NewsBytes
ଔପଦା : ପେଟ୍ରୋଲ୍ ଢାଳି ପୁଅ ଦେହରେ ବାପା ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅନ୍ତର୍ଗତ ରାଏରାମଚନ୍ଦ୍ରପୁର ପଞ୍ଚାୟତ ଟିପୁରା ଗ୍ରାମରେ।
ଗ୍ରାମର ଗଣେଶ ପାତ୍ର (୫୨) ଜଣେ ମାନସିକ ଦିବ୍ୟାଙ୍ଗ। ସେ ପରିବାର ତଥା ପଡ଼ୋଶୀଙ୍କ ସହ ଝଗଡ଼ା କରନ୍ତି। ବିଭିନ୍ନ ସମୟରେ ପତ୍ନୀ ଲକ୍ଷ୍ମୀପ୍ରିୟା ପାତ୍ର ଓ ପୁଅ ଦୀପକ ପାତ୍ର (୨୧)ଙ୍କ ସହ ତାଙ୍କର ଗଣ୍ଡଗୋଳ ହୋଇଥାଏ। ଗତକାଲି ରାତିରେ ଦୀପକ ଘରେ ଶୋଇଥିବା ବେଳେ ଗଣେଶ ତାଙ୍କ ବିଛଣାରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ଦେଇଥିଲେ। ଫଳରେ ଦୀପକ ଗୁରୁତର ଭାବେ ପୋଡ଼ିଯାଇଥିଲେ। ଚିତ୍କାର ଶୁଣି ପରିବାର ଲୋକ ଓ ପଡ଼ୋଶୀମାନେ ଦୌଡ଼ି ଆସିଥିଲେ। ସେମାନେ ସଂଗେସଂଗେ ଦୀପକଙ୍କୁ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭଦ୍ରକ ଏବଂ ସେଠାରୁ କଟକ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।
ଖବର ଲେଖାହେବା ଯାଏ ଥାନାରେ କୌଣସି ଅଭିଯୋଗ ହୋଇ ନଥିଲେ ମଧ୍ୟ ପୁଲିସ ଗଣେଶଙ୍କୁ ଧରି ଥାନାରେ ଅଟକ ରଖିଥିବା ଜଣାପଡ଼ିଛି।
Follow Us