ପ୍ରସ୍ତୁତ ଥିଲା ପ୍ରଶାସନ, କେବଳ ବର୍ଷା କରି ଫେରିଗଲା ଜୱାଦ୍

Advertisment

୨୮୫ ଜଣଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର, ବାତ୍ୟା ଦିନରେ ଜନ୍ମ ନେଲେ ୮୫ ନବଜାତକ

୨୮୫ ଜଣଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର, ବାତ୍ୟା ଦିନରେ ଜନ୍ମ ନେଲେ ୮୫ ନବଜାତକ

ପ୍ରସ୍ତୁତ ଥିଲା ପ୍ରଶାସନ, କେବଳ ବର୍ଷା କରି ଫେରିଗଲା ଜୱାଦ୍

ଜଗତସିଂହପୁର ଟାଉନ୍: ବାତ୍ୟା ଜୱାଦ୍ ଆସିବ ବୋଲି ପ୍ରଶାସନ ସଜାଗ ଥିଲା । ପୁରୀରେ ବାତ୍ୟା ସ୍ଥଳଭାଗ ଛୁଇଁବ । ଏନେଇ ଭାରତୀୟ ପାଣିପାଗ ବିଭାଗ ବି ଅନୁମାନ କରିଥିଲା। ହେଲେ ତାହା ସତ ହେଲାନି। ଶନିବାର ପାଇଁ ଜଗତସିଂହପୁର ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଥିଲା । ଜୱାଦ ବିନା ପବନରେ ସାମାନ୍ୟ ବର୍ଷା କରି ଫେରିଯାଇଛି। ଶୁକ୍ରବାର ସନ୍ଧ୍ୟାରୁ ଜିଲ୍ଲାରେ ଲାଗିଥିବା ବର୍ଷା ଶନିବାର ଛାଡ଼ିଯାଇଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ପରେ ଛାଡ଼ି ଦିଆଯାଇଛି। ହେଲେ ବର୍ଷା ଚାଷୀଙ୍କ ଦୁଃଖ ବଢ଼ାଇ ଦେଇଛି।

ଜିଲ୍ଲାପାଳ ପାରୁଲ୍ ପଟୱାରୀଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ତହସିଲଦାର, ବିଡ଼ିଓ, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ବାତ୍ୟା ଜୱାଦ ମୁକାବିଲା ପାଇଁ ନିଜ ହେଡକ୍ବାର୍ଟରରେ ଉପସ୍ଥିତ ରହିଥିଲେ । ଜିଲ୍ଲା ୪୫ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ସମେତ ସ୍କୁଲ୍, ଅଙ୍ଗନବାଡ଼ି କେନ୍ଦ୍ର, କଲ୍ୟାଣ ମଣ୍ଡପ ଖୋଲାଥିଲା । ଦୁଇଟି ଏନ୍‌ଡିଆରଏଫ୍‌ ଓ ଦୁଇଟି ଓଡ୍ରାଫ୍ ଟିମ୍ ଏରସମା ଓ ପାରାଦୀପରେ ପ୍ରସ୍ତୁତ ହୋଇ ରହିଥିଲେ । ୧୪ଟି ଫାୟାର୍ ଟିମ୍ ବି ସଜାଗ ଥିଲେ। ପାରାଦୀପରେ ପାରାଦୀପ ପୋର୍ଟ, କୋଷ୍ଟଗାର୍ଡ ଓ ନାଭାଲ ୱିଙ୍ଗ ମଧ୍ୟ ବାତ୍ୟା ମୁକାବିଲା ନେଇ ସଜାଗ ଥିଲେ ।

ପାରାଦୀପରେ ୩୦ରୁ ୪୦ କିମି ପବନ ବହିଥିଲା । ପାରାଦୀପ ଟାଉନସିପ୍‌ର କିଛି ସ୍ଥାନରେ ଛୋଟ ଛୋଟ ଡାଳ ଭାଙ୍ଗିଥିଲା । ଯାହାକୁ କିଛି ସମୟ ମଧ୍ୟରେ ସଫା କରାଯାଇଥିଲା । ହେଲେ ଜଗତସିଂହପୁର ଜିଲ୍ଲାର ଅନ୍ୟ ବ୍ଲକ୍ ଓ ପୌରାଚଂଳରେ ବଡ଼ ଧରଣର କ୍ଷତି ଦେଖିବାକୁ ମିଳିନାହିଁ । ସମୂଦ୍ର ସାମାନ୍ୟ ଅଶାନ୍ତ ରହିଥିବା ଯୋଗୁଁ ଏରସମାର କଳାବେଦୀ ଠାରୁ ରାମତରା ଯାଏ କିଛି କିଛି ସମୂଦ୍ର ପାଣି ଜନବସତି ଆଡକୁ ମାଡ଼ି ଯାଇଛି ।

ବାତ୍ୟାର ଆଶଙ୍କା ଥିବାରୁ ପୂର୍ବ ପ୍ରସ୍ତୁତି ଅନୁସାରେ ସକାଳୁ ପ୍ରଶାସନ ପକ୍ଷରୁ ଚାଳ ଛପର ଘର ଓ ତଳିଆ ଅଂଚଳରେ ରହୁଥିବା କିଛି ଲୋକଙ୍କୁ ଆଶ୍ରୟସ୍ଥଳକୁ ଅଣାଯାଇଥିଲା । ମୋଟ୍ ୧୩ ଆଶ୍ରାୟସ୍ଥଳରେ ୩୫୯ ଜଣଙ୍କୁ ସ୍ଥାନାନ୍ତରଣ କରାଯାଇଥିଲା । ଏରସମା ବ୍ଲକ୍ ଗୋଡା ପଂଚାୟତର ଭଜାଖିଆ ଆଶ୍ରୟସ୍ଥଳକୁ ୪୨ ଜଣ, ବାଲିକୁଦା ବ୍ଲକ୍ ଅନନ୍ତପୁର ପଂଚାୟତ ଅଫିସକୁ ଦୁଇ ଜଣ, ନାଉଗାଁ ଅଙ୍ଗେଶ୍ୱରପଡ଼ା ଆଶ୍ରୟସ୍ଥଳକୁ ୩୦ ଜଣ ଏବଂ ଜଗତସିଂହପୁର ପୌରାଚଂଳରେ ୨୮୫ ଜଣଙ୍କୁ ସ୍ଥାନାନ୍ତରଣ କରାଯାଇଛି ।

ସେମାନଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ, ମେଡିସିନ୍ ଓ ଅନ୍ୟନ୍ୟ ଉପକରଣ ପ୍ରତ୍ୟେକ ବ୍ଳକ୍ ମୁଖ୍ୟାଳୟରେ ପ୍ରସ୍ତୁତ ରଖା ଯାଇଛି । ହେଲେ ଅପରାହ୍ନରେ ବାତ୍ୟା ପ୍ରଭାବହୀନ ଖବର ଆସିବା ପରେ ନିଜ ଘରକୁ ଫେରି ଯାଇଥିବା ଜଣାପଡ଼ିଛି । ବାତ୍ୟା ପୂର୍ବରୁ ଜିଲ୍ଲାର ୧୧୪ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇ ସ୍ଥାନୀୟ ହେଲ୍‌ଥ କେୟାର ୟୁନିଟ୍‌କୁ ସ୍ଥାନାନ୍ତର କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୮୫ ଜଣ ମହିଳା ସୁରକ୍ଷିତ ଭାବେ ପ୍ରସବ କରିଥିବା ସୂଚନା ପ୍ରଦାନ କରାଯାଇଛି । ସେଥି ମଧ୍ୟରୁ ୪୩ ଜଣ ପୁଅ ଓ ୪୨ ଜଣ ଝିଅ ଜନ୍ମ ହୋଇଛନ୍ତି ।

publive-image

ବର୍ଷା ହେଲା କାଳ-ଧାନ ଫସଲ ନଷ୍ଟ

ଜଗତସିଂହପୁର ଜିଲ୍ଲାରେ ୨୭୦ ମିମି ଅର୍ଥାତ ୩୩.୭୫ ମିମି ବର୍ଷା ରେକର୍ଡ କରାଯାଇଛି । ତେବେ ଏରସମା ବ୍ଲକ୍‌ରେ ସର୍ବାଧିକ ୭୪ ମିମି ବର୍ଷା ହୋଇଛି। ଝିପି ଝିପି ବର୍ଷା ଯୋଗୁଁ କିଛି ସ୍ଥାନରେ ପାଚିଲା ଧାନ ନଷ୍ଟ ହୋଇଥିବା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରାଜ କିଶୋର ଦାସ କହିଛନ୍ତି । ଅଧିକାଂଶ ଧାନ ପାଚି ଯାଇଥିବାରୁ ଗଛ ଶୁସ୍କ ହୋଇ ଯାଇଥିଲା । ଅନେକ ସ୍ଥାନରେ ବିଲ କାଦୁଅ ଥିବାରୁ ଚାଷୀ ଧାନ କାଟି ପାରି ନଥିଲେ । ହେଲେ ଝିପି ଝିପି ବର୍ଷା ଓ ହାଲକା ପବନ ଯୋଗୁ ଗଛ ଶୋଇ ଯାଇଛି । ତେଣୁ ଧାନ ନଷ୍ଟ ହେବା ସମ୍ଭାବନା ରହିଛି। ରବିବାର ସକାଳ ୮ଟା ଯାଏ ଜଗତସିଂହପୁର ଜିଲ୍ଲାକୁ ରେଡ୍ ୱାର୍ଣ୍ଣି ଦିଆଯାଇଛି । ତେଣୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଉ ବର୍ଷା ହେଲେ ଚାଷୀଙ୍କ ପାଇଁ ସମସ୍ୟା ବଢ଼ିବ । ସେହିପରି ପନିପରିବା ଚାଷ କରିଥିବା ଚାଷୀ ମଧ୍ୟ କ୍ଷୟକ୍ଷତିର ସାମନା କରିବେ ।

ସଜାଗ ରହିଥିଲେ ପ୍ରଶାସନିକ ଅଧିକାରୀ

ଜିଲ୍ଲାପାଳ ପାରୁଲ ପଟ୍ଟୱାରୀଙ୍କ ତତ୍ତ୍ବାବଧାନରେ ଜୱାଦ ମୁକାବିଲା ପାଇଁ ସମସ୍ତେ ପ୍ରସ୍ତୁତ ଥିଲେ। ଜିଲ୍ଲାର ସମସ୍ତ ଅଧିକାରୀଙ୍କ ଛୁଟି ଶନିବାର ଓ ରବିବାର ବାତିଲ କରାଯାଇ ହେଡ୍ କ୍ୱାଟରେ ରହିବାକୁ କୁହାଯାଇଛି। ତେବେ ତିର୍ତ୍ତୋଲ ବ୍ଲକରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ, କୁଜଙ୍ଗ ବ୍ଲକ୍ ଓ ପାରାଦୀପ ପୌରାଚଂଳରେ ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧୀର୍, ବାଲିକୁଦା ବ୍ଲକ୍ ଓ ଏରସମା ବ୍ଲକ୍‌ରେ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜ କାନ୍ତ ମହାନ୍ତି, ବିରିଡ଼ି ଓ ରଘୁନାଥପୁର ବ୍ଲକ୍‌ରେ ରାଜସ୍ୱ ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟୀ ବିଶ୍ୱାଳ, ଜଗତସିଂହପୁର ବ୍ଲକ୍ ଓ ପୌରାଚଂଳରେ ଉପ ଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ ଓ ନାଉଗାଁ ବ୍ଲକ୍‌ରେ ଅତିରିକ୍ତ ଉପ-ଜିଲ୍ଲାପାଳ ଦେବୀ ପ୍ରସାଦ ମହାନ୍ତି ବାତ୍ୟା ତଦାରଖ କରିଥିଲେ । ଏଥିସହ ସମସ୍ତ ବିଡ଼ିଓ, ତହସିଲଦାର, ପୌରାଚଂଳ ଅଧିକାରୀ ନିଜ ଅଞ୍ଚଳରେ ଉପସ୍ଥିତ ଥିଲେ।

ସ୍ୱାଭାବିକ ରହିଲା ଯାତାୟାତ-ଖୋଲଲା ଦୋକାନ ବଜାର

ଆଜି ବାତ୍ୟା ପାଇଁ ସକାଳୁ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା । ଯାନବାହାନ ଚଳାଚଳ ବି ସେତେଟା ନଥିଲା । କିନ୍ତୁ ଦିନ ୧୦ଟା ସୁଧା ବାତ୍ୟା ଦୁର୍ବଳ ଜଣା ପଡ଼ିବା ପରେ ଯାତାୟତ ସ୍ୱାଭାବିକ ହୋଇଥିବା ଦେଖିବାକୁ ମିଳିଥିଲା । ଯାତ୍ରୀବାହୀ ବସ୍, ମାଲ୍ବାହୀ ଗାଡ଼ି, ଟ୍ୟାକ୍ସି ଚଳାଚଳ କରିଥିଲା । ଦୋକାନ ବଜାର ମଧ୍ୟ ଖୋଲା ରହିଥିଲା । ହେଲେ ଝିପି ଝିପି ବର୍ଷ ଓ କୋହଲା ପାଗ ପାଇଁ ବଜାରରେ ଗହଳି ନଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe