Mitula Homes
ବାରିପଦା: ବାରିପଦା ସହରରେ ଥିବା ବିଭିନ୍ନ ହୋଟେଲ, ସୋରୁମ୍ ସମେତ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଦେବୋତ୍ତର ବିଭାଗ ପାଖରୁ ଠାକୁରଙ୍କ ଜମି ଲିଜ୍ ସୁତ୍ରରେ ନେଇଛନ୍ତି। ଆଉ ମ୍ୟୁନିସିପାଲଟି ହୋଲଡିଂ ଟିକସ୍ ଆଦାୟ କରୁଛି। ତା ସତ୍ତ୍ବେ ଦେବୋତ୍ତର ବିଭାଗ ଜାଣିଶୁଣି ଲୋକଙ୍କୁ ଭୂଆଁ ବୁଲାଇବାକୁ ଯାଇ ଠାକୁରଙ୍କ ଜମିରୁ ଉଚ୍ଛେଦ ପାଇଁ ନୋଟିସ୍ ପରେ ନୋଟିସ୍ ଦେଇ ଚାଲିଛି। ଠାକୁରଙ୍କ ଜମିକୁ ଜବରଦଖଲ କରିବା ନେଇ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ କିଛି ହୋଟେଲ ଓ ସୋରୁମର ମାଲିକ ଦେବୋତ୍ତର ବିଭାଗ ସେମାନଙ୍କୁ ଜମି ଲିଜ୍ ସୂତ୍ରରେ ଦେଇଥିବା ଏବଂ ମ୍ୟୁନିସିପାଲଟି ହୋଲଡିଂ ଟିକସ୍ ଆଦାୟ କରୁଥିବା କହିଛନ୍ତି। ଏ ନେଇ କାଗଜପତ୍ର ବି ଦେଖାଇଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି; ଯଦି ଦେବୋତ୍ତର ବିଭାଗ ସେମାନଙ୍କୁ ଠାକୁରଙ୍କ ଜମି ଲିଜ ସୂତ୍ରରେ ଟେକି ଦେଇଛି ତାହା ହେଲେ ବାରମ୍ବାର ଉଚ୍ଛେଦ ନୋଟିସ୍ ନାଟକ କାହା ପାଇଁ କରାଯାଉଛି। କାହାକୁ ସୁରକ୍ଷା ଦେବା ପାଇଁ ଏପରି ଉଦ୍ୟମ ହେଉଛି। ଠାକୁରଙ୍କ ଜମି ଜବରଦଖଲରେ ଥିବା ସ୍ଥାନ ଓ ଅକ୍ତିଆର କରିଥିବା ବ୍ୟକ୍ତି ବିଶେଷଙ୍କ ନାଁ କାହିଁକି ପ୍ରଶାସନ ସାର୍ବଜନୀନ କରୁନାହିଁ। ଏହା ପଛରେ କିଛି ମନ୍ଦ ଉଦ୍ଦେଶ୍ୟ ରହିଛି କି। ରାଜନୈତିକ ଚାପରେ ପ୍ରଭାବଶାଳୀ ଲୋକଙ୍କୁ ସୁରକ୍ଷା ଦେବାକୁ ପ୍ରଶାସନ ଉଦ୍ୟମ କରୁନି ତ? ଏମିତି ପ୍ରଶ୍ନ ଏବେ ପ୍ରଶାସନକୁ ଅକଳରେ ପକାଇଛି।
ଜିଲ୍ଲା ସଦର ମହକୁମା ବାରିପଦାଠାରୁ ଆରମ୍ଭ କରି ଜିଲ୍ଲାର ସବୁଆଡ଼େ ରହିଛି ହଜାର ହଜାର ଏକର ଠାକୁର ଜମି। ନିକଟରେ ବ୍ଲକ୍ସ୍ତରରେ କିଛି କିଛି ସ୍ଥାନରୁ ଏହି ଜାଗାରୁ ଜବରଦଖଲ ଉଚ୍ଛେଦ ପାଇଁ ନୋଟିସ୍ ଜାରି ହୋଇଥିଲା। ଉଚ୍ଛେଦ ପାଇଁ ବ୍ଲକ୍ ପ୍ରଶାସନ ପ୍ରସ୍ତୁତ ହେଉଥିବା ବେଳେ ହଠାତ୍ ଜବରଦଖଲକାରୀଙ୍କୁ ୭ ଦିନର ମହଲତ ଦେଲା ପ୍ରଶାସନ। ଏହାରି ଭିତରେ ଅନେକ ଲୋକ କୋର୍ଟରୁ ରହିତାଦେଶ ଆଣିସାରିଛନ୍ତି। ତେଣୁ ପ୍ରଶାସନର ଏହି ଉଚ୍ଛେଦ ନାକଟକୁ ଦୃଢ଼ ପ୍ରତିବାଦ କରିଛି ସେବାୟତ ସଂଘ। ଆସନ୍ତା ୨୦ ତାରିଖରେ ସେବାୟତମାନେ ଏକ ପଦଯାତ୍ରା ନବୀନ ନିବାସ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ଜିଲ୍ଲା ପ୍ରଶାସନ ହେଉ କି ଦେବୋତ୍ତର ବିଭାଗ, ବାରିପଦା ସହରରେ ଜବରଦଖଲରେ ଥିବା ଠାକୁରଙ୍କ ଜାଗାକୁ ମୁକ୍ତ କରିବା ନିମନ୍ତେ କାହାର ଆନ୍ତରିକତା ନଥିବା ବାରିପଦା ଜଗନ୍ନାଥ ମନ୍ଦିରର ପୂଜାପଣ୍ଡା କାମେଶ୍ବର ତ୍ରିପାଠୀ କହିଛନ୍ତି। ତେବେ ଠାକୁରଙ୍କ ଜମି ଖାଲି ନହେବା ଯାଏ ଏହାର ପ୍ରତିବାଦ ଓ ଆନ୍ଦୋଳନ ଜାରି ରହିବ ବୋଲି ସେ ସତର୍କ କରାଇ ଦେଇଛନ୍ତି।
Follow Us