ପ୍ରତିଶ୍ରୁତି ରଖିଲାନି ଜିଲ୍ଲା ପ୍ରଶାସନ, ଆମରଣ ଅନଶନରେ ବସିଲେ ବିସ୍ଥାପିତ

Advertisment

ନିଯୁକ୍ତି ତାଲିକାରେ ଅଛନ୍ତି ୧୧୦୦ ବିସ୍ଥାପିତ

ନିଯୁକ୍ତି ତାଲିକାରେ ଅଛନ୍ତି ୧୧୦୦ ବିସ୍ଥାପିତ

ପ୍ରତିଶ୍ରୁତି ରଖିଲାନି ଜିଲ୍ଲା ପ୍ରଶାସନ, ଆମରଣ ଅନଶନରେ ବସିଲେ ବିସ୍ଥାପିତ

ରାଉରକେଲା: ଆନ୍ଦୋଳନକୁ ଜୋରଦାର କରିଛନ୍ତି ବିସ୍ଥାପିତ ପରିବାର। ପୂର୍ବ ପ୍ରତିଶ୍ରୁତି ମୁତାବକ ଜିଲ୍ଲା ପ୍ରଶାସନ ବିସ୍ଥାପିତଙ୍କ ଦୁଃଖ ନ ଶୁଣିବାରୁ ଆଜିଠୁ ଆମରଣ ଅନଶନରେ ବସିଛନ୍ତି ଶତାଧିକ ବିସ୍ଥାପିତ ପରିବାର। ୩୨ ମୌଜା ବିସ୍ଥାପିତ ସଂଘର ସଭାପତି ପ୍ରଭାକୀରଣ ହୁରାଦ୍‌, ସାଧାରଣ ସମ୍ପାଦକ ମହେଶ୍ବର ଟପ୍ପୋଙ୍କ ନେତୃତ୍ବରେ ଶତାଧିକ ପରିବାର ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଆମରଣ ଅନଶନରେ ବସିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ମିଳି ନଥିବାରୁ ବିସ୍ଥାପିତମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଖୋଲା ଆକାଶ ତଳେ ଶୀତ କାକରରେ ବିସ୍ଥାପିତ ପରିବାର ସେମିତି ଆମରଣ ଅନଶନରେ ବସି ରହିଛନ୍ତି। ଧାରଣାସ୍ଥଳରେ ‌ରୋଷେଇ କରି ରାତ୍ରୀଭୋଜନ କରିଛନ୍ତି।

ଖବର ଲେଖାପର୍ଯ୍ୟନ୍ତ ବିସ୍ଥାପିତ ପରିବାର ପକ୍ଷରୁ ଆମରଣ ଅନଶନ ଜାରି ରହିଥିଲା।  ସଂଘ ପକ୍ଷରୁ ସଭାପତି ଶ୍ରୀ ହୁରାଦ ଓ ସାଧାରଣ ସମ୍ପାଦକ ଶ୍ରୀ ଟପ୍ପୋ କହିଛନ୍ତି ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତ ୨୦୨୨ ମାର୍ଚ୍ଚ ୨୨ରେ ତତ୍କାଳୀନ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ୩୨ ମୌଜା ବିସ୍ଥାପିତ ସଂଘର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ସେତେବେଳେ ବିସ୍ଥାପିତ ସଂଘ ପକ୍ଷରୁ ଆର୍‌ଏସ୍‌ପିରେ ନିଯୁକ୍ତି ପାଇଁ ୧୧୦୦  ବିସ୍ଥାପିତଙ୍କ ତାଲିକା ସହ ଆବଶ୍ୟକୀୟ କାଗଜପତ୍ର ତତ୍କାଳୀନ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବିଭାଗୀୟ ଅଧିକାରୀ ଦ୍ବାରା ଯାଞ୍ଚ କରିବା ପରେ ୧୧୦୦ ତାଲିକା ପ୍ରସ୍ତୁତ କରିଥିଲେ।

ଯେଉଁମାନଙ୍କୁ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ରେ ନିଯୁକ୍ତି ଦିଆଯିବାକୁ ନିଷ୍ପତ୍ତି ହୋଇଥିଲା। ତତ୍କାଳୀନ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣଙ୍କ ବଦଳି ପରେ ଏ ଦିଗରେ ଆଜି ଯାଏଁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଯେ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍‌ଏସ୍‌ପିରେ ନିଯୁକ୍ତି ପାଇଁ ଲିଖିତ ପ୍ରତିଶ୍ରୁତି ନ ମିଳିଛି ସେ ପର୍ଯ୍ୟନ୍ତ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆମରଣ ଅନଶନ୍‌ ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ସେପଟେ ଜିଲ୍ଲା ପ୍ରଶାସନିକ ଅଧିକାରୀ ଆମରଣ ଅନଶନ ସ୍ଥଳରେ ପହଞ୍ଚି ବିସ୍ଥାପିତଙ୍କୁ ବୁଝାସୁଝ କରିଥିଲେ ହେଁ  ସମସ୍ୟାର କୌଣସି ସମାଧାନ କୌଣସି ବାଟ ଫିଟି ନଥିବା ଜଣାପଡିଛି। ଅନଶନରେ ୩୨ ମୌଜା ବିସ୍ଥାପିତ ସଂଘର ସାହାଜାନ୍‌ ଅନ୍‌ସାରୀ, ସମ୍ପାଦକ ଦିଲୀପ କୁମାର ସିଂହ, ଯୁଗ୍ମ ସମ୍ପାଦକ ବାବୁଲା ଷଣ୍ଢଙ୍କ ସମେତ ବିଜୟ କୁମାର ବିଶି, ମୁରଲୀଧର ଦେହୁରି ପ୍ରମୁଖ ସାମିଲ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe