ନିଷିଦ୍ଧାଞ୍ଚଳରେ ଉଡ଼ିଲା ଡ୍ରୋନ୍‌

ନିଷିଦ୍ଧାଞ୍ଚଳରେ ଉଡ଼ିଲା ଡ୍ରୋନ୍‌

ପୁରୀ:‌ ଶ୍ରୀମନ୍ଦିର ସୁରକ୍ଷାରେ ବାରମ୍ବାର ଘଳିଆ ଦେଖିବାକୁ ମିଳିଛି। କିଛିଦିନ ତଳେ ଜଣେ ଯୁବକ ନିଜ ଇନ୍‌ଷ୍ଟ୍ରାଗ୍ରାମରେ ଶ୍ରୀମନ୍ଦିର ଭିତର ବେଢ଼ା ଫଟୋ ଭାଇରାଲ୍‌ ଘଟଣା ଭକ୍ତଙ୍କ ମନରୁ ନ ଲିଭୁଣୁ, ଆଜି ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡ଼ିବାର ଭିଡିଓ ନଜରକୁ ଆସିଛି। ନିଷିଦ୍ଧାଞ୍ଚଳ( ନୋ ଫ୍ଲାଇଂ ଜୋନ୍‌) ନିୟମକୁ ଉଲ୍ଲଂଘନ କରି ସୋନୁ ମାଲି ନାମକ ଜଣେ ଯୁବକ ନିଜ ଡ୍ରୋନ୍‌ରେ ଏହି ଭିଡିଓ ଉତ୍ତୋଳନ କରି ଇନ୍‌ଷ୍ଟ୍ରାଗ୍ରାମରେ ଛାଡ଼ିଛନ୍ତି। ଏହି ଡ୍ରୋନ୍‌ ଭିଡିଓରେ ଶ୍ରୀମନ୍ଦିର ଭିତରର ସମସ୍ତ ଦୃଶ୍ୟ ସ୍ପଷ୍ଟ ଦୃଶ୍ୟମାନ ହେଉଛି। ଭିଡିଓରେ ଶ୍ରୀମନ୍ଦିର ଉତ୍ତର-ପୂର୍ବ ଐଶାନ୍ୟ କୋଣରେ ଯଜ୍ଞକୁଣ୍ଡ ସ୍ପଷ୍ଟ ଦୃଶ୍ୟମାନ ହେଉଥିବାରୁ ଜାନୁଆରି ଅବା ଫେବ୍ରୁଆରିରେ ଏହି ଡ୍ରୋନ୍‌ ଉଡ଼ାଯାଇ ଭିଡିଓ ଉତ୍ତୋଳନ କରାଯାଇଥିବା ଅନୁମାନ କରାଯାଉଛି।

ଯୁବକ ଜଣକ ବଡ଼ଦାଣ୍ଡରୁ ଏକ ଘରେ ରହି ଏହି ଭିଡିଓ ଉତ୍ତୋଳନ କରିଛନ୍ତି। ଭିଡିଓ ଦୃଶ୍ୟରୁ ଶ୍ରୀମନ୍ଦିର ପ୍ରଶାସନର ଭକ୍ତ ନିବାସ ଅବା ଏହା ପାଖ କୌଣସି ମଠ ଉପରୁ ଏହି ଭିଡିଓ ଉତ୍ତୋଳନ କରିଥିବା ଜଣାପଡ଼ୁଛି। ଯୁବକ ଜଣକ ବାନା ବଦଳା ସମୟରେ ଏହି ଡ୍ରୋନ୍‌ ଉଡ଼ାଇଛନ୍ତି। ସେ ଉତ୍ତର-ପୂର୍ବ ପାର୍ଶ୍ବ କୋଣରୁ ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡ଼ାଇ ନୀଳଚକ୍ର ଓ କୁରୁମ ବେଢ଼ାର ଭିଡିଓ ଉତ୍ତୋଳନ କରିଛନ୍ତି। ଶ୍ରୀମନ୍ଦିର ଭିତର ଦୃଶ୍ୟ ବି ଭିଡିଓ ଉତ୍ତୋଳନ କରିଛନ୍ତି। ଭିଡିଓରେ ନୂଆ ଧାଡ଼ି ବ୍ୟବସ୍ଥା ଓ ଯଜ୍ଞଶେଷ ପରର ଦୃଶ୍ୟ ଥିବାରୁ ନିକଟରେ ଏହି ଭିଡିଓ ଉତ୍ତୋଳନ କରାଯାଇଥିବା ଜଣାପଡ଼ୁଛି। ଏ ସମ୍ପର୍କରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ଗଣମାଧ୍ୟମକୁ କହିଛନ୍ତି, ଆମ ପାଖରେ ଏହି ଭିଡିଓ ନାହିଁ କି ଖବର ପହଞ୍ଚିନି। ଯଦି ନଜରକୁ ଆସେ, ଆମେ ପଦକ୍ଷେପ ନେବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe