ରେଙ୍ଗାଳି ଡ୍ୟାମ୍‌ରୁ ପ୍ରଥମ ବନ୍ୟାଜଳ ନିଷ୍କାସିତ

Advertisment
କଲ୍‌ମାର ଆଉ ୩ ଗେଟ୍‌ ଖୋଲିଲା ଛତିଶଗଡ଼

ରେଙ୍ଗାଳି : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍‌ ରେଙ୍ଗାଳି ଜଳଭଣ୍ଡାରରେ ସୋମବାର ଗୋଟିଏ ଗେଟ୍ ଖୋଲାଯାଇ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି। ଫଳରେ ବ୍ରାହ୍ମଣୀ ନଦୀ ଅବବାହିକାରେ ଜଳସ୍ତର ବଢ଼ିବାର ଆଶଙ୍କା ରହିଛି। ଜଳଭଣ୍ଡାରରେ ପାଣି ବଢ଼ୁଥିବାରୁ ଅଧିକ ଗେଟ୍‌ ଖୋଲିବାର ସମ୍ଭାବନା ରହିଛି।

ବ୍ରାହ୍ମଣୀ ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ରେଙ୍ଗାଳି ଜଳଭଣ୍ଡାରରେ ଜଳସ୍ତର ଦୁଇଦିନ ହେଲା ବୃଦ୍ଧି ପାଉଥିଲା। ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୨୩.୫ ମିଟର ଥିବାବେଳେ ମଧ୍ୟାହ୍ନ ୧ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୧୨୨.୧୧ମିଟରରେ ପହଞ୍ଚିଥିଲା। ଉପରମୁଣ୍ଡ‌ରୁ ଅଧିକ ପାଣି ଆସୁଥିବାରୁ ସୋମବାର ମଧ୍ୟାହ୍ନ ୧ଟା ୧୫ ମିନିଟ୍‌ରେ ଗୋଟିଏ ଗେଟ୍ ଖୋଲି ବନ୍ୟାଜଳ ନିଷ୍କାସନ କରାଯାଉଛି। ସୋମବାର ଅପରାହ୍ନ ୪ଟା ବେଳକୁ ରେଙ୍ଗାଳି ଡ୍ୟାମ୍‌ଠାରେ ବ୍ରାହ୍ମଣୀ ନଦୀର ଜଳସ୍ତର ୧୨୨.୩ ମିଟର ରହିଛି। ଡ୍ୟାମ୍‌ର ଜଳଧାରଣ ସାରଣୀ ଅନୁଯାୟୀ ଏହି ସମୟରେ ଜଳସ୍ତର ୧୨୦.୫ ମିଟର ରହିବା କଥା। ଏବେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୭୪୩୮.୯୬ ଘନ ମିଟର ଜଳ ପ୍ରବେଶ କରୁଥିଲାବେଳେ ୧୯୭୧.୮୬ଘନ ମିଟର ଜଳ ନିଷ୍କାସନ ହେଉଛି। ଖୋଲାଯାଇଥିବା ଗୋଟିଏ ଗେଟ୍‌ରେ ୧୪୧୦.୧୦ ଘନ ମିଟର ଓ ପାୱାର ଚ୍ୟାନେଲ୍‌ରେ ୫୭୧.୭୬ଘନ ମିଟର ଜଳ ନିଷ୍କାସିତ ହେଉଛି। ଡ୍ୟାମ୍‌ର ଗୋଟିଏ ଗେଟ୍‌ ଖୋଲାଯିବା ପରେ ମଧ୍ୟ ପ୍ରତି ଘଣ୍ଟାରେ ୬ ସେମି ଜଳସ୍ତର ବୃଦ୍ଧି ପାଉଛି। ତେଣୁ ଜଳସ୍ତର ବୃଦ୍ଧି ହେଲେ ଅଧିକ ଫାଟକ ଖୋଲାଯିବାର ସମ୍ଭାବନା ଥିବା‌ ଜଣାପଡ଼ିଛି।

ସୋମବାର ଦିନ ଗେଟ୍‌ ଖୋଲାଯିବା ସମୟରେ ଡ୍ୟାମ୍‌ର ମୁଖ୍ୟଯନ୍ତ୍ରୀ ବାମ ପ୍ରସାଦ ବିଶ୍ଵାଳ, ସହକାରୀ ମୁଖ୍ୟଯନ୍ତ୍ରୀ  ସନ୍ତୋଷ କୁମାର ମହାପାତ୍ର, ଅଧୀକ୍ଷଣ ଯନ୍ତ୍ରୀ  ଜଗନ୍ନାଥ ପଣ୍ଡା, ଉପଖଣ୍ଡ ଅଧିକାରୀ ଶଙ୍କରାନନ୍ଦ ରଣା, ସହକାରୀ ଯନ୍ତ୍ରୀ ଦାଶରଥି ମୁର୍ମୁ, କନିଷ୍ଠ ଯନ୍ତ୍ରୀ ଲକ୍ଷ୍ମଣ ମୁର୍ମୁ, ଜ୍ୟୋତି ରଞ୍ଜନ ସିଂ, ଏଷ୍ଟିମେଟର ଇଂ. ସୂର୍ଯ୍ୟକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe