ମଉଳିଗଲା ଅନ୍ତର୍ଜାତୀୟ ଆଥଲେଟ୍‌ଙ୍କ ସ୍ବପ୍ନ: ଅର୍ଥାଭାବରୁ ଯୁକ୍ତତିନି ପାଠପଢ଼ା ଅଧାରୁ ବନ୍ଦ

Advertisment

ଦୁର୍ଗମ ଜଙ୍ଗଲଘେରା ଗାଁ’ରେ ବିତୁଛି ରାଜେଶ୍ବରୀଙ୍କ ଜୀବନ

ଦୁର୍ଗମ ଜଙ୍ଗଲଘେରା ଗାଁ’ରେ ବିତୁଛି ରାଜେଶ୍ବରୀଙ୍କ ଜୀବନ

ମଉଳିଗଲା ଅନ୍ତର୍ଜାତୀୟ ଆଥଲେଟ୍‌ଙ୍କ ସ୍ବପ୍ନ: ଅର୍ଥାଭାବରୁ ଯୁକ୍ତତିନି ପାଠପଢ଼ା ଅଧାରୁ ବନ୍ଦ

ରା.ଉଦୟଗିରି: ଗଜପତି ଜିଲ୍ଲା ରାମଗିରି ଥାନା ଅନ୍ତର୍ଗତ ଦୁର୍ଗମ ସୁବଲଡ଼ା ପଞ୍ଚାୟତ ଗମାଙ୍ଗସାହିର ଝିଅ ରାଜେଶ୍ୱରୀ ଗମାଙ୍ଗ। ରାଜେଶ୍ୱରୀଙ୍କ ପାଇଁ ତାଙ୍କ ବାପା ସୁବନା ଗମାଙ୍ଗ ବହୁ ସ୍ୱପ୍ନ ଦେଖିଥିଲେ। ପ୍ରାଥମିକ ଶିକ୍ଷା ପରେ ଝିଅକୁ ଭୁବନେଶ୍ବର କିସ୍‌ ଶିକ୍ଷାନୁଷ୍ଠାନରେ ପଢ଼ାଇଥିଲେ। ହେଲେ କିସ୍‌ରେ ଷଷ୍ଠ ଶ୍ରେଣୀରୁ ଆରମ୍ଭ ହୋଇଥିବା ଶିକ୍ଷା ଅର୍ଥାଭାବରୁ ଯୁକ୍ତତିନି ଦ୍ବିତୀୟ ବର୍ଷରେ ଅଟକି ଯାଇଥିଲା। ଶିକ୍ଷା ଗ୍ରହଣ ସମୟରେ ରାଜେଶ୍ୱରୀ କିସ୍‌ କଲେଜ ପକ୍ଷରୁ ରାଜ୍ୟ ପାଇଁ ବହୁବାର ପ୍ରତିନିଧିତ୍ୱ କରିଛନ୍ତି। ପ୍ରଥମେ ହକିରୁ ଆରମ୍ଭ ଆଗ୍ରହ ପରେ ଫୁଟବଲ୍‌ ଓ ଶେଷରେ କୋଚ୍‌ଙ୍କ ପରାମର୍ଶ କ୍ରମେ କେବଳ ଆଥ୍‌ଲେଟିକ୍ସରେ ରାଜେଶ୍ୱରୀ ମନୋନିବେଶ କରିଥିଲେ। ୨୦୦ ମିଟର ୪୦୦ ମିଟରରେ ପାରଦର୍ଶିତା ହାସଲ ପରେ ଗୁଜରାଟ ଏବଂ ନୂଆଦିଲ୍ଲୀ ମିଟ୍‌ ପାଇଁ ସେ ମନୋନୀତ ହୋଇଥିଲେ। ଉଭୟ ସ୍ଥାନରେ ପ୍ରଥମ ସ୍ଥାନ ହାସଲ ପରେ ୨୦୧୪ ଲଣ୍ଡନ ଆଥଲେଟିକ୍‌ ମିଟ୍‌କୁ ମନୋନୀତ ହୋଇଥିଲେ।

ପ୍ରଥମ ଥର ପାଇଁ ଉଡ଼ାଜାହାଜରେ ବସି ଲଣ୍ଡନ ଯାତ୍ରା କରିବା ସମୟରେ ଆଥଲେଟିକ୍‌ ସାର୍ଟିଫିକେଟ୍‌ ବଳରେ ଆର୍ମିରେ ଯୋଗ ଦେବେ ବୋଲି ଏହି ଅନ୍ତର୍ଜାତୀୟ ଆଥ୍‌ଲେଟ୍‌ ସ୍ୱପ୍ନ ଦେଖିଥିଲେ। ଆଉ ସେଥିପାଇଁ ଇଣ୍ଟରଭ୍ୟୁ ମଧ୍ୟ ଦେଇଥିଲେ। ଏପରିକି ଜେଲ୍‌ଗାର୍ଡ଼ ପଦବି ପାଇଁ ମଧ୍ୟ ସେ ଆବେଦନ କରିଥିଲେ। ତେବେ ସେ ହାସଲ କରିଥିବା ମାଳ ମାଳ କ୍ରୀଡ଼ା ସାର୍ଟିଫିକେଟ ତାଙ୍କର କୌଣସି କାମରେ ଆସିନଥିଲା। ସବୁଠାରେ ସେ ପ୍ରତ୍ୟାଖ୍ୟାତ ହୋଇଥିଲେ। ନିରାଶ ହୋଇ ଭାଙ୍ଗି ପଡ଼ୁଥିବା ସମୟରେ ଘରୁ ଡକରା ପାଇଥିଲେ। ଏହା ପର ଠାରୁ ସେ ଯୁକ୍ତ ୩ରେ ପଢ଼ା ସାରିବା ପାଇଁ ଆଉ କଲେଜକୁ ଫେରି ନଥିଲେ। ଅର୍ଥାଭାବରୁ ବାପା ପଢ଼ାଇବା ବଦଳ‌ରେ ରାଜେଶ୍ୱରୀଙ୍କ ଅଚାନକ ବାହାଘର କରି ଦେଇଥିଲେ।

ବାହାଘର ପରେ ସେ ବଣଜଙ୍ଗଲ ଘେରା ନୂଆଗଡ଼ ବ୍ଲକ୍‌ ଲିୟବ ଗ୍ରାମକୁ ଚାଲି ଯାଇଥିଲେ। ଏଠାରେ ରହିବା ପରେ ତାଙ୍କ ପାଇଁ ଆଗକୁ ସବୁ ସୁଯୋଗ ବନ୍ଦ ହୋଇଯାଇଥିଲା। ସେ ଏବେ ଏକ ବର୍ଷର ଶିଶୁକନ୍ୟାର ଜନନୀ। କଥା ହେବାବେଳେ ଜଣା ପଡ଼ିଥିଲା; ଏ ପର୍ଯ୍ୟନ୍ତ କ୍ରୀଡ଼ାବିତ୍‌ ହେବା ଆଶା ତାଙ୍କ ମନରୁ ଯାଇନି। ସମସ୍ତ ଯୋଗ୍ୟତା ସତ୍ତ୍ବେ ସେ ବଣଜଙ୍ଗଲ ଭିତରେ ବଣମଲ୍ଲୀ ଝଡ଼ିପଡ଼ିଲା ଭଳି ଝଡ଼ି ପଡ଼ିଛନ୍ତି। କିସ୍‌ ଅନୁଷ୍ଠାନରୁ ଦେଖିଥିବା ସ୍ୱପ୍ନ କେବେ ପୂରଣ ହେବ କି ନା ସେ ଜାଣନ୍ତିନି। ହେଲେ ଅନ୍ତର୍ଜାତୀୟ ସ୍ତରରେ ଖେଳି ପାଇଥିବା ସାର୍ଟିଫିକେଟ୍‌ଗୁଡ଼ିକ କେଉଁ କାମର ଲାଗିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe