ବଢ଼ୁଛି ହୀରାକୁଦ ଜଳସ୍ତର, ମୁଣ୍ଡଳୀ‌ରେ ପ୍ରଥମ ବନ୍ୟାଜଳ

ନରାଜରେ ମହାନଦୀ ବିପଦ ସଙ୍କେତ ଉପରେ ବନ୍ୟାଜଳ

ସମ୍ବଲପୁର/ତ୍ରିଶୁଳିଆ : ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବଢ଼ି ଚାଲିଛି। ବୁଧବାର ସନ୍ଧ୍ୟା ୬ଟାରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୧୪.୨୫ ଫୁଟ୍‌ରେ ପହଂଚିଛି। ସକାଳ ୬ଟାରେ ଜଳସ୍ତର ୬୧୩.୮୫ ଫୁଟ୍ ପହଂଚିଥିବା ବେଳେ ମଧ୍ୟାହ୍ନ ୧୨ଟାରେ ୬୧୪ ଫୁଟ୍‌ ଅତିକ୍ରମ କରିଥିଲା। ସନ୍ଧ୍ୟା ୬ଟାରେ ଜଳଭଣ୍ଡାରକୁ ୧,୬୮,୮୫୧ କ୍ୟୁସେକ ଜଳ ପ୍ରବେଶ କରୁଥିବା ସମୟରେ ୧,୧୬, ୬୮୮ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା। ସେଥିରୁ ୫ଟି ସ୍ପିଲୱେ ଦେଇ ୭୬,୦୨୫ କ୍ୟୁସେକ ଏବଂ ପାୱାର ଚାନେଲ ଦେଇ ୩୬,୧୭୭ କ୍ୟୁସେକ ଜଳ ମହାନଦୀରେ ଛଡ଼ାଯାଇଛି। ସେହିପରି ଜଳସେଚନ ନିମନ୍ତେ ୪୨୧୩ କ୍ୟୁସେକ ଜଳ ବିଭିନ୍ନ କେନାଲରେ ଛଡ଼ାଯାଇଛି। ଶିଳ୍ପାନୁଷ୍ଠାନଗୁଡ଼ିକ ୨୭୩ କ୍ୟୁ‌ସେକ ଜଳ ଜଳଭଣ୍ଡାରରୁ ଟାଣୁଛନ୍ତି।

ଅନ୍ୟପକ୍ଷରେ, ଚଳିତ ବର୍ଷ ମୁଣ୍ଡଳୀରେ ମହାନଦୀର ପ୍ରଥମ ବନ୍ୟାଜଳ ପହଞ୍ଚିଛି। ଗତକାଲି ମଧ୍ୟ ରାତିରୁ ଏହି ବନ୍ୟାଜଳ ମୁଣ୍ଡଳୀ ବ୍ୟାରେଜ୍‌ ଦେଇ ପ୍ରବାହିତ ହେଉଛି। ଗତକାଲି ହୀରାକୁଦ ଡ୍ୟାମ୍‌ର ୫ଟି ଗେଟ୍‌ ଖୋଲାଯିବା ପରେ ବନ୍ୟାଜଳ ଆସି ମୁଣ୍ଡଳୀ ଅତିକ୍ରମ କରିଛି। ବୁଧବାର ସନ୍ଧ୍ୟା ୫ଟା ସୁଦ୍ଧା ମୁଣ୍ଡଳୀରେ ପ୍ରତି ସେକେଣ୍ଡରେ ୧ଲକ୍ଷ ୬୬ହଜାର କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି। ତେବେ ଏହା ବିପଦ ସଂକେତଠାରୁ ବହୁ ତଳେ ରହିଥିବାରୁ ମହାନଦୀର ତଳିଆ ଅଞ୍ଚଳ ପାଇଁ କୌଣସି ବିପଦ ନଥିବା ସୂଚନା ମିଳିଛି। ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe