ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଅନୁଭବ: ଛାଡ଼ପତ୍ର ମାମଲାର ଶୁଣାଣି ୬ ମାସରେ ସାରିବାକୁ ଆବେଦନ

ଛାଡ଼ପତ୍ର ପ୍ରସଂଗ: ହାଇକୋର୍ଟରେ ଅନୁଭବଙ୍କ ଆବେଦନର ଶୁଣାଣି

Image Courtesy of Sambad English

କଟକ: ପତ୍ନୀ ବର୍ଷାଙ୍କୁ ଛାଡ଼ପତ୍ର ପ୍ରଦାନ ପ୍ରସଙ୍ଗକୁ ନେଇ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। କଟକ ପରିବାର ଅଦାଲତରେ ବିଚାରାଧୀନ ତାଙ୍କ ଛାଡ଼ପତ୍ର ଆବେଦନର ଶୁଣାଣି ନିର୍ଦ୍ଧାରିତ ସମୟସୀମା ଭିତରେ ଶେଷ କରିବାକୁ ନି‌େର୍ଦ୍ଦଶ ଲୋଡ଼ି ଅନୁଭବ ଏହି ଆବେଦନ ଦାଖଲ କରିଛନ୍ତି।

ଆବେଦନରେ ସେ ଦର୍ଶାଇଛନ୍ତି ଯେ ସୁପ୍ରିମକୋର୍ଟଙ୍କ ମାର୍ଚ୍ଚ ୫ର ନିର୍ଦ୍ଦେଶ ଅନୁସାରେ ଦିଲ୍ଲୀର ପଟିଆଲା ହାଉସ ଅଦାଲତରୁ କଟକ ପରିବାର ଅଦାଲତକୁ ତାଙ୍କ ଛାଡ଼ପତ୍ର ଆବେଦନ ଶୁଣାଣି ପାଇଁ ସ୍ଥାନାନ୍ତର ହୋଇଥିଲା। ମାମଲାର ତ୍ବରିତ ଶୁଣାଣି ପାଇଁ ସୁପ୍ରିମକୋର୍ଟ କହିଥିଲେ। ଏଥିସହିତ ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ମଧ୍ୟ ଛାଡ଼ପତ୍ର ମାମଲାର ଶୁଣାଣି ନିର୍ଦ୍ଦିଷ୍ଟ ସମୟସୀମା ଭିତରେ କରାଯିବା କଥା। କିନ୍ତୁ ବିଭିନ୍ନ କାରଣରୁ ଛାଡ଼ପତ୍ର ଆବେଦନର ଶୁଣାଣି ଘୁଞ୍ଚି ଚାଲିଛି। ତାରିଖ ପରେ ତାରିଖ ହୋଇ ଚାଲିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ମଧ୍ୟସ୍ଥତା ପ୍ରକ୍ରିୟା ସଂପାଦିତ ହୋଇଥିଲା। ସେତେବେଳେ କିଛି ଫଳ ମିଳି ପାରି ନଥିଲା। ମାମଲା କଟକ ସ୍ଥାନାନ୍ତର ପରେ ପୁଣି ପରିବାର ଅଦାଲତରେ ମଧ୍ୟସ୍ଥତା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମଧ୍ୟସ୍ଥତା ପ୍ରକ୍ରିୟା ପ୍ରସଂଗରେ ବର୍ଷା ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ।

ଏଥିରୁ ବର୍ଷାଙ୍କ ମଧ୍ୟସ୍ଥତା ପ୍ରକ୍ରିୟା ପ୍ରତି ଆସ୍ଥା ନଥିବା ସ୍ପଷ୍ଟ ହୋଇଥିଲା। ସେ ସବୁ ତାରିଖରେ ପରିବାର ଅଦାଲତ ଓ ମଧ୍ୟସ୍ଥତା କେନ୍ଦ୍ରରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହୁଥିବା ବେଳେ ବର୍ଷା ଅନୁପସ୍ଥିତ ରହୁଛନ୍ତି। ସମୟ ମାଗି ବର୍ଷାଙ୍କ ପକ୍ଷରୁ ପିଟିସନ୍ ଦାଖଲ କରାଯାଉଛି। ଏଭଳି ଭାବେ ପରିବାର ଅଦାଲତରେ ଛାଡପତ୍ର ଆବେଦନର ଶୁଣାଣି ଘୁଞ୍ଚି ଚାଲିଛି। ୬ ମାସ ଭିତରେ ଛାଡ଼ପତ୍ର ଆବେଦନର ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଅନୁଭବଙ୍କ ଆବେଦନରେ ଦର୍ଶାଯାଇଛି। ମାମଲାରେ ବର୍ଷା ପ୍ରିୟଦର୍ଶିନୀ ଓ କଟକ ପରିବାର ଅଦାଲତଙ୍କୁ ପକ୍ଷଭୁକ୍ତ କରାଯାଇଛି। ଅନୁଭବଙ୍କ ପକ୍ଷରୁ ଆଇନଜୀବୀ ଆଲୋକ କୁମାର ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe