ବୃଦ୍ଧ ଦମ୍ପତିଙ୍କୁ ମାଡ଼ ମାରି ଲକ୍ଷାଧିକ ଟଙ୍କା, ସୁନା ଅଳଙ୍କାର ଲୁଟିନେଲେ

ସହରରେ ଡକାୟତି ଗ୍ୟାଙ୍ଗର ଆତଙ୍କରାଜ

ବୃଦ୍ଧ ଦମ୍ପତିଙ୍କୁ ମାଡ଼ ମାରି ଲକ୍ଷାଧିକ ଟଙ୍କା, ସୁନା ଅଳଙ୍କାର ଲୁଟିନେଲେ

ସମ୍ବଲପୁର: ସମ୍ବଲପୁର ସହରରେ ଆଇନ ଶୃଙ୍ଖଳା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଆଗକୁ ଶୀତଳଷଷ୍ଠୀ ଆସିବାକୁ ଥିବା ବେଳେ ଏବେଠାରୁ ଅପରାଧୀମାନେ ଆତଙ୍କରାଜ୍‌ ଆରମ୍ଭ କରିଦେଲେଣି। ଗୋଟିଏପଟେ ଶୀତଳଷଷ୍ଠୀ ପାଇଁ ପୁଲିସ ବିଭାଗ ଫ୍ଲାଗ୍‌ ମାର୍ଚ କରୁଛି, ଅନ୍ୟପଟେ ଧନୁପାଲି ଥାନା ସମ୍ବଲପୁର ସିଟି ଷ୍ଟେସନ୍‌ ନିକଟରୁ ବୃଦ୍ଧ ଦମ୍ପତିଙ୍କୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଓ ସୁନା ଚେନ୍‌ ଲୁଟ୍‌ ହୋଇଛି। ଦିନ ଦ୍ବିପହରେ ୭ରୁ ଅଧିକ ଡକାୟତ ଘରେ ପଶି ବୃଦ୍ଧ ଦମ୍ପତ୍ତିଙ୍କ ମାଡ଼ ମାରିବା ସହ ଖୋଲାଖୋଲି ଲୁଟ୍‌ କରିବା ଘଟଣା ଏବେ ସମ୍ବଲପୁରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ୨ଟା ୪୫ ସମୟରେ ତାଙ୍କ ଦୋକାନ ଭିତରକୁ ଦୁର୍ବୃତ୍ତମାନେ ପଶିଥିଲେ। ତାପରେ ଶ୍ୟାମସୁନ୍ଦର ଡାଲମିଆଙ୍କୁ ମାଡ଼ ମାରିବା ସହ ହାତ ଗୋଡ଼ ବାନ୍ଧି ଗୋଟିଏ କଣରେ ପକାଇ ଦେଇଥିଲେ। ତାପରେ ତାଙ୍କ ସ୍ତ୍ରୀ ସରୋଜ ଡାଲମିଆଙ୍କୁ ମଧ୍ୟ ମାଡ଼ ମାରି ହାତଗୋଡ଼ ବାନ୍ଧି ପକାଇ ଦେବା ସହ ସେ ପିନ୍ଧିଥିବା ସୁନା ହାରକୁ ନେଇ ଯାଇଥିଲେ। ତାପରେ ଘର ଭିତରେ ପଶି ଦୁର୍ବୃତ୍ତମାନେ ଟଙ୍କା ଓ ଅଳଙ୍କାର ଖୋଜିଥିଲେ। ଜିନିଷପତ୍ର ଛାରଖାର କରିଦେବା ସହ ଘର ଭିତରୁ ୧ ଲକ୍ଷ ୧୦ ହଜାର ଟଙ୍କା ଓ ବିଭିନ୍ନ ସାମଗ୍ରୀ ଧରି ଦୁର୍ବୃତ୍ତମାନେ ଫେରାର୍‌ ହୋଇଯାଇଥିଲେ।

ଶ୍ୟାମଙ୍କ ପୁଅ ତିଳକ ଡାଲମିଆଙ୍କ କହିବା ଅନୁଯାୟୀ, ପାଖାପାଖି ୩ଟା ବେଳେ ଜଣେ କେହି ତାଙ୍କ ରୁମ୍‌ କବାଟ ଖୋଲି ଭିତରକୁ ପଶିଥିଲା। କଣ ହେଲା ବୋଲି ପଚାରିବାରୁ ସେ କିଛି ନ କହି ଦୌଡି ପଳାଇଲା। ତଳକୁ ଆସି ଦେଖିବା ବେଳକୁ ତାଙ୍କ ମାଆଙ୍କ ହାତ ଗୋଡ଼ ବନ୍ଧାଯାଇଥିଲା। ବାପାଙ୍କୁ ଖୋଜିଥିଲେ କିନ୍ତୁ ପାଇ ନଥିଲେ। ଖୋଜାଖୋଜି ପରେ ଗୋଟିଏ କଣରୁ ତାଙ୍କ ବାପାଙ୍କୁ ସମାନ ଅବସ୍ଥାରେ ପାଇଥିଲେ। ଉଭୟଙ୍କୁ ଦୁର୍ବୃତ୍ତମାନେ ପ୍ରବଳ ମାଡ଼ ମାରିବା ସହ ସେମାନଙ୍କ ହାତଗୋଡ଼ ବାନ୍ଧି ପକାଇ ଦେଇଥିଲେ। ଆଉ ଲୁଟ୍‌ କରି ଚାଲି ଯାଇଥିଲେ। ସୂଚନା ପାଇ ଧନୁପାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe