ପୂର୍ବତଟ ମାଲବାହୀ ରେଳ କରିଡର୍‌ ଖୁବ୍‌ଶୀଘ୍ର: ଖଡ଼ଗପୁର-ବିଜୟୱାଡ଼ା ୧୧୧୫ କି.ମି. ରେଳପଥ ସଂଯୋଗ ହେବ

ଓଡ଼ିଶାର ୭ ଜିଲ୍ଲା ଦେଇ ସ୍ବତନ୍ତ୍ର ମାଲ୍‌ବାହୀ ଟ୍ରାକ୍‌, ଗଞ୍ଜାମରେ ଏରିଏଲ୍‌ ସର୍ଭେ

ପୂର୍ବତଟ ମାଲବାହୀ ରେଳ କରିଡର୍‌ ଖୁବ୍‌ଶୀଘ୍ର: ଖଡ଼ଗପୁର-ବିଜୟୱାଡ଼ା ୧୧୧୫ କି.ମି. ରେଳପଥ ସଂଯୋଗ ହେବ

Swarajya

ବ୍ରହ୍ମପୁର: କେନ୍ଦ୍ର ସରକାରଙ୍କ ତରଫରୁ ଏକ ମେଗା ରେଳ କରିଡର୍‌ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ମାଲବାହୀ ଟ୍ରେନ୍‌ ଯୋଗୁଁ ଯାତ୍ରୀବାହୀ ଟ୍ରେନ୍‌ ଯାତାୟାତରେ ଆଉ ବାଧା ସୃଷ୍ଟି ହେବ ନାହିଁ। ଏପରିକି ଯାତ୍ରୀବାହୀ ଟ୍ରେନ୍‌ ଓ ମାଲବାହୀ ଟ୍ରେନ୍‌ ପାଇଁ ଭିନ୍ନ ଭିନ୍ନ ଟ୍ରାକ୍‌ ରହିବ। ଫଳରେ ଉଭୟ ଟ୍ରେନ୍‌ ଠିକଣା ସମୟରେ ନିଜର ଗନ୍ତବ୍ୟସ୍ଥଳକୁ ପହଞ୍ଚି ପାରିବେ। ଏଥିପାଇଁ ରେଳ ମନ୍ତ୍ରଣାଳୟ ତରଫରୁ ପୂର୍ବତଟ ମାଲବାହୀ ରେଳ କରିଡ଼ର୍‌ ଆରମ୍ଭ ହେବାକୁ ଯାଉଛି। ଏହା ପଞ୍ଚିମବଙ୍ଗର ଖଡ଼ଗପୁର ଜଙ୍କ୍‌ସନ୍‌ ଠାରୁ ଆନ୍ଧ୍ରର ବିଜୟୱାଡ଼ାକୁ ସଂଯୋଗ କରିବ। ଏହାର ଲମ୍ବ ୧୧୧୫ କି.ମି. ରହିବ ବୋଲି ଜଣ‌ାପଡ଼ିଛି। ବର୍ତ୍ତମାନ ଏହି ମେଗା ପ୍ରକଳ୍ପ ପାଇଁ ଗଞ୍ଜାମ ଜିଲ୍ଲାରେ କେନ୍ଦ୍ରୀୟ ବୈଷୟିକ ଟିମ୍‌ ପକ୍ଷରୁ ଏରିଏଲ୍‌ ସର୍ଭେ ଜାରି ରହିଛି।

ରେଳବାଇର ବିକାଶକୁ ସରକାର ଗୁରୁତ୍ବ ଦେଉଛନ୍ତି। ସହଜ ଓ ସୁବିଧାରେ ଯାତ୍ରାକୁ ପ୍ରାଥମିକତା ଦେଉଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ୨୦୧୯ ରେଳ ବଜେଟ୍‌ରେ ନୂତନ ମାଲବାହୀ ରେଳ କରିଡ଼ର୍‌ ନିର୍ମାଣ ପାଇଁ ପ୍ରସ୍ତାବ ସ୍ଥାନିତ ହୋଇଥିଲା। ଏହି ପ୍ରସ୍ତାବ କ୍ରମେ ରେଳ ବିଭାଗର ଉଦ୍ୟୋଗ ଡେଡିକେଟେଡ୍‌ ଫ୍ରେଟ୍‌ କରିଡ଼ର୍ କର୍ପୋରେସନ୍‌
(ଡିଏଫ୍‌ସିସି) ତରଫରୁ ପୂର୍ବତଟ ରେଳ କରିଡ଼ର୍‌ ପାଇଁ ସର୍ଭେ ଆରମ୍ଭ ହୋଇଛି। ଏହି ସର୍ଭେ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଏକ ୩ଜଣିଆ ବୈଷୟିକ ପ୍ରତିନିଧି ଦଳ ଗତ ୩ଦିନ ଧରି ଗଞ୍ଜାମ ଜିଲ୍ଲାରେ ଆକାଶମାର୍ଗରୁ ସର୍ଭେ ଚଳାଇଛନ୍ତି। ଏହି ଅଧିକାରୀମାନେ ହେଲିକପ୍ଟର୍‌ରେ ଏରିଏଲ୍‌ ସର୍ଭେ କରିଛନ୍ତି। ଏରିଏଲ୍‌ ସର୍ଭେ ସରିବା ପରେ ଫାଇନାଲ୍‌ ଲୋକେସନ୍‌ ସର୍ଭେ କାମ ଆରମ୍ଭ ହେବ। ଏହା ପରେ ଏହି ମେଗା ପ୍ରକଳ୍ପ ପାଇଁ ଡିଟେଲ୍‌ ପ୍ରୋଜେକ୍ଟ୍‌ ରିପୋର୍ଟ(ଡିପିଆର୍‌) ପ୍ରସ୍ତୁତ କରି ରେଳ ମନ୍ତ୍ରଣାଳୟ ନିକଟରେ ଅନ‌ୁମୋଦନ ପାଇଁ ଦାଖଲ ହେବ। ତାହା ମଂଜୁର ହେବା ପରେ ଜମି ଅଧିଗ୍ରହଣ ଓ ରେଳଲାଇନ୍‌ ସଂଯୋଗ କାମ ଆରମ୍ଭ ହେବ ବୋଲି ସୂଚନା ମିଳିଛି।

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରର ଆଇନଜୀବୀ ତଥା ସୂଚନା ଅଧିକାର କର୍ମୀ ବି. ଶଙ୍କର ପାତ୍ରଙ୍କ ହସ୍ତଗତ ଆର୍‌ଟିଆଇ ତଥ୍ୟରୁ ଏହା ଜଣାପଡ଼ିଛି। ଶ୍ରୀ ପାତ୍ରଙ୍କ ହସ୍ତଗତ ସୂଚନାରୁ ଜଣାପଡ଼ିଛି ଯେ ଏହି ପ୍ରକଳ୍ପରେ ଓଡ଼ିଶାର ୭ଟି ଜିଲ୍ଲା ଯଥା ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ ଏବଂ ଗଞ୍ଜାମ ଜିଲ୍ଲା ସାମିଲ୍‌ ହେବ। ପଶ୍ଚିମବଙ୍ଗର ପଶ୍ଚିମ ‌ମେଦିନିପୁରରୁ ଆରମ୍ଭ ହୋଇ ଓଡ଼ିଶା ଦେଇ ଏହି ରେଳ କରିଡ଼ର୍‌ ଆନ୍ଧ୍ର ପ୍ରଦେଶ ବିଜୟୱାଡ଼ାକୁ ସଂଯୋଗ ହେବ। ଏହି ନୂତନ ମାଲବାହୀ ରେଳ କରିଡ଼ର୍‌ ପାଇଁ ସମ୍ପୂର୍ଣ୍ଣ ଭାବେ ନୂତନ ରେଳ ଟ୍ରାକ୍‌ ଓ ଆନୁଷଙ୍ଗିକ ଭିତ୍ତିଭୂମି ତିଆରି ହେବ। ବର୍ତ୍ତମାନ ରହିଥିବା ରେଳପଥ ସହିତ ଏହାର କୌଣସି ସଂପର୍କ ରହିବ ନାହିଁ। କେବଳ ମାଲବାହୀ ଟ୍ରେନ୍‌ ଯିବା ପାଇଁ ପୂର୍ବତଟ ମାଲବାହୀ ରେଳ କରିଡ଼ର୍‌ ତିଆରି ହେବ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ଖଡ଼ଗପୁରରୁ ବିଜୟୱାଡ଼ା ପର୍ଯ୍ୟନ୍ତ ଯାତ୍ରୀବାହୀ ଟ୍ରେନ୍‌ ଯାତାୟାତରେ ବେଶ୍‌ ସୁବିଧା ହେବ ବୋଲି ଶ୍ରୀ ପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe