ଲଇ ପାଇଁ ଜଙ୍ଗଲରେ ମିଳୁନି ହାତୀଙ୍କ ଖାଦ୍ୟ ‘ଶିଆଳି’: ଗାଁ ମୁହାଁ ହେଉଛନ୍ତି ହାତୀପଲ

Advertisment
ଲଇ ପାଇଁ ଜଙ୍ଗଲରେ ମିଳୁନି ହାତୀଙ୍କ ଖାଦ୍ୟ ‘ଶିଆଳି’: ଗାଁ ମୁହାଁ ହେଉଛନ୍ତି ହାତୀପଲ

ଦଶପଲ୍ଲା: ଶନିବାର ଦିନ ପାଳିତ ହୋଇଛି ବିଶ୍ବ ହସ୍ତୀ ଦିବସ। ହାତୀଙ୍କ ସୁରକ୍ଷା ପାଇଁ ସ୍କୁଲ, କଲେଜ ସହ ବିଭିନ୍ନ ସ୍ଥାନରେ ବନବିଭାଗ ପକ୍ଷରୁ ସଚେତନତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ହେଲେ ରାଜ୍ୟରେ ଦିନକୁ ଦିନ ଅସୁରକ୍ଷିତ ହୋଇ ପଡୁଛନ୍ତି ହାତୀ। ଜଙ୍ଗଲରୁ ହାତୀଙ୍କ ଖାଦ୍ୟକୁ ନଷ୍ଟ କରାଯାଉଛି। ମୁଖ୍ୟତଃ ହାତୀ ବାଉଁଶ ପତ୍ର, ଶିଆଳି ପତ୍ର, ସବାଇ ଘାସ, ବର ଡାଳ, ଶାଳ ଗଛର ଛାଲି ଆଦିକୁ ଖାଦ୍ୟ ଭାବେ ଗ୍ରହଣ କରିଥାଏ। କୁହାଯାଉଛି ହାତୀ ଶିଆଳି ଲତାକୁ ଖାଇବା ଦ୍ବାରା ତାର ଭୋକ ଓ ପାଣିର ଅଭାବ ଦୂର ହୋଇଥାଏ। ତେଣୁ ଗ୍ରୀଷ୍ମ ଦିନେ ବା ଖାଦ୍ୟର ଅଭାବ ସମୟରେ ସେ ଶିଆଳି ଗଛକୁ ଅଧିକ ଖାଦ୍ୟ ଭାବେ ଗ୍ରହଣ କରିଥାଏ। ହେଲେ ଏହି ଲତାକୁ ଗାଁ ଗହଳିରେ ଲଇ( ଏକପ୍ରକାର ଦଉଡ଼ି) ଭାବେ ବ୍ୟବହାର କରାଯାଉଥିବା ବେଳେ ଖୋଦ୍‌ କେନ୍ଦୁପତ୍ର ବିଭାଗ ପକ୍ଷରୁ ଏହାର ଲତାକୁ ବହୁଳ ଭାବରେ କାଟି ଲଇ ଭାବେ ବ୍ୟବହାର କରାଯାଉଛି। ଏହି ଲଇକୁ କେନ୍ଦୁପତ୍ର ବନ୍ଧାଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରାଯାଉଛି। ଦଶପଲ୍ଲା ବନାଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀ କହିଛନ୍ତି ଏହି ଲତା ହାତୀଙ୍କ ଖାଦ୍ୟ ହୋଇଥିବା ବେଳେ ଜଙ୍ଗଲରେ ଏବେ ଦେଖିବା ବିରଳ ହେଲାଣି। କେନ୍ଦୁପତ୍ର ବିଭାଗର ବ୍ୟବହାର ପ୍ରତି ଦୃଷ୍ଟି ଦେବାକୁ ସେ କହିଛନ୍ତି। ଏପଟେ କେନ୍ଦୁପତ୍ର ବିଭାଗ ପକ୍ଷରୁ କୁହାଯାଇଛି ଏହାକୁ ସଂଗ୍ରହ କରିବା ପାଇଁ ବନବିଭାଗଠାରୁ ଅନୁମତି ମିଳିଛି। ଯାହାକି ଏଥିପାଇଁ ରୟାଲିଟି ଜମା କରାଯାଉଥିବା କହିଛନ୍ତି। ଗୋଟିଏ ପାର୍ଶ୍ବରେ ହାତୀଙ୍କ ସୁରକ୍ଷା ପାଇଁ ସରକାର ଅଣ୍ଟା ଭିଡ଼ିଥିବା ବେଳେ ହାତୀଙ୍କ ମୁଖ୍ୟ ଖାଦ୍ୟ ପାଲଟିଥିବା ଶିଆଳି ଲତା ଧ୍ବଂସ ପାଇବା ଅଧିକ ଚିନ୍ତାଜନକ ପାଲଟିଛି।

publive-image

ବଡ଼କଥା ହେଉଛି ଜଙ୍ଗଲରେ ଖାଦ୍ୟଭାବ ପାଇଁ ହାତୀପଲ ଗାଁ ମୁହାଁ ହୋଇ ଲୋକଙ୍କ ଫସଲ ନଷ୍ଟ କରିବା ସହ ଶିକାରୀ ହାବୁଡରେ ପଡ଼ୁଛନ୍ତି। ସେମାନଙ୍କ ଯାତାୟାତ ପାଇଁ ବିଭିନ୍ନ ସ୍ଥାନରେ ରହିଥିବା ହାତୀ କରିଡର୍‌ଗୁଡିକ ଏବେ ଧ୍ବଂସ ପାଇଲାଣି। ଏକ ସବେର୍କ୍ଷଣ ଅନୁଯାୟୀ ରାଜ୍ୟରେ ପ୍ରାୟ ୧୪ଟି ହାତୀ କରିଡର ନିର୍ମାଣ ହୋଇଛି। ନୟାଗଡ଼ ଡିଭିଜନର ଦଶପଲ୍ଲାର ବୁଗୁଡ଼ା–ସେଣ୍ଟ୍ରାଲ୍ ରିଜର୍ଭ ଅଞ୍ଚଳରେ ୫ ହେକ୍ଟର ସ୍ଥାନରେ ହାତୀ କରିଡର ନିର୍ମାଣ ହୋଇଥିଲା। ୨୦୧୪/୧୫ ଆର୍ଥିକ ବର୍ଷରେ ୫୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ଏହି କରିଡର ନିର୍ମାଣ ହୋଇଥିଲା। ବୁଗୁଡ଼ାର ଉତ୍ତର ପାର୍ଶ୍ବରେ ମହାନଦୀ ବନ୍ୟପ୍ରାଣୀ ବନଖଣ୍ତର ବାଇଶିପଲ୍ଲୀ ଅଭୟାରଣ୍ୟ ସହ ଦକ୍ଷିଣ ପାର୍ଶ୍ବରେ ବନ ବିଭାଗ (ବନଖଣ୍ତ)ର ସଂରକ୍ଷିତ ଜଙ୍ଗଲ ସହ ଏହା ସଂଯୋଗ କରିଥିଲା। ବାଇଶିପଲ୍ଲୀ ଅଭୟାରଣ୍ୟ ଅତିକ୍ରମ କରିବା ସମୟରେ ହାତୀପଲ୍ଲ ଖୋର୍ଦ୍ଧା–ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରି ବୁଗୁଡ଼ା ସେଣ୍ଟ୍ରାଲ୍ ଜଙ୍ଗଲ ଦେଇ ବିରିଗଡ଼ ପାହାଡ଼ ସହ ଗଞାମ ଜିଲ୍ଲାର ଘୁମୁସର ବନଖଣ୍ତକୁ ଯାତାୟାତ କରିଥାନ୍ତି। ରାଜପଥ ଅତିକ୍ରମ କରିବା ସମୟରେ ଭାରିଯାନ ଚଳାଚଳ ହେତୁ ହାତୀଙ୍କ ପାଇଁ ବିପଦ ରହିଥିବାରୁ ସେମାନଙ୍କ ସୁରକ୍ଷା ପାଇଁ କରିଡର ନିର୍ମାଣ କରାଯାଇଥିଲା। ଯାହା ଆଜି ମାଟିରେ ମିଶିଗଲାଣି। ଜଙ୍ଗଲରେ ଖାଦ୍ୟାଭାବ ଫଳରେ ପ୍ରତିବର୍ଷ ହାତୀପଲ ଗାଁ ମୁହାଁ ହେଉଥିବା ବେଳେ ଫସଲ ନଷ୍ଟ କରୁଛନ୍ତି। ଏହି ହାତୀ କରିଡର ଦେଇ ରେଳପଥ ଅତିକ୍ରମ କରୁଥିବା ବେଳେ ଏଥିପ୍ରତି ବିଶେଷ ଗୁରୁତ୍ବ ଦିଆଯାଉଥିବା ବନାଞ୍ଚଳ ଅଧିକାରୀ ଶ୍ରୀ ଦେହୁରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe