'ସମ୍ବାଦ' ପ୍ରଭାବ: ସ୍ବାସ୍ଥ୍ୟ ବିଭାଗ କ୍ବାର୍ଟର୍ସ ଆବଣ୍ଟନ ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

'ସମ୍ବାଦ' ପ୍ରଭାବ: ସ୍ବାସ୍ଥ୍ୟ ବିଭାଗ କ୍ବାର୍ଟର୍ସ ଆବଣ୍ଟନ ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର କ୍ବାର୍ଟର୍ସ ଆବଣ୍ଟନରେ ହୋଇଥିବା ବ୍ୟାପକ ଦୁର୍ନୀତି ଓ ଅନିୟମିତତାର ତଦନ୍ତ ପାଇଁ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ ଆଜି ନିର୍ଦ୍ଦେଶ ଦେଇଛନ୍ତି। କେଉଁ ଗାଇଡ୍‌ଲାଇନ୍‌ ବଳରେ କେଉଁମାନଙ୍କୁ କ୍ବାର୍ଟର୍ସ ଆବଣ୍ଟନ କରାଯାଇଛି, ସେ ସଂକ୍ରାନ୍ତରେ ତଦନ୍ତ କରିବାକୁ ଜିଲ୍ଲାପାଳ ଶ୍ରୀ ପାଟିଲ ସିଡିଏମ୍‌ଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଯେଉଁମାନଙ୍କର ଫୁଲବାଣୀ ସହରରେ ନିଜସ୍ବ ଘର ଅଛି ସେମାନେ ସରକାରୀ କ୍ବାର୍ଟର୍ସ ପାଇବେ ନାହିଁ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି।

ଅପରପକ୍ଷେ, କିଛି କର୍ମଚାରୀ ନିଜ ପତ୍ନୀ ଓ ପୁଅଙ୍କ ନାମରେ ନିଜ ଘର କରି ନିଜ ନାମରେ ସରକାରୀ କ୍ବାର୍ଟର୍ସ ନେଇଥିବା ଅଭିଯୋଗର ମଧ୍ୟ ତଦନ୍ତ ହେବ। ଏଥିରେ ସମ୍ପୃକ୍ତ କିରାଣିଙ୍କ ଭୂମିକାକୁ ତଦନ୍ତ ପରିସରଭୁକ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଫଳରେ ଚଞ୍ଚକତା କରି କ୍ବାର୍ଟର୍ସ ହାତେଇଥିବା କର୍ମଚାରୀମାନଙ୍କ ମଧ୍ୟରେ ଛନକା ପଶିଛି।

ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନୂତନ ଭାବେ ନିର୍ମିତ ଚାରିମହଲା ବିଶିଷ୍ଟ ସରକାରୀ କ୍ବାର୍ଟର୍ସ ଆବଣ୍ଟନରେ ପ୍ରିୟାପ୍ରୀତିତୋଷଣ ମନୋଭାବ ଅବଲମ୍ବନ ଓ ଦୁର୍ନୀତି ଅଭିଯୋଗ ହୋଇଥିଲା। ଅଯୋଗ୍ୟମାନେ ହାତଗୁଞ୍ଜା ଦେଇ କ୍ବାର୍ଟର୍ସ ହାତେଇଥିବା ଅଭିଯୋଗ ଆଣି କ୍ବାର୍ଟର୍ସ ପାଇବାରୁ ବଞ୍ଚିତ ଯୋଗ୍ୟ କର୍ମଚାରୀମାନେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ। ‘ସମ୍ବାଦ’ରେ ଏହି ଖବର ପ୍ରକାଶ ପାଇବା ପରେ ଜିଲ୍ଲାପାଳ ଏହାକୁ ଗୁରୁତ୍ବର ସହ ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe