ଅଲ୍‌ ଓଡ଼ିଶା ବସ୍‌ ଓନର୍ସ ଆସୋସିଏସନ୍‌ର ଅଭିଯୋଗ: ବାକିଆ ଭଡ଼ା ଦେଉନି ନିର୍ବାଚନ କମିସନ୍‌

Advertisment

ଆଜି ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା

ଆଜି ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା

ଅଲ୍‌ ଓଡ଼ିଶା ବସ୍‌ ଓନର୍ସ ଆସୋସିଏସନ୍‌ର ଅଭିଯୋଗ: ବାକିଆ ଭଡ଼ା ଦେଉନି ନିର୍ବାଚନ କମିସନ୍‌

Tathya

ଭୁବନେଶ୍ବର : ନିର୍ବାଚନ ସମୟରେ, ନିୟୋଜିତ କର୍ମଚାରୀଙ୍କୁ ନେବା ଆଣିବା ଓ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟରେ ବ୍ୟବହୃତ ହୋଇଥିବା ବସ୍‌ ଓ ଟ୍ରକ୍‌ଗୁଡ଼ିକର ଭଡ଼ା ଏଯାବତ୍‌ ସେମାନଙ୍କ ମାଲିକଙ୍କୁ ମିଳି ନାହିଁ। ଏ ନେଇ ଅଲ୍‌ ଓଡ଼ିଶା ବସ୍‌ ଓନର୍ସ ଆସୋସିଏସନ୍‌ କ୍ଷୋଭ ପ୍ରକାଶ କରିଛି। ବାକିଆ ଭଡ଼ା ଦେବା ପାଇଁ ରାଜ୍ୟ ପରିବହନ ବିଭାଗ ଓ ଗୃହ ବିଭାଗ ଦୁଇ ଦୁଇଥର ପତ୍ର ଲେଖି ନିର୍ବାଚନ ଆୟୋଗଙ୍କୁ ଅବଗତ କରାଇଥିଲେ ହେଁ ଆୟୋଗ କର୍ଣ୍ଣପାତ କରୁନାହାନ୍ତି ବୋଲି ଆସୋସିଏନ୍‌ ପକ୍ଷରୁ ଅଭିଯୋଗ କରାଯାଇଛି।

ଆସୋସିଏସନ୍‌ର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି ଯେ ନିର୍ବାଚନ ଆଇନ ଅନୁସାରେ ରାଜ୍ୟ ସରକାର ନିର୍ବାଚନ ସମୟରେ ଟ୍ରକ୍‌ ଓ ବସ୍‌କୁ ଅଧିଗ୍ରହଣ କରିଥାଆନ୍ତି। ନିର୍ବାଚନ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ବସ୍‌ ଓ ଟ୍ରକ୍‌ଗୁଡ଼ିକ ସରକାରୀ କାର୍ଯ୍ୟରେ ନିୟୋଜିତ ରହିଥାଏ। ଏଥିପାଇଁ ସରକାର ଯେଉଁ ସ୍ପଳ୍ପ ପରିମାଣ‌ର ଭଡ଼ା ସ୍ଥିର କରିଥାଆନ୍ତି, ତାହା ପରବର୍ତ୍ତୀ ସମୟରେ ମାଲିକମାନଙ୍କୁ ଦେଇଥା’ନ୍ତି। କିନ୍ତୁ ୨୦୧୯ରେ ନିୟୋଜିତ ହୋଇଥିବା ବସ୍‌ଗୁଡ଼ିକର ପାଉଣା ଆଜି ପର୍ଯ୍ୟନ୍ତ ମାଲିକଙ୍କୁ ମିଳିନାହିଁ। ସେହିପରି ଗତ ଫେବ୍ରୁଆରିରେ ପଞ୍ଚାୟତ ନିର୍ବାଚନରେ ନିୟୋଜିତ ଟ୍ରକ୍‌ ଓ ବସ୍‌ଗୁଡ଼ିକର ଭଡ଼ା ମଧ୍ୟ ମିଳି ନାହିଁ। ଏ ନେଇ ବସ୍‌ ମାଲିକ ସଂଘର ଏକ ପ୍ରତିନିଧି ନିର୍ବାଚନ କମିସନ୍‌ଙ୍କୁ ସିଧାସଳଖ ଅଭିଯୋଗ କରିବାକୁ କାର୍ଯ୍ୟାଳୟକୁ ଯାଇଥିଲେ ହେଁ ତାହା ସମ୍ଭବ ହୋଇନଥିଲା।

ବସ୍‌ ମାଲିକ ସଂଘ ପକ୍ଷରୁ ଆଜି (ଶନିବାର) ୮ ଦଫା ଦାବି ନେଇ ପରିବହନ ମନ୍ତ୍ରୀଙ୍କ ସହିତ ଆଲୋଚନା ହେବ। ପୂର୍ବରୁ ଏହି ଦାବି ନେଇ ସେମାନେ ଧର୍ମଘଟର ଆହ୍ବାନ ଦେଇଥିଲେ। ରଥଯାତ୍ରା, ବାହୁଡ଼ା ଯାତ୍ରା ପାଇଁ ପୂର୍ବରୁ ଏହି ଧର୍ମଘଟକୁ ସ୍ଥଗିତ ରଖାଯାଇଥିଲା। ମାତ୍ର ଦାବି ପୂରଣ ନେଇ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆ ନଯିବାରୁ ସେମାନେ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe