୫୧ ବର୍ଷର ଅଧ୍ୟାୟରେ ଅନ୍ତ : ଆଉ ଶୁଭିବନି ‘ଚାଲିଲା ଗାଡ଼ି ବାଦାମବାଡ଼ି...’

Advertisment

କଟକ ନେତାଜୀ ବସ୍ ଟର୍ମିନାଲ୍ ଉଦ୍‌ଘାଟନ ଆଜି

କଟକ ନେତାଜୀ ବସ୍ ଟର୍ମିନାଲ୍ ଉଦ୍‌ଘାଟନ ଆଜି

୫୧ ବର୍ଷର ଅଧ୍ୟାୟରେ ଅନ୍ତ : ଆଉ ଶୁଭିବନି ‘ଚାଲିଲା ଗାଡ଼ି ବାଦାମବାଡ଼ି...’

କଟକ: ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀକାନ୍ତ ଦାସଙ୍କର ସଂଗୀତ ଆଲ୍‌ବମ୍‌ ‘ବାଦାମବାଡ଼ି’ର ପ୍ରଥମ ଗୀତ ‘‘ଚାଲିଲା ଗାଡ଼ି ବାଦାମବାଡ଼ି.... ବାଦାମବାଡ଼ିରେ ଲୋକ ଭିଡ଼ାଭିଡ଼ି....’’ ଏବେ ଇତିହାସ ପାଲଟିଯିବ, ଯାହା ଏବେ ବି ସଂଗୀତପ୍ରେମୀଙ୍କର ଅତ୍ୟନ୍ତ ପ୍ରିୟ। ଦୀର୍ଘ ୫୧ ବର୍ଷ ଧରି ରାଜ୍ୟରେ ଯାତ୍ରୀ ପରିବହନ କ୍ଷେତ୍ରର କେନ୍ଦ୍ରରେ ରହି ଆସିଥିଲା କଟକ ସହରର ବାଦାମବାଡ଼ି ବସ୍‌ଷ୍ଟାଣ୍ଡ୍‌। ଏହି ୫୧ ବର୍ଷର ଅଧ୍ୟାୟରେ ପୂର୍ଣଚ୍ଛେଦ ବି ପଡ଼ିଯିବ। ସେପ୍ଟେମ୍ବର ୧୬ ତାରିଖ ଶନିବାର ଖାନ୍‌ନଗରରେ କଟକ ନେତାଜୀ ବସ୍‌ ଟର୍ମିନାଲ (ସିଏନ୍‌ବିଟି)କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବା ପରେ ୧୭ ତାରିଖ ରବିବାରଠାରୁ ବାଦାମବାଡ଼ି ବସ୍‌ଷ୍ଟାଣ୍ଡ୍‌ ପରିବର୍ତ୍ତେ ସିଏନ୍‌ବିଟିରୁ ବସ୍‌ ଚଳାଚଳ କରିବ।

ବାଦାମବାଡ଼ିରେ ରହିଥିବା ବିଭିନ୍ନ ବସ୍ ଷ୍ଟାଣ୍ଡ୍‌ରୁ ରାଜ୍ୟ ତଥା ରାଜ୍ୟ ବ‌ାହାରର ବିଭିନ୍ନ ସ୍ଥାନକୁ ପ୍ରତିଦିନ ୧୧ଶହରୁ ଅଧିକ ଘରୋଇ ଓ ସରକାରୀ ବସ୍‌ ଚଳପ୍ରଚଳ କରିଥାଏ। ବାଦାମବାଡ଼ି ସରକାରୀ ବସ୍‌ ଷ୍ଟାଣ୍ଡରୁ ୭ଶହରୁ ଅଧିକ ଘରୋଇ ଓ ସରକାରୀ ବସ୍‌ ଯିବା ଆସିବା କରୁଥିବା ବେଳେ ବାଦାମବାଡ଼ିରେ ଥିବା ପାରଦୀପ-ଅନୁଗୁଳ ଷ୍ଟାଣ୍ଡରୁ ୧୭୦ରୁ ଅଧିକ, ପୁରୀ ଷ୍ଟାଣ୍ଡରୁ ୬୦ରୁ ଅଧିକ ବସ୍‌ ଓ ମାଷ୍ଟରକ୍ୟାଣ୍ଟିନ୍‌ ଷ୍ଟାଣ୍ଡରୁ ୯୦ରୁ ଅଧିକ ବସ୍‌ ପ୍ରତିଦିନ ଯିବା ଆସିବା କରିଥାଏ। ବାଦାମବାଡ଼ିର ୪ଟି ବସ୍‌ ଷ୍ଟାଣ୍ଡ୍‌କୁ ପ୍ରତିଦିନ ୨ ଲକ୍ଷରୁ ଅଧିକ ଯାତ୍ରୀ ଆସିଥାନ୍ତି। ୪ଟି ଷ୍ଟାଣ୍ଡ ମଧ୍ୟରେ ୨ ଶହରୁ ଅଧିକ ବ୍ୟବସାୟୀ ବେପାର କରୁଥିବା ବେଳେ ଷ୍ଟାଣ୍ଡ୍‌ ବାହାରେ ୫ ଶହରୁ ଅଧିକ ଦୋକାନୀ ସେମାନଙ୍କ ବ୍ୟବସାୟ କରିଥାନ୍ତି। ମାତ୍ର ଏବେ ନେତାଜୀ ବସ୍‌ ଟର୍ମିନାଲ ଉଦ୍‌ଘାଟନ ହେବା ପରେ ବାଦାମବାଡ଼ି ବସ ଷ୍ଟାଣ୍ଡ୍‌ ଏକ ପ୍ରକାର ସ୍ମୃତି ହୋଇଯିବ।

ସୂଚନାଯୋଗ୍ୟ, ନନ୍ଦନୀ ଶତପଥୀ ମୁଖ୍ୟମନ୍ତ୍ରୀ ଥିବା ସମୟରେ ୧୯୭୨ରେ ବାଦାମବାଡ଼ି ବସ୍‌ ଷ୍ଟାଣ୍ଡ ସ୍ଥାପିତ ହୋଇଥିଲା। ପ୍ରଥମେ ଏହା ମଧ୍ୟରେ କେବଳ ସରକାରୀ ବସ୍‌ ରହୁଥିଲା। ପରେ ୧୯୮୩ରେ ଏହା ମଧ୍ୟକୁ ବେସରକାରୀ ବସ୍‌କୁ ଛଡ଼ାଗଲା। ଏହାର ୯ବର୍ଷ ପରେ ବସ୍ ସଂଖ୍ୟା ବଡ଼ିବାରୁ ବାଦାମବାଡ଼ି ବସ୍‌ ଷ୍ଟାଣ୍ଡର ବିପରୀତ ପାର୍ଶ୍ବରେ ୧୯୯୨ରେ ପାରାଦୀପ ଓ ଅନୁଗୁଳ ବସ୍‌ ଷ୍ଟାଣ୍ଡ ନିର୍ମାଣ କରାଗଲା। ଏହାପରେ ୧୯୯୫ରେ ଭୁବନେଶ୍ବର (ମାଷ୍ଟର କ୍ୟାଣ୍ଟିନ୍‌) ଷ୍ଟାଣ୍ଡ୍‌ ଓ ୧୯୯୮ରେ ପୁରୀ ବସ୍‌ ଷ୍ଟାଣ୍ଡ୍‌ ହୋଇଥିଲା। ୧୯୭୨ରେ ବାଦାମବାଡ଼ି ବସ୍‌ ଷ୍ଟାଣ୍ଡ ନିର୍ମାଣ ହେବା ପୂର୍ବରୁ ଚାନ୍ଦିନଚୌକ ଠାରେ କଟକର ବସ୍‌ ଷ୍ଟାଣ୍ଡ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe