Housing
ଅତାବିରା: ବର୍ତ୍ତମାନ ଧାନ ସଂପୂର୍ଣ୍ଣ ପରିପକ୍ବ ହେବାକୁ ଆଉ ୧୫ ଦିନ ଲାଗିବ। ଅମଳ କରିବା ଯୋଗ୍ୟ ହେବ। ଏଣୁ କେନାଲ ପାଣି ମେ' ୧୦ ତାରିଖ ପର୍ଯ୍ୟନ୍ତ ଛାଡ଼ିବାକୁ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ତହସିଲଦାର ଓ ବୁର୍ଲା ଜଳସମ୍ପଦ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଲିଖିତ ଦାବି କରାଯାଇଛି। ହୀରାକୁଦ ସେଚାଂଚଳର ତଳି ଅଂଚଳରେ ଚାଷ କାମ ବିଳମ୍ବ ଆରମ୍ଭ ହୋଇଥାଏ। ତେଣୁ ବିଳମ୍ବରେ ମଧ୍ୟ ଅମଳ କରାଯାଇଥାଏ। ଏହାଛଡ଼ା ବଡ଼ ଅବଧିର ଧାନ ବିହନ ଚାଷ ହୋଇଥିବାରୁ ଧାନ ପରିପକ୍ବ ହେବାକୁ ଆହୁରି ସମୟ ଲାଗିବ।
ଜଳସମ୍ପଦ ବିଭାଗ ପକ୍ଷରୁ ଆଗାମୀ ମେ' ୧ ତାରିଖରେ ବରଗଡ଼ ମୁଖ୍ୟ କେନାଲ କଂକ୍ରିଟକରଣ ପାଇଁ ପାଣି ବନ୍ଦ କରିବାକୁ ଘୋଷଣା କରାଯାଇଛି। କେନାଲ ପାଣି ୧ ତାରିଖରେ ବନ୍ଦ ହେଲେ ହୀରାକୁଦ ସେଚାଂଚଳର ୮୦ ପ୍ରତିଶତ ଧାନ ପୂର୍ଣ୍ଣ ପରିପକ୍ବ ହୋଇନଥିବାରୁ ଧାନ ଓଜନର ହେବ ନାହିଁ। ଫଳରେ ଚାଷୀ ଘୋର କ୍ଷତିର ସମ୍ମୁଖୀନ ହେବେ। ଏଣୁ କେନାଲ ପାଣି ମେ' ୧୦ ତାରିଖ ପର୍ଯ୍ୟନ୍ତ ଛାଡ଼ିବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି। ସଂଗଠନର ବ୍ଲକ ସଭାପତି ବୀରେନ୍ଦ୍ର କର, ସଂପାଦକ ସୁରେଶ କର୍ଣ୍ଣ, ସୁରେନ୍ଦ୍ର ସ୍ବାଇଁ, ଦଶରଥ ଭୋଇ, ଦିଲୀପ ପ୍ରଧାନ, ପ୍ରଦୀପ ପ୍ରଧାନ, ଅମୂଲ୍ୟ ସ୍ବାଇଁ, ସୁବାସ ବିଶ୍ବାଳ ପ୍ରମୁଖ ଅତିରିକ୍ତ ତହସିଲଦାର ରଂଜନ ଦାସ ଏବଂ ବୁର୍ଲା ଅଧୀକ୍ଷଣ ଯନ୍ତ୍ରୀ ଇଂ. ଜୟନ୍ତ ମହାନ୍ତିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।
Follow Us