The Hans India
କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ୍ ଘୋଷଦା ପଞ୍ଚାୟତରେ ଅବାଧରେ ଦେଶୀ ମଦ କାରବାର ଚାଲିଛି। ଅବକାରୀ ବିଭାଗ ଜାଣି ନଜାଣିଲା ପରି ଚୁପ୍ ହୋଇ ବସିଛି। ଏହାର କୁପ୍ରଭାବ ଯୁବଗୋଷ୍ଠୀ ଉପରେ ପଡୁଛି। ଘୋଷଦା ଗ୍ରାମରେ ୪ଟି ବେଆଇନ ମଦ ଭାଟି ରହିଛି। ଏଠାରୁ ସରକାରଙ୍କୁ ଟଙ୍କାଟିଏ ବି ରାଜସ୍ବ ମିଳୁନାହିଁ। ମଦ ମାଫିଆମାନେ ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଅବକାରୀ ବିଭାଗ ଓ ପୁଲିସ ବିଭାଗ ସ୍ଥାଣୁ ପାଲଟିବାରୁ ଯୁବ ଗୋଷ୍ଠୀ ନିର୍ଭୟରେ ମଦ ପିଉଥିବାବେଳେ ସାମାଜିକ ଓ ପାରିବାରିକ ଅଶାନ୍ତି ବଢ଼ି ଚାଲିଛି। ବହୁ ଲୋକଙ୍କ ଆର୍ଥିକ ସ୍ଥିତି ଅବ୍ନନତି ହେବାକୁ ବସିଛି।
ତରୁଣ ବୟସରୁ ମଦ ପିଇବା ଆରମ୍ଭ କରୁଥିବାରୁ କିଡନି ଓ ଲିଭର ରୋଗରେ ଆକ୍ରାନ୍ତ ହୋଇ େଶଷରେ ଜୀବନ ହାରୁଛନ୍ତି। ଗତବର୍ଷ ଏହି ଗ୍ରାମରୁ ୨୦ରୁ ଊର୍ଦ୍ଧ୍ବ ଲୋକ ଯକୃତ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଗତମାସରେ କେବଳ ଘୋଷଦା ଗ୍ରାମରେ ୬ ଜଣଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଛି। ସେମାନେ କିଡନି ଓ ଲିଭର୍ ରୋଗରେ ଆକ୍ରାନ୍ତ ଥିଲେ। ସେହିଭଳି କରଞ୍ଜିଆ ସହରରେ ୱାର୍ଡ ନମ୍ବର ୮, ୭,୧୩ ଓ ୧୪ରେ ଏକାଧିକ ଯୁବକଙ୍କର ମଦ୍ୟପାନଜନିତ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସଂପୃକ୍ତ ଅଂଚଳରେ ଅବାଧରେ ଦେଶୀ ଓ ବିଦେଶୀ ମଦ କାରବାର ହେଉଛି। ଅବକାରୀ ବିଭାଗ ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଘୋଷଦା ଗ୍ରାମକୁ ମଦମୁକ୍ତ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।
Follow Us