ବାପା ଶବ ବାଲେଶ୍ବରରେ, ପୁଅର ଭୁବନେଶ୍ବରରେ

Advertisment
ବାପା ଶବ ବାଲେଶ୍ବରରେ, ପୁଅର ଭୁବନେଶ୍ବରରେ

ଭୁବନେଶ୍ବର : ୧୦ ବ‌ର୍ଷର ପୁଅକୁ ସାଙ୍ଗରେ ଧରି ବାପା ଭୁବନେଶ୍ବର ବୁଲି ଆସୁଥିଲେ। ବାଟରେ ବାଲେଶ୍ବର ବାହାନଗାରେ ଶବ ହୋଇ ରହିଗଲେ ବାପା। କିନ୍ତୁ ପୁଅ ପହଞ୍ଚିଯାଇଥିଲା ଭୁବନେଶ୍ବରରେ। ମାତ୍ର ସେ ବି ଶବ ହୋଇଯାଇଥିଲା। ବାପାଙ୍କ ଶବ ଆଗ ଘରେ ପହଞ୍ଚିଯାଇଥିଲା। ପରିବାର ଲୋକେ ଭାବିଥିଲେ ପୁଅ ବଞ୍ଚିଯାଇଛି। ମାତ୍ର ଆଜି ମିଳିଛି ତା’ର ମୃତଦେହ। କ୍ୟାପିଟାଲ୍‌ ହସ୍ପିଟାଲରୁ ପୁତୁରାର ଶବ ନେଇ ଦାଦା ଆଜି ଘରକୁ ଫେରିଛି। ଆଜି କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ପୁତୁରାର ଶବକୁ ଧରି ଦାଦା କାନ୍ଦୁଥିବାର ଦୃଶ୍ୟ ଥିଲା ବେଶ୍‌ ହୃଦୟବିଦାରକ।

ପଶ୍ଚିମବଙ୍ଗ ପୁରୁଲିଆର ବଳଦେବ ପାଲ୍‌ ଓ ତାଙ୍କ ୧୦ ବର୍ଷର ପୁଅ ସୁମନ୍‌ ଶୁକ୍ରବାର ହାଓଡ଼ାରୁ କରମଣ୍ଡଳରେ ଉଠିଥିଲେ। ଖରାଛୁଟିରେ ପୁଅକୁ ଭୁବନେଶ୍ବର ଓ ପୁରୀ ବୁଲାଇବାକୁ ବଳଦେବ ଘରୁ ବାହାରିଥିଲେ। ମାତ୍ର, ବିଧିର ବିଧାନ ଥିଲା ବଡ଼ ଭୟଙ୍କର। ବାହାନଗାରେ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହେବା ପରେ ବାପ-ପୁଅ ଅଲଗା ହୋଇଯାଇଥିଲେ। ଶବ ପାଲଟିଯାଇଥିଲେ ଦୁଇଜଣ। ଉଦ୍ଧାରକାରୀ ଦଳ ବଳଦେବଙ୍କୁ ବାଲେଶ୍ବର ହସ୍ପିଟାଲ୍‌ରେ ରଖିଥିବା ବେଳେ ସୁମନ୍‌ର ଶବକୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ନିଆଯାଇଥିଲା। ଦୁର୍ଘଟଣା ଖବର ପାଇ ବଳଦେବଙ୍କ ସାନଭାଇ ବିପ୍ଳବ ସମ୍ପର୍କୀୟମାନଙ୍କ ସହ ଧାଇଁ ଆସିଥିଲେ ବାଲେଶ୍ବର।

publive-image Mycitylinks

ବଳଦେବଙ୍କ ମୃତଦେହ ବାଲେଶ୍ବର ହସ୍ପିଟାଲ୍‌ରୁ ମିଳିଥିଲା। ମାତ୍ର ମିଳିନଥିଲା ପୁତୁରା ସୁମନ। ସମ୍ପର୍କୀୟମାନେ ବଳଦେବଙ୍କ ମୃତଦେହ ନେଇ କୋଲକାତା ଫେରିଯାଇଥିଲେ। କିନ୍ତୁ, ପୁତୁରା ବଞ୍ଚିଥିବା ଭାବି ବିପ୍ଳବ ବିଭିନ୍ନ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଆହତମାନଙ୍କ ଭିତରେ ସୁମନ୍‌ଙ୍କୁ ଖୋଜିଥିଲେ। ଦୁଇଦିନ ଖୋଜିବା ପରେ ଆଜି ସେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ପହଞ୍ଚି ସୁମନ୍‌ଙ୍କ ଶବ ଚିହ୍ନଟ କରିଥିଲେ। ପୁତୁରାର ଶବକୁ ଧରି ସେ ଆଜି କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଯେମିତି ଭୋ ଭୋ କାନ୍ଦୁଥିଲେ, ତାହା ସମସ୍ତଙ୍କ ଆଖିରେ ଲୁହ ଭରି ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe