ଦୟନୀୟ ଅବସ୍ଥାରେ କୁଡ଼ିଆରେ ଜୀବନ ବିତାଉଛନ୍ତି ପରିବାର

Advertisment
ଦୟନୀୟ ଅବସ୍ଥାରେ କୁଡ଼ିଆରେ ଜୀବନ ବିତାଉଛନ୍ତି ପରିବାର

ବୈପାରିଗୁଡ଼ା : ବୈପାରିଗୁଡ଼ା ବ୍ଲକ୍ ଅନ୍ତର୍ଗତ ଦଣ୍ଡାବାଡ଼ି ପଞ୍ଚାୟତର ରତାଖଣ୍ଡି ଗ୍ରାମର ମଙ୍ଗଳା ନାୟକଙ୍କ ନାମରେ ୨୦୧୯-୨୦ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ମଞ୍ଜୁର ହୋଇଥିଲା। ତେବେ ଜନୈକ ଠିକାଦାର ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଘର ତିଆରି କରିଦେବାର ପ୍ରତିଶ୍ରୁତି ଦେଇଥିଲା। ଇତି ମଧ୍ୟରେ ମଙ୍ଗଳାଙ୍କର ମୃତ୍ୟୁ ହୋଇଯିବା ଫଳରେ ତାଙ୍କର ପତ୍ନୀ ବତୀ ନାୟକଙ୍କ ନାମରେ କାମ ମଞ୍ଜୁର କରାଯାଇଥିଲା। ତେବେ ସଂପୃକ୍ତ ଠିକାଦାର ଜଣକ ଘର କାମ ଅଧାରେ ଛାଡ଼ି ଆଉ ପାଖ ମାଡୁନଥିବା ବତୀ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ୨୦୨୧ ମସିହା ଅଗଷ୍ଟ ମାସରେ ସମ୍ବାଦରେ ବତୀ ନାୟକଙ୍କ ଆବାସ ଗୃହ ସଂପୂର୍ଣ୍ଣ ହୋଇ ପାରୁନଥିବା ନେଇ ଖବର ପ୍ରକାଶ ପାଇଥିଲା। ବିଡିଓ ତଦନ୍ତ କରିବା ସହ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଥିଲେ। କିନ୍ତୁ ବ୍ଲକ ପ୍ରଶାସନର ନିଷ୍କ୍ରିୟତା ଯୋଗୁ ବତୀ ଦୟନୀୟ ଅବସ୍ଥାରେ ଚାଳ କୁଡ଼ିଆରେ ପଡ଼ି ରହିଥିବା ଦେଖିବାକୁ ମିଳିଛି।

ବିଡ଼ମ୍ବନା ହେଲା ଏହି ରାସ୍ତା ଦେଇ ଜୟପୁର ଉପଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବିଡିଓ, ଲୋକପ୍ରତିନିଧି ଯିବା ଆସିବା କରୁଥିଲେ ମଧ୍ୟ କାହାର ନଜରକୁ ଆସୁନାହିଁ। ବର୍ଷ ବର୍ଷ ଧରି ଆବାସ ଗୃହ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ପାରୁନି। ଶେଷରେ ବିଧବା ବତୀ ନାୟକ ନିଜ ଭାଗ୍ୟକୁ ଆଦରି ତିନି ନାବାଳକ ପୁଅକୁ ନେଇ ମୁଣ୍ଡ ଗୁଞ୍ଜିବା ପାଇଁ ଛୋଟ କୁଡ଼ିଆ ଘର ତିଆରି କରି ରହିଛନ୍ତି। ପରିବାରକୁ ଚଳାଇବା ପାଇଁ ବତୀ କୁଲି କାମ କରନ୍ତି। ଦୀର୍ଘ ବର୍ଷ ଧରି ଘର କାମ ଅସମ୍ପୂର୍ଣ୍ଣ ରହିଥିବା ଦେଖି ଗ୍ରାମବାସୀ ଠିକାଦାରକୁ ଶୀଘ୍ର ଘର କାମ ଶେଷ କରିବା ପାଇଁ ତାଗିଦ୍ କରିଥିଲେ। ଠିକାଦାର ଜଣକ କିଛି ଗୋଡ଼ି ଏବଂ ବାଲି ପକାଇ ଚୁପ୍ ହୋଇ ବସି ରହିଲା। ଏପରିକି କିଛି ଦିନ ପରେ ସେସବୁ ପୁଣି ଉଠାଇ ନେଇଥିବା ବତୀ ପ୍ରକାଶ କରିଛନ୍ତି। ଠିକାଦାର ଜଣକ ଚଞ୍ଚକତା କରି ତାଙ୍କର ଟିପ ଚିହ୍ନ ନେଇ ବ୍ୟାଙ୍କରୁ ଏକ ଲକ୍ଷ ଟଙ୍କା ମଧ୍ୟ ଉଠେଇ ନେଇଛନ୍ତି। ଏପରିକି ପାସବୁକ୍ ମଧ୍ୟ ନେଇ ଯାଇଥିବା ଅଭିଯୋଗ କରିଛନ୍ତି। ଚଳିତ ବର୍ଷା ଋତୁରେ ୫୦୦ ଶହ ଟଙ୍କା ଦେଇ ପଲିଥିନ୍ କିଣି ଚାଳ ଉପରେ ପକେଇଛନ୍ତି। ବତୀଙ୍କର ଏଯାଏ ଆଧାର କାର୍ଡ ହେଇ ପାରୁନଥିବାରୁ ବିଧବା ଭତ୍ତା ମଧ୍ୟ ମିଳୁ ନଥିବା ପ୍ରକାଶ କରିଛନ୍ତି। ସେହିପରି ରାସନ୍ କାର୍ଡ ନଥିବାରୁ ଚାଉଳ ମଧ୍ୟ ପାଉ ନାହାନ୍ତି। ଆଉ କେତେ ବର୍ଷ ପରେ ପ୍ରଶାସନର ଦୃଷ୍ଟି ଅଧାପନ୍ତରିଆ ଘର ଉପରେ ନଜର ପଡ଼ିବ ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe