୍ୟାର ରହସ୍ୟ ରହିଛି। ସ୍ବର୍ଗତ ସାହୁଙ୍କ ୨ଟି ମୋବାଇଲ ଫୋନ୍‌କୁ ପୁଲିସ ଜବତ କରିଛି। ମାତ୍ର ଏବେ ରୁଚିକା ମହାନ୍ତି ଓ ମମିତା ମେହେରଙ୍କ ପରି ସ୍ବର୍ଗତ ସାହୁଙ୍କ ମୋବାଇଲରୁ ପ୍ରମାଣ ନଷ୍ଟ କରିବା ପାଇଁ ଚକ୍ରାନ୍ତ ଚାଲିଛି। ତେଣୁ ଏହି ଘଟଣାରେ ‘କୋର୍ଟ ମନିଟର୍‌ଡ୍‌ ଏସ୍‌ଆଇଟି ତଦନ୍ତ’ ଦାବି କରିଛି ଛାତ୍ର କଂଗ୍ରେସ। ଏହି କାର୍ଯ୍ୟକ୍ରମରେ ନିହାର ବେହେରା, ମହମ୍ମଦ ଗୁଲଫାମ, ମୁନୁ ପରିଡ଼ା, ଜଗଦୀଶ ଗଜେନ୍ଦ୍ର, ସୂରଜ ରାଉତ, ସାଗର ପଟ୍ଟନାୟକ, ବିଶ୍ବଭୂଷଣ ମହାପାତ୍ର, ମହମ୍ମଦ ସମିଉଲ ହକ୍, ବିଭୂତି ଭୂଷଣ ମହାପାତ୍ରଙ୍କ ସମେତ ବହୁ କର୍ମକର୍ତ୍ତା ସାମିଲ ହୋଇଥିଲେ।

ଉଲ୍ଲେଖଥାଉକି, ଧର୍ମେନ୍ଦ୍ରଙ୍କ ମୃତ୍ୟୁ ମାମଲା ଜାତୀୟ ମାନବାଧିକାର କମିସନ ନିକଟରେ ପହଞ୍ଚିଛି। ଘଟଣାର ନିରପେକ୍ଷ ତଦନ୍ତ ପାଇଁ ନ୍ୟାୟପାଇଁ ଲଢ଼େଇ ପରିବାରର ରାଜ୍ୟ ସଭାପତି ସୁବ୍ରତ ଦାଶ ଏନ୍‌ଏଚ୍‌ଆର୍‌ସିର ଦ୍ବାରସ୍ଥ ହୋଇଛନ୍ତି। କେବଳ ଏତିକି ନୁହେଁ, ଧର୍ମେନ୍ଦ୍ରଙ୍କ ପରିବାରକୁ ୩୦ଲକ୍ଷ ଟଙ୍କା କ୍ଷତିପୂରଣ‌ ଦେବାକୁ ଜାତୀୟ ମାନବାଧିକାର କମିସନଙ୍କ ଗୁହାରି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe