ହତ୍ୟାକୁ ନେଇ ଚର୍ଚ୍ଚାରେ ପୁଣି ମାହାଙ୍ଗା: ଅନରକିଲିଂର ଶିକାର ହେଲା ନାବାଳିକା, ନେତାଙ୍କ ଚାପରେ ଚାପିଥିଲେ

‌ହତ୍ୟାକରି ଗାଡ଼ିରେ ଆଣି ଫୋପାଡ଼ି ଚାଲିଗଲେ! କଂଗ୍ରେସଭବନ ନିକଟରୁ ଯୁବକଙ୍କ ମୃତଦେହ ଜବତ

ଭୁବନେଶ୍ବର / କଟକ: ମଣିପୁର ରାଜରାସ୍ତାରେ ଯୁବତୀଙ୍କୁ ଉଲଗ୍ନ ଓ ପରେ ଗଣଦୁଷ୍କର୍ମ ମାମଲା ୨ମାସ ପରେ ସାମ୍ନାକୁ ଆସିଲା। ବ୍ୟବସ୍ଥାକୁ କିଭଳି ଦଳିଚକଟି ଦିଆଯାଇପାରେ, ଏହା ଥିଲା ତା’ର ଏକ ନଗ୍ନ ପ୍ରମାଣ। ଘଟଣାଟି ଲୋକଲୋଚନକୁ ଆସିବା ପରଠାରୁ ପୂରା ଦୁନିଆ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କଲେ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ଭାରତ କମ୍ପିଲା। ଏଠି କିନ୍ତୁ ମଣିପୁରର ସେହି ଲଜ୍ଜାଜନକ ମାମଲାର ଅବତାରଣା କରାଯାଉନାହିଁ। ବରଂ ଗତ ଜୁନ୍‌ ୧୮ ତାରିଖରେ କଟକ ଜିଲ୍ଲା ମାହାଙ୍ଗା ଗୋକନର ଦଶମ ଶ୍ରେଣୀର ଜଣେ ନାବାଳିକା ଛାତ୍ରୀର ମୃତ୍ୟୁ କଥା କୁହାଯାଉଛି। ପାଖାପାଖି ଦୁଇମାସ ପରେ ଏହି ପ୍ରସଙ୍ଗଟି ଦୁନିଆ ସାମ୍ନାକୁ ଆସିଛି ଓ ତାହା ମଧ୍ୟ ହୃଦୟ ଥରାଇ ଦେବାଭଳି। ଏଠି ବି ବ୍ୟବସ୍ଥାକୁ ଦଳିଚକଟି ଦିଆଯାଇଛି। କେବଳ ସେତିକି ନୁହେଁ, ପୁଲିସ, ଗଣମାଧ୍ୟମ, ଲୋକପ୍ରତିନିଧି ସମସ୍ତେ ଏହି ସମ୍ବେଦନଶୀଳ ମାମଲାଟି ଜାଣିକି ଚାପିଥିଲେ ନା କୌଣସି ଅଦୃଶ୍ୟ ଚାପରେ ମାମଲାଟି ଚପିଗଲା, ତାହା ଅନୁସନ୍ଧାନ ଅପେକ୍ଷା କରେ।

ଏବେ ସନ୍ଦେହ ହେଲାଣି ଯେ ନାବାଳିକା ଜଣଙ୍କର ସ୍ବାଭାବିକ ମୃତ୍ୟୁ ହୋଇନାହିଁ କିମ୍ବା ସେ ଆତ୍ମହତ୍ୟା କରିନାହାନ୍ତି। ବରଂ ସେ ଅନରକିଲିଂର ଶିକାର ହୋଇଛନ୍ତି। ସାମ୍ନାକୁ ଆସିଥିବା ଗୋଟିଏ ଚିଠି ଏଭଳି ସନ୍ଦେହକୁ ଘନୀଭୂତ କରୁଛି। ଏହି ମାମଲାରେ ଭାଇରାଲ୍ ଆଉ ଏକ ଅଡିଓ ବୟାନ କରୁଛି ଯେ ଶାସକ ବିଜେଡି ନେତା ଅର୍ଥାତ୍ ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଶରତ ନାଏକ ପୁଲିସ ସହଯୋଗରେ ମାମଲାର ସବୁ ପ୍ରମାଣକୁ ନଈରେ ଭସାଇ ଦେଇଛନ୍ତି। ଗଣମାଧ୍ୟମ, ପୁଲିସ ପ୍ରମୁଖଙ୍କୁ ସନ୍ତୁଷ୍ଟ କରିବା ଲାଗି ସେ ୭୦ହଜାର ଟଙ୍କା ମାଗୁଥିବା ଏହି ଅଡିଓରୁ ଜଣାପଡ଼ିଛି ଏବଂ ଏହା ଏବେ ମୋବାଇଲ୍‌ରୁ ମୋବାଇଲ୍‌ ଘୂରି ବୁଲୁଛି। କେବଳ ଏହି ଗୋଟିଏ ଘଟଣାକୁ ନେଇ ମାହାଙ୍ଗା ଏବେ ଚର୍ଚ୍ଚାକୁ ଆସିଛି ତା’ ନୁହେଁ। ଏହି ମାମଲାର ଅଳ୍ପ କେଇ ଦିନ ପରେ ଅଶ୍ଳୀଳ ଫଟୋ ଭାଇରାଲ୍ କରି କିଛି ଯୁବକ ଅନ୍ୟ ଜଣେ ଯୁବତୀକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଛନ୍ତି। ଏହା ପଛରେ ବି ମୃତକ ଯୁବତୀଙ୍କ ଜଣେ ବାନ୍ଧବୀ ଥିବା ଚର୍ଚ୍ଚାକୁ ଆସିଛି। ଅର୍ଥାତ୍ ଉଭୟ ନାବାଳିକା ଏବଂ ଏହି ଯୁବତୀ ଉଭୟଙ୍କୁ ମୃତ୍ୟୁ ମୁହଁକୁ ଠେଲି ଦିଆଯାଇଛି।

ସ୍ମରଣଥାଉକି, ଦୁଇବର୍ଷ ତଳେ ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣା ଓ ତତ୍କାଳୀନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନାଙ୍କ ସଂପୃକ୍ତି ପ୍ରସଙ୍ଗରେ ଚର୍ଚ୍ଚା ଏଯାଏ ଥମିନି। ମାହାଙ୍ଗାରେ ପୁଣି ଦୁଇଜଣ ଯୁବତୀଙ୍କ ମୃତ୍ୟୁ ଏବେ ଓଡ଼ିଶା ପୁଲିସର ଭାବମୂର୍ତ୍ତି ଓ ରାଜ୍ୟ ସରକାରଙ୍କ ମହିଳା ସୁରକ୍ଷା ସ୍ଲୋଗାନକୁ ମଝିଦାଣ୍ଡକୁ ଟାଣିଆଣିଛି। ପୁଲିସ ମୁଖ୍ୟାଳୟ ଥିବା କଟକ ଜିଲ୍ଲାରେ ଆଇନର ତଣ୍ଟିକୁ ଯଦି ଏମିତି ମୋଡ଼ି ଦିଆଯିବ, ତେବେ ରାଜ୍ୟର ବାକି ଜିଲ୍ଲାରେ କଣ ହେଉଥିବ?
ମିଳୁଥିବା ସୂଚନା ଅନୁସାରେ, େଗାକନ ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଥିବା ଝିଅ ସହିତ ସଂପୃକ୍ତ ବିଦ୍ୟାଳୟର ଖେଳ ଶିକ୍ଷକଙ୍କର ପ୍ରେମ ସଂପର୍କ ଥିଲା। ଏକଥା ଜାଣିବା ପରେ ପରିବାର ଲୋକେ ଝିଅକୁ ତାଗିଦ୍ କରିଥିଲେ। ଏହାସତ୍ତ୍ବେ ଉଭୟଙ୍କ ମଧ୍ୟରେ ସଂପର୍କରେ ପୂର୍ଣ୍ଣଛେଦ ପଡ଼ିନଥିଲା। ଜୁନ୍ ୧୮ ତାରିଖ ଦିନ ଘଟଣାଟି ସାଂଘାତିକ ମୋ଼଼ଡ଼ ନେଇଥିଲା। ଝିଅଟିର ଚିଠିକୁ ଯଦି ବିଶ୍ବାସ କରାଯାଏ, ମୃତ୍ୟୁ ଓ ବିଷ ଯନ୍ତ୍ରଣା ବ୍ୟବଧାନ ସମୟରେ ହିଁ ସେ ଖେଳ ଶିକ୍ଷକକୁ ଏହା ଲେଖିବାକୁ ଚେଷ୍ଟା କରିଛି। ସେ ଦର୍ଶାଇଛି ଯେ ନାବାଳିକା ହୋଇଥିବା କାରଣରୁ ସେ ଘର ଛାଡ଼ି ଚାଲିଯାଇପାରିବ ନାହିଁ। ହେଲେ ପରିବାର ଲୋକେ ତାକୁ ଆଉ ବଞ୍ଚିବାକୁ ଦେବେନି। ସେ ଏକଥା ବି ଲେଖିଛି ଯେ ତାକୁ ତାର ବାପା ମାରିବାକୁ ଚାହୁଁଛନ୍ତି ଓ ଜବରଦସ୍ତ ବିଷ ଦେଇଛନ୍ତି।

ଅନ୍ୟପକ୍ଷରେ ଭାଇରାଲ୍ ଅଡିଓ ଆହୁରି ସାଂଘାତିକ ତଥ୍ୟ ସାମ୍ନାକୁ ଆଣିଛି। ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶରତ ନାଏକ ସେଥିରେ ଖେଳ ଶିକ୍ଷକଙ୍କ ମାଆଙ୍କୁ ଫୋନ୍ କରି ୭୦ ହଜାର ଟଙ୍କା ଦାବି କରିଛନ୍ତି। ଏଥିରେ ସେ କହୁଛନ୍ତି ଯେ ସେ ନିଜେ ଘଟଣାକୁ ଚପାଇ ଦେଇଛନ୍ତି। ତାଙ୍କରି ନିର୍ଦ୍ଦେଶରେ ହିଁ ମୃତ ନାବାଳିକାର ହାଡ଼, ପାଉଁଶ, ମାଟି ଓ ବାଲି ସବୁକୁ ନଦୀରେ ଭସାଇ ଦିଆଯାଇଛି। ଏକଥା ବି ସେ କହିଛନ୍ତି ଯେ ପୁଲିସ ଇନ୍‌ସପେକ୍ଟର ଏବଂ ଏସ୍‌ଡିପିଓଙ୍କ ସହିତ କଥାବାର୍ତ୍ତା ହେବା ପରେ ପୋଷ୍ଟମର୍ଟମ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟଥା ହଇରାଣ ହୋଇଥାନ୍ତେ। ସେ ଆହୁରି କହିଛନ୍ତି ଯେ ଝିଅର ମୋବାଇଲରେ ତୁମ ପୁଅର ନମ୍ବର ‘ମାଇଁ ହାର୍ଟ’ ନାଁରେ ସେଭ୍ ହୋଇଛି। ତାଙ୍କର ବଡ଼ ଚିନ୍ତା ଥିଲା ସ୍କୁଲ ବଦନାମ୍ ହେବ। ଖେଳ ଶିକ୍ଷକଙ୍କ ସହିତ ଛାତ୍ରୀଙ୍କ ଭାବ ଗଣମାଧ୍ୟମରେ ଘୂରି ବୁଲିବ। ଏମିତିରେ ବି ତାଙ୍କ ସ୍ତ୍ରୀ ସେଠାରେ ଶିକ୍ଷୟିତ୍ରୀ ଅଛନ୍ତି। ସେ ଏସବୁ ଜାଣନ୍ତିନି। ଜାଣିଥିଲେ, ଅନର୍ଥ ହୋଇଯିବ।
ଅନ୍ୟପକ୍ଷରେ ସଂପୃକ୍ତ ଖେଳ ଶିକ୍ଷକଙ୍କ ମାଆ ବାରମ୍ବାର ପ୍ରତ୍ୟୁତ୍ତର ଦେଇଛନ୍ତି ଯେ ତାଙ୍କ ପୁଅକୁ ବାତ ମାରିବାରୁ ସେ ଉଠି ପାରୁନି। ହେଲେ ସେ ଝିଅ କାହିଁକି ଆତ୍ମହତ୍ୟା କଲା? ମୁଁ ତାକୁ ବୋହୂ କରି ଆଣିଥାନ୍ତି। ତାଙ୍କ ସ୍ବାମୀ ଫେରିଲେ ସେ ଟଙ୍କା ବ୍ୟବସ୍ଥା କରିବେ ବୋଲି ନେହୁରା ହୋଇଛନ୍ତି।

publive-image

ବ୍ୟବଚ୍ଛେଦ କଲେନି, ପୋଡ଼ି ନଦୀରେ ଭସାଇଲେ
ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ନାମରେ ଅଡିଓ ଭାଇରାଲ୍
ନାବାଳିକାର ହାତ ଲେଖା ଚିଠି ଖୋଲୁଛି ଗୁମର
ମଣିପୁର ଭଳି ମିଳିମିଶି ଦୁଇମାସ ଚାପିଦେଲେ
ଅଶ୍ଳୀଳ ଭିଡିଓ ନେଲା ଆଉ ଜଣେ ଯୁବତୀର ପ୍ରାଣ

ଶବ ବ୍ୟବଚ୍ଛେଦ କଥାର ଉତ୍ତର ଦେଇ ଶ୍ରୀ ନାଏକ କହିଛନ୍ତି ଯେ ତୁମ ପୁଅ ଯାଇଥାନ୍ତା, ସ୍କୁଲ ବି ବଦନାମ ହୋଇଥାନ୍ତା। ଏଥିପାଇଁ ଆମେ ପୋଡ଼ିଦେଲୁ ବୋଲି କହିଛନ୍ତି। ଶ୍ରୀ ନାଏକ ଆହୁରି କହିଛନ୍ତି ଯେ ତୁରନ୍ତ ପଇସା ବ୍ୟବସ୍ଥା ନହେଲେ ନାନା ସମସ୍ୟା ହେବ। ତା’ ସହିତ ପୁଲିସ ଓ ସାମ୍ବାଦିକ ବାରମ୍ବାର ଘଟଣା ସମ୍ପର୍କରେ ପଚାରୁଛନ୍ତି, ଟଙ୍କା ମାଗୁଛନ୍ତି। ତେଣୁ ତୁରନ୍ତ ୭୦ହଜାର ଟଙ୍କା ଦେବାକୁ ଦାବି କରିବା ସହିତ ମନ୍ତ୍ରୀ ଫୋନ କଲେଣି କହି ଶ୍ରୀ ନାଏକ ଫୋନ କାଟି ଦେଇଛନ୍ତି। ଏବେ ପ୍ରଶ୍ନ ଉଠୁଛି, ଜୁନ୍ ୧୮ ତାରିଖର ଏହି ଘଟଣାଟି ପୁଲିସ ଜାଣିପାରିଲା ନାହିଁ କେମିତି? ଆଜି କଟକ ଗ୍ରାମାଞ୍ଚଳ ଏସ୍‌ପି ମିହିର ପଣ୍ଡା କହିଛନ୍ତି ଯେ ଘଟଣାର ତଦନ୍ତ ଅତିରିକ୍ତ ଏସ୍‌ପି କରିବେ। ତଦନ୍ତରୁ ଯାହା ଜଣାପଡିବ ସେ ଯିଏ ବି ଥାଉ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ହେଲେ ଗତ ୪୮ ଘଣ୍ଟା ଧରି ଏହି ଖବରଟି ଗଣମାଧ୍ୟମରେ ବୁଲୁଛି ଓ ଖୋଦ୍ ଡିଜି ଅଭିଯୋଗ ପାଇଛନ୍ତି। ଏସବୁ ଜାଣିବା ପରେ ବି ପୁଲିସ ଘୂରିବୁଲୁଥିବା ଅଡିଓ ଓ ଚିଠିକୁ ଧରି କାହାକୁ ଜେରା କରିଛି? ସଂପୃକ୍ତ ଥାନାଧିକାରୀ ଓ ଏସ୍‌ଡ଼ିପିଓଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ହୋଇଛି? ଏ ଉତ୍ତର କେହି ଦେଉନାହାନ୍ତି।

ଓଲଟା ଗତକାଲି ନାବାଳିକାଙ୍କ ବାପା ସାମ୍ବାଦିକ ସମ୍ମିଳନୀ କରି ବାତ ମାରିବା କାରଣରୁ ଝିଅର ମୃତ୍ୟୁ ହୋଇଥିବା ଅତି ହାଲୁକା ଭାବରେ କହିଛନ୍ତି। ହେଲେ ସେ ଡାକ୍ତରକୁ ଦେଖାଇନାହାନ୍ତି କି ଶବ ବ୍ୟବଚ୍ଛେଦ କରିନାହାନ୍ତି। ତାଙ୍କ ଝିଅ, ଏଣୁ ସେ କହିବା ଅନୁସାରେ ପୋଡ଼ି ଦିଆଯାଇଥିବା ଦୃଢ଼ତାର ସହିତ କହିଛନ୍ତି। ଏମିତି କେମିତି ହେବ? ଗଣମାଧ୍ୟମର ସ୍ବର ଚାପିବା ଲାଗି ସେ ସେ ଆହୁରି ଧମକ ଦେଇଛନ୍ତି ଯେ ଯଦି ଖବରଟି କୁଆଡେ ତାଙ୍କର ଆତ୍ମସମ୍ମାନକୁ ଢେର୍ ବାଧୁଛି। ଏମିତି ହେଲେ ସେ ଆତ୍ମହତ୍ୟା କରିଦେବେ?

ବିଶେଷଜ୍ଞଙ୍କର କହିବା କଥା ହେଲା, ଚିଠିଟି ସଂପୃକ୍ତ ନାବାଳିକାର ଯଦି ହାତଲେଖା ହୋଇଥିବ, ତେବେ ଏହି ଶେଷ ଚିଠିକୁ ଜବତ କରି ପୁଲିସ ତଦନ୍ତ ଆରମ୍ଭ କରିବା କଥା। ସବୁ ପ୍ରମାଣ ଯେତେବେଳେ ନଷ୍ଟ ହୋଇଗଲା, ସେବେ ଏ ଚିଠିଟି କାହା ପାଖରେ ଥିଲା? ସେ ମୋବାଇଲ୍ ଯୋଗେ ଖେଳ ଶିକ୍ଷକଙ୍କୁ ଦେଇଥିଲା କି? ଭାଇରାଲ ଅଡିଓର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଅନେକ ଗୁମର ଫିଟିପାରନ୍ତା। କାହା ଚାପରେ ପୁଲିସ ଚୁପ୍?

ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣା ହେଉ କିମ୍ବା ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପ୍ରଫୁଲ ଓରଫ କାବୁଆ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ସବୁ ପ୍ରସଙ୍ଗରେ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶରତ ନାଏକଙ୍କ ଭୂମିକାକୁ ନେଇ ଅଭିଯୋଗ ଉଠିଛି। ଏପରିକି ମୃତ କାବୁଆଙ୍କ ସହିତ ସେ ଡବଲ ମର୍ଡର ପରେ ବାରମ୍ବାର କଥାବାର୍ତ୍ତା ହେଉଥିବାର ସିଡ଼ିଆର ରିପୋର୍ଟ ବି ପୁଲିସ କୋର୍ଟରେ ଦାଖଲ କରିଛି। ଗୋକନ ଉଚ୍ଚ ବିଦ୍ୟାଳୟରେ ଶ୍ରୀ ନାଏକ ସଭାପତି ଥିବାବେଳେ ତାଙ୍କ ସ୍ତ୍ରୀ ମଧ୍ୟ ସେଠାରେ ସହକାରୀ ଶିକ୍ଷୟିତ୍ରୀ ଅଛନ୍ତି। ଯେଉଁ ମନ୍ତ୍ରୀଙ୍କ ନାମ ନେଇ ଶ୍ରୀ ନାଏକ ଫୋନ୍ କାଟିଛନ୍ତି, ସେ କିଏ? କେଉଁ ବିଭାଗ ଦାୟିତ୍ବରେ ଅଛନ୍ତି? ଏହି ମାମଲା ସହିତ ତାଙ୍କର ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ କିଛି ସଂପୃକ୍ତି ଅଛି କି?

ଏଠାରେ ଉଲ୍ଲେଖଥାଉକି, ମାହାଙ୍ଗାର ଅନ୍ୟ ମାମଲାଟିରେ କୋଳିଅଠା ଗ୍ରାମର ଜଣେ ୨୧ ବର୍ଷିଅା ଯୁବତୀଙ୍କ ବିବାହ ପ୍ରସ୍ତାବ ଠିକ୍ ହେବା ପରେ ତାଙ୍କ ବାନ୍ଧବୀ କୌଶଳ କ୍ରମେ ତାଙ୍କ ଉଲଗ୍ନ ଫଟୋ ଉଠାଇ ପୁଅର ସାଙ୍ଗକୁ ପଠାଇ ଦେଇଥିଲେ। ପରେ ଏହାକୁ ଧରି ସଂପୃକ୍ତ ଯୁବତୀଙ୍କ ସହିତ ଶାରୀରିକ ସଂପର୍କ ରଖିବା ପାଇଁ ଫୋନ୍ ଓ ମେସେଜ୍‌ରେ ଧମକଚମକ ମିଳିଥିଲା। ଏପରିକି ଅର୍ଥ ଆଦାୟ କରିଥିଲେ। ଜୁଲାଇ ୭ ତାରିଖ ଯାଏ ଏ ଘଟଣା ଚାଲିଥିଲା। ଯୁବତୀ ତାଙ୍କ ମାଆଙ୍କୁ ଜଣାଇଥିଲେ ଓ ପରଦିନ ଆତ୍ମହତ୍ୟା କରିଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe