ସିଧାସଳଖ ଧାନସଂଗ୍ରହ ମାମଲାର ଶୁଣାଣି ଶେଷ, ହାଇକୋର୍ଟରେ ୨୦ ବର୍ଷ ହେଲା ବିଚାରାଧୀନ ଥିଲା ଆବେଦନ

୩୩୨ ନିୟୁତ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ ଲକ୍ଷ୍ୟ

Agriculture Post

କଟକ : ଧାନର ଅଭାବି ବିକ୍ରି ସହିତ ଚାଷୀଙ୍କ ଠାରୁ ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏଫସିଆଇ) ଓ ରାଜ୍ୟ ସରକାର ସିଧାସଳଖ ଧାନସଂଗ୍ରହ କରିବା ପ୍ରସଙ୍ଗକୁ ନେଇ ଦାୟର ମାମଲାର ହାଇକୋର୍ଟରେ ପୂର୍ଣ୍ଣାଙ୍ଗ ଶୁଣାଣି ହୋଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଓ ବିଚାରପତି ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ନକୁଳ କିଶୋର ମେର୍ଲି ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣି ଶେଷକରି ରାୟ ସଂରକ୍ଷିତ ରଖିଛନ୍ତି।

publive-image Live Law

ମାମଲାର ବିବରଣୀରୁ ପ୍ରକାଶ ଯେ, ରାଜ୍ୟରେ ଚାଷୀମାନଙ୍କ ଠାରୁ ସରକାର କିମ୍ବା ଏଫ୍‌ସିଆଇ ପକ୍ଷରୁ ସିଧାସଳଖ ଧାନ ସଂଗ୍ରହ କରାଯାଉ ନଥିବାରୁ ଅଭାବି ବିକ୍ରି ପରିସ୍ଥିତି ସୃଷ୍ଟି ହେଉଛି ଦର୍ଶାଇ ୨୦୦୨ରେ ହାଇକୋର୍ଟରେ ଏହି ମାମଲା ରୁଜୁ ହୋଇଥିଲା। ଏଥିସହିତ ଧାନ ବିକ୍ରିକ୍ଷେତ୍ରରେ ମଧ୍ୟସ୍ଥିଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଯାଇଥିଲା। ବଲାଙ୍ଗୀର ଜିଲ୍ଲାର ଚାଷୀଙ୍କ ପ୍ରସଂଗ ଏହି ଆବେଦନରେ ବିଶେଷଭାବେ ଉଲ୍ଲେଖ କରାଯାଇଥିଲା। ହାଇକୋର୍ଟ ମାମଲାର ଶୁଣାଣି କରି ବଲାଙ୍ଗୀର ଜିଲ୍ଲାର ଚାଷୀଙ୍କ ନିକଟରୁ ସିଧାସଳଖ ଧାନ ସଂଗ୍ରହ ପାଇଁ ଏଫ୍‌ସିଆଇ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ୨୦୦୨ରେ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ମାମଲା ବିଚାରାଧୀନ ଥିବାବେଳେ ଏହି ଅନ୍ତରୀଣ ରାୟ କାର୍ଯ୍ୟକାରୀ କରି ବଲାଙ୍ଗୀର ଜିଲ୍ଲାର ଚାଷୀଙ୍କୁ ଧାନର ଉପଯୁକ୍ତ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଦେବାକୁ ହାଇକୋର୍ଟ କହିଥିଲେ। ଏହି ନିର୍ଦ୍ଦେଶକୁ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍‌ କରି ଦାୟର କରାଯାଇଥିବା ଆବେଦନ ଖାରଜ ହୋଇଥିଲା।

ଅନ୍ୟପକ୍ଷରେ, ଏହି ରାୟ ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇ ନଥିବା ବେଳେ ମୂଳ ମାମଲା ହାଇକୋର୍ଟରେ ଶୁଣାଣି ଚାଲିଥିଲା। ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ନିୟମ ଅନୁସାରେ ଧାନ ସଂଗ୍ରହ ଏଫ୍‌ସିଆଇର ପ୍ରାଥମିକ କର୍ତ୍ତବ୍ୟ ହୋଇଥିବାବେଳେ ଓଡ଼ିଶାରେ ଏଫ୍‌ସିଆଇ ସିଧାସଳଖ ଧାନ ସଂଗ୍ରହ କରୁନାହିଁ। ଧାନର ଅଭାବି ବିକ୍ରି ହେଉଛି। ଚାଷୀ ଉତ୍ପାଦିତ ଧାନର ଉପଯୁକ୍ତ ମୂଲ୍ୟ ପାଇପାରୁ ନାହିଁ। ଏଫ୍‌ସିଆଇ ତରଫରୁ ଦର୍ଶାଯାଇଥିଲା ଯେ ଧାନ ସଂଗ୍ରହ ନୀତିରେ ଇତିମଧ୍ୟରେ ବ୍ୟାପକ ପରିବର୍ତ୍ତନ ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସ୍ବାକ୍ଷରିତ ବୁଝାମଣାପତ୍ର (ଏମଓୟୁ) ଅନୁସାରେ ଚାଷୀଙ୍କ ନିକଟରୁ ରାଜ୍ୟରେ ଧାନ ସଂଗ୍ରହ କରାଯାଉଛି। ରାଜ୍ୟ ସରକାର ତାଙ୍କ ଏଜେନ୍ସି ଜରିଆରେ ଧାନ ସଂଗ୍ରହ କରୁଛନ୍ତି। ଏଫ୍‌ସିଆଇ ମଧ୍ୟ ସବୁବେଳେ ଧାନ ସଂଗ୍ରହ ପାଇଁ ପ୍ରସ୍ତୁତ। ସରକାରଙ୍କ ତରଫରୁ ଧାନ ସଂଗ୍ରହ ଓ ଏମଏସପି ପ୍ରଦାନ ପ୍ରସଙ୍ଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ନେଇ ହାଇକୋର୍ଟରେ ତଥ୍ୟ ଉପସ୍ଥାପନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe