ପିପିଲି: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନୂଆ ହିତାଧିକାରୀ ଚୟନ ପାଇଁ ରାଜ୍ୟରେ ଆଜି ଠାରୁ ସର୍ଭେ ଆରମ୍ଭ ହୋଇଛି। ପିପିଲି ବ୍ଲକ୍ ଯଶୁଆପୁର ପଞ୍ଚାୟତ ଅର୍ଜୁନ ସିଂହପୁର ଗ୍ରାମରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ଏହି ସର୍ଭେକୁ ବିଧିବଦ୍ଧ ଭାବେ ଆରମ୍ଭ କରିଛନ୍ତି। ନିଜର ଘରଟିଏ କରିବା ସମସ୍ତଙ୍କ ପାଇଁ ସ୍ବପ୍ନ ଥାଏ। ନୂଆ ସରକାର ଏହି ସ୍ବପ୍ନକୁ ବାସ୍ତବ କରିବାକୁ ସଂକଳ୍ପବଦ୍ଧ ବୋଲି ମନ୍ତ୍ରୀ କହିଥିଲେ। ଏହି ଅବସରରେ ୨୦୨୪-୨୫ ବର୍ଷରେ ସମ୍ପୂର୍ଣ୍ଣ ହୋଇଥିବା ଆବାସ ଯୋଜନାର ୧୦ଜଣ ହିତାଧିକାରୀଙ୍କୁ ନୂତନ ଗୃହର ଚାବି ମନ୍ତ୍ରୀ ପ୍ରଦାନ କରିଥିଲେ। ସାତଶଙ୍ଖ ମେଳଣ ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ନାଏକ କହିଥିଲେ, ରାଜ୍ୟର ସମସ୍ତ ଅଧିବାସୀଙ୍କ ପାଇଁ ପକ୍କା ଘରର ସ୍ବପ୍ନ ବାସ୍ତବ ରୂପ ନେବାକୁ ଯାଉଛି। ଏ ସରକାର ଲୋକଙ୍କ ସରକାର। ସରକାର ଆବାସ ଯୋଜନା-୨୦୨୪ ନାମରେ ଏକ ଆପ୍ ବ୍ୟବସ୍ଥା କରିଛନ୍ତି। ଏହାକୁ ହିତାଧିକାରୀ ଉପଯୋଗ କରି ଆବେଦନ କରିପାରିବେ। ୧୪ ହଜାର ଅଧିକାରୀ ଓ କର୍ମଚାରୀ ଏହି ସର୍ଭେ କାର୍ଯ୍ୟ ତଦାରଖ କରିବେ। ଏ ନେଇ ତାଲିମ ପ୍ରକ୍ରିୟା ସରିଛି। କୌଣସି କ୍ଷେତ୍ରରେ ଅବହେଳା ବା ସର୍ଭେରେ ତ୍ରୁଟି ଦେଖାଦେଲେ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସର୍ଭେ ରିପୋର୍ଟର ଉପଯୁକ୍ତ ତଦନ୍ତ ପରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ଯୋଗାଇବାର ବ୍ୟବସ୍ଥା କରାଯିବ। ହିତାଧିକାରୀ ଦୁଇପ୍ରକାର ଘର ପାଇବେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ଓ ଏଥିରୁ ବଞ୍ଚିତ ରହୁଥିବା ବା ବିପର୍ଯ୍ୟୟ ସମୟରେ କ୍ଷତିଗ୍ରସ୍ତ ଲୋକଙ୍କୁ ଅନ୍ତୋଦୟ ଗୃହ ଯୋଜନାରେ ଗୃହ ଯୋଗାଇ ଦିଆଯିବ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ଚୟନ ସର୍ଭେ ଆରମ୍ଭ
ସର୍ଭେରେ ୧୪ହଜାର ଅଧିକାରୀ ଓ କର୍ମଚାରୀ
କଣାସ ଝାଡ଼ାବାନ୍ତି ଉପରେ ଶ୍ରୀ ନାଏକ କହିଛନ୍ତି, ଗଙ୍ଗୁଆ ନଈରେ ଫିଲ୍ଟର୍ ପ୍ଲାଣ୍ଟ କରାଯାଇ କଣାସ ଓ ପିପିଲିର ବିଭିନ୍ନ ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ
ଯୋଗାଇ ଦିଆଯିବ। ପୁରୀ ସାଂସଦ ଡା. ସମ୍ବିତ ପାତ୍ର କହିଛନ୍ତି, ଆବାସ ଯୋଜନାରୁ ବଞ୍ଚିତ ପ୍ରତ୍ୟେକ ହିତାଧିକାରୀଙ୍କ ମୁହଁରେ ହସ ଫୁଟାଇବାକୁ ଆଜିଠାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ସର୍ଭେର ଶୁଭାରମ୍ଭ ହୋଇଛି। ନିଜେ ଯୋଗ୍ୟ ହିତାଧିକାରୀ ମଧ୍ୟ ଆବାସ ଆପ୍ ମାଧ୍ୟମରେ ଘର ପାଇଁ ଆବେଦନ କରିପାରିବେ। ଆବେଦନ ପାଇଁ ପୂର୍ବ ତୁଳନାରେ ଅଧିକ ସହଜ ପ୍ରକ୍ରିୟା କରାଯାଇଛି ବୋଲି ସେ କହିଥିଲେ। ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ କହିଥିଲେ, ଦଳମତ ନିର୍ବିଶେଷରେ ପ୍ରତ୍ୟେକଙ୍କୁ ଆବାସ ଯୋଗାଇ ଦିଆଯିବ। ତେଣୁ ସରକାର, ପ୍ରଶାସନ ଓ ସାଧାରଣ ଜନତାଙ୍କ ମଧ୍ୟରେ ସମନ୍ବୟ ରଖି କାର୍ଯ୍ୟ କରିବାକୁ ସେ ଆହ୍ବାନ ଦେଇଥିଲେ। ପାନୀୟ ଜଳର ସୁବ୍ୟବସ୍ଥା କରିବା ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଉଛି ବୋଲି ସେ କହିଥିଲେ।
ଏଥିରେ ସତ୍ୟବାଦୀ ବିଧାୟକ ଓମ୍ପ୍ରକାଶ ମିଶ୍ର, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସଚିବ ଏସ୍ ଏନ୍ ଗିରିଶ, ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ ଦାସ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଉପନିର୍ଦ୍ଦେଶକ କୁଳମଣି ମିଶ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜୀବ କୁମାର ବେହେରାଙ୍କ ସମେତ ଜିଲ୍ଲାର ସମସ୍ତ ବିଡିଓ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
Follow Us