ରେଡକ୍ରସ ପାଣ୍ଠି ପାଇଁ ଔଷଧ ଦୋକାନୀଙ୍କୁ ଚାନ୍ଦା ମାଗୁଛନ୍ତି ଜିଲ୍ଲାପାଳ !

Advertisment
୭୪ ଔଷଧର ଖୁଚୁରା ମୂଲ୍ୟ ଧାର୍ଯ୍ୟ

ବୌଦ୍ଧ: ଜିଲ୍ଲାପାଳ ମାଗୁଛନ୍ତି ଚାନ୍ଦା। ଲୁଚାଛପାରେ ନୁହେଁ, ନିଜ ସରକାରୀ ପ୍ୟାଡ୍‌ରେ ଚିଠି ଲେଖି ଖୋଲାଖୋଲି ଚାନ୍ଦାଦେବାକୁ ଦେଇଛନ୍ତି ନିର୍ଦ୍ଦେଶ। ଜିଲ୍ଲାପାଳଙ୍କ ସ୍ବାକ୍ଷରରେ ଜାରି ଏଭଳି ଏକ ଚିଠି ଆଜି ବୈାଦ୍ଧ ଜିଲ୍ଲାରେ ଘୂରି ବୁଲିବା ପରେ ସାଧାରଣରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲାପାଳଙ୍କ ସ୍ବାକ୍ଷରରେ ଏକ ସରକାରୀ ଚିଠି (ସଂଖ୍ୟା ୧୦୭୩/ ୧୦. ୧୦. ୨୦୨୨) ଆଜି ଜିଲ୍ଲାର ବିଭିନ୍ନ ଔଷଧ ଦୋକାନୀମାନଙ୍କୁ ପ୍ରଦାନ କରାଯାଇଛି। ଡ୍ରଗ୍ସ ଇନସ୍ପେକ୍ଟର (ଡି.ଆଇ) ଏହି ଚିଠିର ନକଲ ଜିଲ୍ଲାର ବିଭିନ୍ନ ଔଷଧ ଦୋକାନୀମାନଙ୍କୁ ଧରାଇ ୧୦ ହଜାର ଟଙ୍କା ଲେଖାଏଁ ଚାନ୍ଦାଦେବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ରେଡକ୍ରସ ପାଣ୍ଠି ପାଇଁ ଏହା ଆଦାୟ କରିବାକୁ ଜିଲ୍ଲାପାଳ ଏହି ଚିଠିରେ ଡ୍ରଗ୍ସ ଇନସ୍ପେକ୍ଟରଙ୍କୁ କହିଛନ୍ତି। ଏବଂ ଜିଲ୍ଲାର ଔଷଧ ଦୋକାନୀମାନଙ୍କଠାରୁ ଏ ବାବଦରେ ଅନ୍ୟୂନ ୧୫ ଲକ୍ଷ ଟଙ୍କା ସଂଗ୍ରହ କରିବାକୁ ଜିଲ୍ଲାପାଳ ତାଙ୍କ ଚିଠିରେ ଟାର୍ଗେଟ ଦେଇଛନ୍ତି। ବୌଦ୍ଧ ଭଳି ଏକ ଛୋଟ ଜିଲ୍ଲାରେ ପ୍ରତି ଔଷଧ ଦୋକାନରୁ ୧୦ ହଜାର ଟଙ୍କା ଲେଖାଏଁ ଆଦାୟ କରାଯିବା ଘଟଣା ନେଇ ଜିଲ୍ଲାସାରା ଚର୍ଚ୍ଚା ଜୋର୍‌ ଧରିଛି। ବୌଦ୍ଧ ଜିଲ୍ଲାରେ ପ୍ରାୟ ୧୪୦ଟି ଔଷଧ ଦୋକାନ ଥିବା ଜଣାଯାଇଛି। ସେଥିମଧ୍ୟରୁ ଗ୍ରାମାଞ୍ଚଳରେ ଥିବା ଅନେକ ‌ଔଷଧ ଦୋକାନର ଆର୍ଥିକ ସ୍ଥିତି ଭଲ ନାହିଁ। ତେଣୁ ଏତେ ବଡ଼ରକମର ଟଙ୍କା ଦେବା ନେଇ ସେମାନଙ୍କ ମଧ୍ୟରେ ଏବେ ଭାଳେଣି ପଡ଼ିଛି।

ଏ ବିଷୟରେ ବୌଦ୍ଧ ଜିଲ୍ଲା ଦାୟିତ୍ବରେ ଥିବା ଡି.ଆଇ ସନ୍ତୋଷ ପ୍ରଧାନଙ୍କୁ ପଚାରିବାରୁ ସେ କହିଛନ୍ତି, ମଙ୍ଗଳବାର ମେଲ୍‌ ଯୋଗେ ତାଙ୍କ ପାଖକୁ ଏହି ଚିଠିଟି ଆସିଥିଲା ଏବଂ ଏହାକୁ ସେ ତୁରନ୍ତ ଜିଲ୍ଲାର ଔଷଧ ଦୋକାନୀମାନଙ୍କୁ ପଠାଇଦେଇଥିବା କହିଛନ୍ତି। ସେହିଭଳି ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ଜିଲ୍ଲାର ରେଡକ୍ରସ ପାଣ୍ଠି ବୃଦ୍ଧି କରିବା ପାଇଁ ଏଭଳି କରାଯାଇଛି। ଏଥିରେ ଅସୁବିଧା କ’ଣ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି। ନକଲି ଔଷଧ କାରବାରକୁ ନେଇ ଜିଲ୍ଲାର ଦୋକାନୀମାନେ ଏବେ ଚିନ୍ତାରେ ପଡ଼ିଥିଲା ବେଳେ ଜିଲ୍ଲାପାଳଙ୍କ ଏହି ଚାନ୍ଦା ଆଦାୟ କେବଳ ସେମାନଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇନାହିଁ; ବରଂ ଜିଲ୍ଲାପାଳଙ୍କ ଏଭଳି ଖୋଲାଖୋଲି ଚାନ୍ଦା ଆଦାୟ ଘଟଣା ବୁଦ୍ଧିଜୀବୀ ମହଲକୁ ତାଜୁବ କରିଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe