ଶ୍ରାବଣରେ ଶୁଖିଲା ଚିରସ୍ରୋତା ଭାଷ୍କେଲ: ଜଳବାୟୁ ପରିବର୍ତ୍ତନର ସାଂଘାତିକ ପ୍ରଭାବ

Advertisment
ଶ୍ରାବଣରେ ଶୁଖିଲା ଚିରସ୍ରୋତା ଭାଷ୍କେଲ: ଜଳବାୟୁ ପରିବର୍ତ୍ତନର ସାଂଘାତିକ ପ୍ରଭାବ

ନବରଙ୍ଗପୁର: ଶ୍ରାବଣ ସରିବ କିନ୍ତୁ ଶୁଖିଲା ପଡ଼ିଛି ଚିରସ୍ରୋତା ଭାଷ୍କେଲ। ୫ବର୍ଷ ହେଲା ନଦୀରେ ବନ୍ୟାଜଳ ସୁଦ୍ଧା ପଶିନି। ୮ବର୍ଷ ହେଲା ଗ୍ରୀଷ୍ମରେ ସଂପୂର୍ଣ୍ଣ ଶୁଖିଯାଉଛି। ଜଳବାୟୁ ପରିବର୍ତ୍ତନର ଏମିତି ସାଂଘାତିକ ପରିଣାମ ବର୍ତ୍ତମାନ ଭାଷ୍କେଲ ନଦୀ ଭୋଗୁଛି। ଯାହାଫଳରେ ନଈକୂଳିଆ ଅଞ୍ଚଳରେ ଜଳ ସଂକଟ ସହ ଚାଷ ମଧ୍ୟ ପ୍ରଭାବିତ ହେଉଛି।

ଉମରକୋଟ ବ୍ଲକ କୋପେନା ପଞ୍ଚାୟତ ଅନ୍ତର୍ଗତ ଆପେମୁଣ୍ଡା ଭାଷ୍କେଲ ନଦୀର ଉତ୍ପତ୍ତିସ୍ଥଳ। ଡାବୁଗାଁ ବ୍ଲକ ଦେଇ କୋଷାଗୁମୁଡା ବ୍ଲକ ଉକିଆପଲ୍ଲି ପଞ୍ଚାୟତ ଘାଟବାସୁଲି ଠାରେ ଇନ୍ଦ୍ରାବତୀ ନଦୀରେ ମିଶିଛି। ପ୍ରାୟ ୭୦କିଲୋମିଟର ନବରଙ୍ଗପୁର ଜିଲ୍ଲାରେ ଅତିକ୍ରମ କରୁଛି। ୧୦ବର୍ଷ ତଳେ ଭାଷ୍କେଲ ପାଣି ଉଛୁଳି କୂଳ ଲଂଘୁଥିଲା। ଜୁଲାଇ ମାସରେ ନଦୀ ଫୁଲିଯିବା ସହ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ୩ରୁ ୪ଥର ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିଲା। ଚଳିତବର୍ଷ ଶ୍ରାବଣ ମାସରେ ଯାହା ଜଳସ୍ତର ରହିଛି ନଦୀର ଅସ୍ତିତ୍ବ ପ୍ରତି ସଂକଟ ସୃଷ୍ଟି କରିଛି। ୪ବର୍ଷ ହେଲା ନଦୀର ଧାରା କୂଳ ଛୁଇଁପାରୁନି ବୋଲି ଧୋଡ୍ରା ଗ୍ରାମବାସୀ କହିଛନ୍ତି। ଅନେକ ଅଞ୍ଚଳ ଟାଙ୍ଗରା ଭୂଇଁରେ ପରିଣତ ହୋଇସାରିଥିବା ପ୍ରକାଶ କରିଛନ୍ତି। ନଦୀ ପାର୍ଶ୍ବ ସବୁଜିମା ମଧ୍ୟ ଯଥେଷ୍ଟ ହ୍ରାସ ପାଇଛି।

ନବରଙ୍ଗପୁର ଜିଲ୍ଲାର ଦ୍ବିତୀୟ ଜୀବନରେଖା ଏମିତି ରୂପ ପରିବର୍ତ୍ତନ ପଛର ଅନେକ କାରଣ ମଧ୍ୟରୁ ସ୍ବଳ୍ପବୃଷ୍ଟି ପ୍ରମୁଖ। ଜିଲ୍ଲାର ମୋଟ ଜମିର ୫୦ପ୍ରତିଶତ ଜଙ୍ଗଲ ସଂପଦ। ତେବେ କିଛି ବର୍ଷ ହେଲା ଜବରଦଖଲ ଏବଂ ଜଙ୍ଗଲ ଜମି ଅଧିକାରରେ ମିଳୁଥିବା ପଟ୍ଟା ଯୋଗୁଁ ଘଞ୍ଚ ଜଙ୍ଗଲ ପଦା ହେବାରେ ଲାଗିଛି। ସରକାରୀ ରିପୋର୍ଟ ଅନୁଯାୟୀ କେବଳ ବନ ବିଭାଗର ୩୦ହଜାର ହେକ୍ଟର ଜଙ୍ଗଲ ଜମି ଜବରଦଖଲରେ ରହିଛି। ଗ୍ରାମ୍ୟ ଜଙ୍ଗଲ ଜବରଦଖଲ ନେଇ କୌଣସି ହିସାବ ଏଯାଏ ହୋଇନି। ତେଣୁ ପାଣିପାଗରେ ଆସିଥିବା ଫରକ ଯୋଗୁଁ ଶ୍ରାବଣରେ ବି ବର୍ଷା କମିବାରେ ଲାଗିଛି। ସେହିପରି ବ୍ୟାପକ ନୀଳଗିରି ଚାଷ ଯୋଗୁଁ ଭୂତଳ ଜଳସ୍ତର ଦ୍ରୁତଗତିରେ ହ୍ରାସ ପାଉଛି। ତଥାପି ନଦୀକୁ ଜୀବିତ ରଖିବାକୁ ସରକାରୀସ୍ତରରେ ଠୋସ୍‌ ପଦକ୍ଷେପ ନିଆଯାଇନି। ବର୍ଷା ଦିନେ ବୋହି ଯାଉଥିବା ପାଣିକୁ ଗଚ୍ଛିତ ରଖିବାକୁ ଉପରମୁଣ୍ଡରେ ବ୍ୟାରେଜ୍‌ ନିର୍ମାଣ ହୋଇପାରୁନି। ବର୍ଷ ସାରା ଯାହା ପାଣି ପ୍ରବାହିତ ହେଉଛି ସେଥିରୁ ଅଧିକାଂଶ ଛତିଶଗଡ଼କୁ ଚାଲିଯାଉଛି। ନଦୀର ସୁରକ୍ଷା ଲାଗି ବନ୍ଧ ବାନ୍ଧିବା ସହ କୂଳରେ ବ୍ୟାପକ ବୃକ୍ଷରୋପଣ କରିବାକୁ ପରିବେଶବିତ୍‌ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe