୧୨ରୁ ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ

୫ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ଆକଳନ, ‘ହରିହାଟ’ରେ ଯୋଗଦେବେ ୭ଶହରୁ ଊର୍ଦ୍ଧ୍ବ ସଙ୍କୀର୍ତ୍ତନ ମଣ୍ତଳୀ

୧୨ରୁ ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ

ପିପିଲି : ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ ଅବସରରେ ଆସନ୍ତା ୧୨ତାରିଖ ମଧ୍ୟରାତ୍ରୀରୁ ଜମାଣ ଆରମ୍ଭ ହେବ। ୧୬ ତାରିଖ ଦିନ ଠାକୁର ମେଳଣ ତଥା ହରିହର ଭେଟ ହୋଇ ମେଳଣ ଉତ୍ସବ ସମାପନ ହେବ। ଯଥାବିଧି ପ୍ରସିଦ୍ଧ ପଞ୍ଚୁଦୋଳ ମେଳଣର ସ୍ଥାନାଧିପତି ପ୍ରଭୁ ଶ୍ରୀପଶ୍ଚିମାଶମ୍ଭୁ ସୋମନାଥଦେବ ୧୨ ତାରିଖ ରାତିରେ ଏକ ସୁସଜ୍ଜିତ ଦୋଳ ବିମାନରେ ମନ୍ଦିରରୁ ବାହାରି ଲକ୍ଷାଧିକ ଭକ୍ତଙ୍କ ଗହଣରେ ପ୍ରାୟ ୧ କିଲୋମିଟର ଦୂର ମେଳଣ ପଡ଼ିଆକୁ ବିଜେ କରିବେ। ଅତ୍ୟାଧୁନିକ ଆତସବାଜି ସାଙ୍ଗକୁ ଚିତାକର୍ଷକ ଆଲୋକ ସଜ୍ଜା ମେଳଣକୁ ସୂତନ୍ତ୍ର ପରିଚୟ ଦେଇଛି।

ଏହି ପରିପ୍ରେକ୍ଷୀ‌ରେ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡେଲାଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାଶା ନିଶଙ୍କ, ସମାଜସେବୀ ବିଜୟ ଜେନା, ବାବୁଲି ଜେନା, ହରପ୍ରସାଦ ଚମ୍ପତି, ହରପ୍ରସାଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ମେଳଣ ଉତ୍ସବରେ ୫ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ନେଇ ଆକଳନ କରାଯାଇଛି। ୧୨ତାରିଖ ଜମାଣ ଦିନ ସନ୍ଧ୍ୟା ୬ରୁ ୧୩ ତାରିଖ ସକାଳ ପର୍ଯ୍ୟନ୍ତ ପିପିଲି ଜଟଣୀ ଓ କପିଳପ୍ରସାଦ ରାସ୍ତାରେ ଭାରୀଯାନ ଚଳାଚଳ ବନ୍ଦ ରହିବ। ସେହିପରି ୧୬ ତାରିଖ ସକାଳ ୮ରୁ ରାତି ୧୨ ପର୍ଯ୍ୟନ୍ତ ଏହି ରାସ୍ତାରେ ଭାରୀଯାନ ଚଳାଚଳ ବନ୍ଦ ରହିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ମେଳଣକୁ ଅଧିକ ଆକର୍ଷଣ କରିବାକୁ ମେଳଣ ପରିଚାଳନା କମିଟି ଓ ବିଭିନ୍ନ ୨୫ଟି ସଙ୍ଗଠନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମେଳଣରେ ହରିରାଜପୁର ମହୋତ୍ସବ ସହ ମୀନାବଜାର, ମିସନଶକ୍ତି ପକ୍ଷରୁ ପଲ୍ଲୀଶ୍ରୀମେଳା ଅନୁଷ୍ଠିତ ହେବ। ପ୍ରସିଦ୍ଧ ପଞ୍ଚୁଦୋଳ ମେଳଣରେ ୭୬ ଦେବବିଗ୍ରହ ଦୋଳ ବିମାନ ଅଂଶଗ୍ରହଣ କରିବେ। ୧୪ ଓ ୧୫ ତାରିଖ ସନ୍ଧ୍ୟାରେ ଶିଶୁମାନଙ୍କ ଦ୍ବାରା ମନ୍ତ୍ରପାଠ ଓ ସନ୍ଧ୍ୟା ଆଳତି କାର୍ଯ୍ୟକ୍ରମ ରହିଛି। ୧୫ତାରିଖ ଅପରାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ୭ଶହରୁ ଅଧିକ ସଙ୍କୀର୍ତ୍ତନ ମଣ୍ତଳୀଙ୍କ ଦ୍ବାରା ‘ହରିହାଟ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଅଗ୍ନିଶମ ବାହିନୀ ନିୟୋଜନ, ସ୍ବାସ୍ଥ୍ୟ ଶିବିର, ପାନୀୟ ଜଳ ଯୋଗାଣ, ଅସ୍ଥାୟୀ ଶୌଚାଳୟ, ପ୍ରଦର୍ଶନୀ ମଣ୍ତପ, ମହିଳା ସଶକ୍ତୀକରଣ ବିଭାଗ ପକ୍ଷରୁ ଷ୍ଟଲ୍‌ କରାଯିବ। ଏହା ବ୍ୟତୀତ ହାଇଟେକ୍‌ ମେଡିକାଲ ତରଫରୁ ମେଳଣରେ ୫ଦିନ ବ୍ୟାପୀ ସ୍ବାସ୍ଥ୍ୟ ଶିବିର ସ୍ଥାପନ କରାଯିବ। ୧୬ ତାରିଖ ଗୋଧୂଳି ଲଗ୍ନରେ ହରିହର ଭେଟ ଉତ୍ସବ ଅନୁଷ୍ଠିତ ହେବ ବୋଲି ମେଳଣ କମିଟିର ସଂଯୋଜକ ପ୍ରସନ୍ନ କୁମାର ମହାରଥୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe