ଶୁଖିଗଲା ଚିରସ୍ରୋତା ବଉଳି ନାଳ

Advertisment
ଶୁଖିଗଲା ଚିରସ୍ରୋତା ବଉଳି ନାଳ

ଅନୁଗୁଳ: ଅନୁଗୁଳ ବ୍ଲକ ବନ୍ତଳା ଅଞ୍ଚଳରେ ଚାଷୀଙ୍କ ଜୀବନରେଖା କୁହାଯାଉଥିବା ବଉଳି ନାଳ ଏବେ ଶୁଖିଲା ପଡ଼ିଛି। ବଣ ପାହାଡ଼ ଘେରା ବଲଙ୍ଗ ପଞ୍ଚାୟତରୁ ବାହାରିଛି ଏହି ପ୍ରାକୃତିକ ନାଳ। ଦିନ ଥିଲା ପ୍ରକୃତିର ଏହି ବରଦାନ ବାଉଳି ନାଳରେ କେବଳ ବର୍ଷା ଦିନରେ ନୁହେଁ ବରଂ ଗ୍ରୀଷ୍ମ ଦିନରେ ମଧ୍ୟ ପ୍ରବଳ ଜଳ ପ୍ରବାହିତ ହେଉଥିଲା। ସେଥିପାଇଁ ଏହି ନାଳ କୂଳରେ ଥିବା ଚାଷ ଜମିଗୁଡ଼ିକରେ ସବୁବେଳେ ବିଭିନ୍ନ ପ୍ରକାର ଚାଷ ହୋଇ ଆସୁଥିଲା। ଚଳିତ ବର୍ଷ ଏମିତି କ’ଣ ହେଲା କେଜାଣି ବଉଳି ସଂପୂର୍ଣ୍ଣ ଶୁଖିଯାଛି! ଯାହା ପରିବେଶବିତ୍‌ଙ୍କ ଚିନ୍ତାର କାରଣ ସାଜିଛି।

ଅନୁଗୁଳସ୍ଥିତ ସାତକୋଶିଆ ଅଭୟାରଣ୍ୟରେ ଥିବା ବଲଙ୍ଗ ଅଞ୍ଚଳରୁ ବାହାରିଛି ବଉଳି ନାଳ। ପରେ ନନ୍ଦପୁର, ପୋକତୁଙ୍ଗା, ଶଙ୍ଖପୁର, ତଳଗଡ଼, ଇଙ୍କରବନ୍ଧ ଆଦି ପଞ୍ଚାୟତ ଦେଇ ବଅଁରପାଳ ବ୍ଲକ ଫୁଲପଡ଼ା ପଞ୍ଚାୟତରେ ଥିବା ଲିଙ୍ଗରା ନାଳରେ ମିଶିଛି। ସେଠାରୁ ଢେଙ୍କାନାଳ ଜିଲ୍ଲାର ମେରାମଣ୍ଡଳୀ ନିକଟରେ ବ୍ରାହ୍ମଣୀ ନଦୀରେ ବିଲୀନ ହୋଇଛି। ଏହି ଚିରସ୍ରୋତା ବଉଳି ନାଳ ପାଇଁ ଅନୁଗୁଳ ବ୍ଲକର ବନ୍ତଳା ଅଞ୍ଚଳ ସମେତ ବଅଁରପାଳ ବ୍ଲକର କେତେକ ଗାଁରେ ଚାଷ ଜମିରେ ସୁନାର ଫସଲ ଫଳୁଥିଲା। ଚାଷୀମାନେ ଏହି ନଳ ଯୋଗୁଁ ବର୍ଷସାରା ବିଭିନ୍ନ ଚାଷ କରୁଥିଲେ। ଏହି ନାଳ ଉପରେ ପ୍ରାୟ ହଜାରେରୁ ଅଧିକ ଚାଷୀ ନିର୍ଭର କରି ଶହ ଶହ ହେକ୍ଟର ଜମିରେ ଖରାଦିନିଆ ପୋଟଳ, ବିଲାତି ବାଇଗଣ, କାକୁଡ଼ି, ଜହ୍ନି ଇତ୍ୟାଦି ଚାଷ କରୁଥିଲେ। ଖାଲି ସେତିକି ନୁହେଁ, ବନ୍ୟ ଜୀବଜନ୍ତୁ ଓ ଗୃହପାଳିତ ପଶୁମାନେ ଏହି ନାଳରୁ ପାଣି ପିଇ ଶୋଷ ମେଣ୍ଟାଉଥିଲେ।

ଏବେ କିନ୍ତୁ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏହି ନାଳ ଉପରେ ପଡ଼ିଛି। ଫଳରେ ଏହି ପ୍ରାକୃତିକ ନାଳ ତାର ସତ୍ତା ହରାଇବାକୁ ବସିଛି। ବଉଳିକୁ ପୁନରୁଦ୍ଧାର କରାଯାଉ ନଥିବାରୁ ଏହା ପୋତି ହେବାକୁ ବସିଲାଣି। ସେହିପରି ଏହାର ଉତ୍ପତ୍ତିସ୍ଥଳରୁ ଅନ୍ୟ ବର୍ଷ ତୁଳନାରେ ଚଳିତ ବର୍ଷ ପାଣି ମଧ୍ୟ ନିର୍ଗତ ହେଉନାହିଁ। ଏହାର ସିଧା ପ୍ରଭାବ ଚାଷୀଙ୍କ ଉପରେ ପଡ଼ିଛି। ବର୍ଷ ବର୍ଷ ଧରି ଏହି ନାଳ ପାଇଁ ଚାଷୀମାନେ ଚାଷ କରି ନିଜର ଗୁଜୁରାଣ ମେଣ୍ଟାଉଥିବା ବେଳେ ଚଳିତ ବର୍ଷ ଏହା ଶୁଖିଲା ପଡ଼ିଥିବାରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି। ଏହା ଜଳବାୟୁ ପରିବର୍ତ୍ତନର ଏକ ବଡ଼ ଆଭାସ ବୋଲି ପରିବେଶବିତ୍‌ମାନେ ମତ ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe