ମଣ୍ଡିରୁ ଉଠୁନି ଧାନ, ରାସ୍ତା ଅବରୋଧ କଲେ ଚାଷୀ

ମଣ୍ଡିରୁ ଉଠୁନି ଧାନ, ରାସ୍ତା ଅବରୋଧ କଲେ ଚାଷୀ

ଧର୍ମଗଡ଼/ଗୋଲାମୁଣ୍ଡା: ମଣ୍ଡିରୁ ଧାନ ଉଠୁ ନଥିବାରୁ ଏହାର ପ୍ରତିବାଦ କରିଛନ୍ତି ଗୋଲାମୁଣ୍ଡା ବ୍ଲକ୍‌ ତୁମୁରା ମଣ୍ଡିର ଚାଷୀମାନେ। ଏମାନେ ଧର୍ମଗଡ଼- ଗୋଲାମୁଣ୍ଡା- ସିନାପାଲି ରାସ୍ତା ଉପରେ ଧାନବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି। ପ୍ରକାଶ ଯେ, ଚଳିତ ଖରିଫ ଋତୁରେ ସରକାର ଗତ ନଭେମ୍ବର ମାସରୁ ଧାନ କ୍ରୟ ଆରମ୍ଭ କରିଛନ୍ତି। ବର୍ତମାନ ସୁଦ୍ଧା ଧାର୍ଯ୍ୟଠାରୁ ୬୦ ପ୍ରତିଶତ ଅଧିକ ଧାନ କିଣା ସରିଛି। ହେଲେ ଆଜି ବି ଅନେକ ମଣ୍ଡିରେ ବହୁ ପରିମାଣରେ ଧାନ ପଡ଼ିରହିଛି। ଫଳରେ ଶୀତ କାକରରେ ଚା‌ଷୀମାନେ ସେଠାରେ ପଡ଼ି ରହିଛନ୍ତି। ଟାର୍ଗେଟ ନଥିବା କହୁଥିବା ସମବାୟ ସମିତି କର୍ମଚାରୀମାନଙ୍କ ଦ୍ବାରା ବି ଶୋଷଣର ଶିକାର ହେଉଥିବା ଅଭିଯୋଗ କରିଛନ୍ତି। ଶେଷରେ ବାଧ୍ୟ ହୋଇ ଗୁରୁବାର ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଛନ୍ତି। ଘଟଣାସ୍ଥଳରେ ଗୋଲାମୁଣ୍ଡା ତହସିଲଦାର ସର୍ବେଶ୍ୱର ଜାଲ, ଆର୍‌ଆଇ ସନ୍ତୋଷ ପଣ୍ଡା, ପଞ୍ଚାୟତ ସମିତି ଅଧ୍ୟକ୍ଷ ତୁଲେଶ୍ବର ନାଏକ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିଥିଲେ। ତଥାପି କିଛି ସୁଫଳ ମିଳି ନଥିଲା।

ଏହି ନିର୍ବାଚନମଣ୍ଡଳୀର ବିଧାୟକ ତଥା ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଚାଷୀଙ୍କ ସହ ମୋବାଇଲ ଭିଡିଓ କଲ୍‌ ମାଧ୍ୟମରେ କଥା ହୋଇଥିଲେ। ତୁରନ୍ତ ଧାନ ଉଠିବ, ଜିଲ୍ଲାପାଳଙ୍କ ସହ କଥା ହୋଇ ସମାଧାନ କରିବି ବୋଲି କହିବା ପରେ ମଧ୍ୟ ଚାଷୀମାନେ ରାସ୍ତା ଅବରୋଧରୁ ହଟି ନଥିଲେ। ଏହି ଆନ୍ଦୋଳନରେ ଚାଷୀ ନେତା ପ୍ରସନ୍ନ ରାଉତ, ଜିଲ୍ଲା ପରିଷଦ ସଭ୍ୟ ବୃଷଭ ନାଏକ, ଗଙ୍ଗାଧର ରାଉତ, ଲଳିତ ମୋହନ ସାହୁ, ବଳଭଦ୍ର ମାଝୀ, ବୀରେନ୍ଦ୍ର ପଣ୍ଡା, ନବୀନ ରାଉତ ଓ ପ୍ରଶାନ୍ତ ସାହୁଙ୍କ ସମେତ ବହୁ ଚାଷୀ ସାମିଲ ହୋଇଥିଲେ। ଏହି ସମସ୍ୟା ଉପରେ ଧର୍ମଗଡ଼ ଉପଖଣ୍ଡ ଯୋଗାଣ ଅଧିକାରୀ ଖଗେଶ୍ବର ପଣ୍ଡାଙ୍କୁ ବାରମ୍ବାର ଫୋନ କରାଯାଇଥିଲେ ବି ସେ ଫୋନ ଉଠାଇ ନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe