ରିଡର୍‌ଙ୍କୁ ବହିଷ୍କାର କଲେ ନିର୍ଦ୍ଦେଶକ

Advertisment
ରିଡର୍‌ଙ୍କୁ ବହିଷ୍କାର କଲେ ନିର୍ଦ୍ଦେଶକ

Government Of Odisha

କଟକ: ଓଡ଼ିଶା ସରକାରୀ ପ୍ରେସ୍‌ରେ ୩ ଜଣ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ଘଟଣାରେ କର୍ତ୍ତୃପକ୍ଷ ତ୍ବରିତ ଦୃଢ଼ ପଦକ୍ଷେପ ନେଇଛନ୍ତି। ଏହି ଘଟଣାରେ ଅଭିଯୁକ୍ତ ଜୁନିୟର୍‌ ରିଡର୍‌ଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ସରକାରୀ ପ୍ରେସର ନିର୍ଦ୍ଦେଶକ ଅରୁଣ ରଏ ଜୁନିୟର୍‌ ରିଡର୍‌ ବିମଳ ପଟ୍ଟନାୟକଙ୍କୁ ଚାକିରିରୁ ବହିଷ୍କାର ସଂପର୍କିତ ନିର୍ଦ୍ଦେଶନାମା ଜାରି କରିଛନ୍ତି। କିନ୍ତୁ ଅଭିଯୋଗର ତଦନ୍ତ, କାରଣ ଦର୍ଶାଅ ନୋଟିସ୍‌, ନିଲମ୍ବନ ଇତ୍ୟାଦି ପ୍ରକ୍ରିୟାକୁ ଡେଇଁ ସିଧାସଳଖ ଏଭଳି ଚାକିରିରୁ ବହିଷ୍କାର ନିଷ୍ପତ୍ତିକୁ ନେଇ ପ୍ରେସ କର୍ମଚାରୀଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି।

ସୂଚନାଯୋଗ୍ୟ ଯେ ଗଲା ୧୬ ତାରିଖରେ ଜଣେ ଟ୍ରେନି ଛାତ୍ରୀଙ୍କୁ ସଂପୃକ୍ତ ରିଡର୍‌ ବାଇକରେ ନେଇ ଏକୁଟିଆ ସ୍ଥାନରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ସଂପୃକ୍ତ ଛାତ୍ରୀ ଗଲା ୧୮ ତାରିଖରେ ଏ ସଂକ୍ରାନ୍ତରେ ପ୍ରିଣ୍ଟିଂ, ଷ୍ଟେସନାରି ଓ ପବ୍ଲିକେସନ୍‌ ବିଭାଗର ଉପାଧ୍ୟକ୍ଷଙ୍କୁ ଲିଖିତ ଭାବେ ଘଟଣା ସଂକ୍ରାନ୍ତରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ମିଳିବା ପରେ ସରକାରୀ ପ୍ରେସର ନିର୍ଦ୍ଦେଶକ ଆଭ୍ୟନ୍ତରୀଣ କମିଟି ଦ୍ବାରା ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ସମୟରେ ସଂପୃକ୍ତ ରିଡର୍‌ଙ୍କ ବିରୋଧରେ ଆଉ ଦୁଇଟି ଅଭିଯୋଗ ସାମନାକୁ ଆସିଥିଲା। ପୂର୍ବରୁ ବି ଦୁଇ ଜଣ ଛାତ୍ରୀଙ୍କୁ ସେ ଅସଦାଚରଣ କରିଥିଲେ ଏବଂ ଲୋକଲଜ୍ଜା ଭୟରେ ସେମାନେ ଅଭିଯୋଗ କରିବାକୁ ସାହସ କରି ପାରି ନଥିବା ଜଣାପଡ଼ିଥିଲା। ଏଭଳି ସ୍ଥିତିରେ କମିଟି ସଂପୃକ୍ତ ରିଡର୍‌ଙ୍କୁ ଏଥିପାଇଁ ଦୋଷୀ କରିଥିଲା। କମିଟିର ରିପୋର୍ଟ ଆଧାର‌ରେ ପ୍ରେସର ନିର୍ଦ୍ଦେଶକ ନିଜର ସ୍ବତନ୍ତ୍ର କ୍ଷମତା ଆଧାରରେ ଆଜି ସଂପୃକ୍ତ ରିଡର୍‌ଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। ସଂପୃକ୍ତ ରିଡର୍‌ଙ୍କୁ ବହିଷ୍କାର କରାଯାଇଥିବା ସଂପର୍କରେ ମଧ୍ୟ ନିର୍ଦ୍ଦେଶକ ଶ୍ରୀ ରଏ ‘ସମ୍ବାଦ’କୁ ସୂଚନା ଦେଇଛନ୍ତି। ମଧୁପାଟଣାସ୍ଥିତ ଓଡ଼ିଶା ସରକାରୀ ପ୍ରେସରେ ଏଭଳି ଘଟଣା ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe