The Asian Age
ରାୟଗଡ଼ା: କାଶୀପୁର ବ୍ଲକ୍ର ଦେଢ଼ ଲକ୍ଷ ଜନସଂଖ୍ୟାରୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ୍ ହୋଇଛନ୍ତି ୧.୩୬ ଲକ୍ଷ। ସଭିଁଙ୍କୁ ୧ ଟଙ୍କାରେ ଚାଉଳ ଯୋଗାଇ ଦେଉଛନ୍ତି ସରକାର। ଏଥିସହ କୋଭିଡ୍ ପରଠାରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଅତିରିକ୍ତ ଭାବେ ଚାଉଳ ପାଉଛନ୍ତି ୧୧୭୫୬୮ ହିତାଧିକାରୀ। ତଥାପି କାଶୀପୁର ବ୍ଲକବାସୀଙ୍କ ଭୋକ ମେଣ୍ଟାଉଛି ଆମ୍ବ ଟାକୁଆ ଓ ଅଖାଦ୍ୟ! ପରମ୍ପରାଗତ ଖାଦ୍ୟ ପ୍ରଣାଳୀକୁ ଆଦିବାସୀ, କନ୍ଧ ଓ ଝୋଡ଼ିଆ ସଂପ୍ରଦାୟ ଛାଡ଼ି ପାରୁନଥିବାରୁ ଝାଡ଼ାବାନ୍ତି ସହ ଅନ୍ୟ ରୋଗରେ ପୀଡ଼ିତ ହୋଇ ଅକାଳରେ ଜୀବନ ହାରୁଛନ୍ତି।
ଦୀର୍ଘ ୪ ଦଶନ୍ଧି ଧରି ଝାଡ଼ାବାନ୍ତି, ଅନାହାର ମୃତ୍ୟୁର ଇଲାକା ଭାବେ ଜାତୀୟସ୍ତରରେ ଚର୍ଚ୍ଚାରେ ରହିଛି କାଶୀପୁର। ବ୍ଲକ୍ର ୮୦ ପ୍ରତିଶତ ଲୋକେ ଚାଷ ଉପରେ ନିର୍ଭରଶୀଳ ଥିବା ବେଳେ ସେମାନଙ୍କ ପ୍ରିୟ ଖାଦ୍ୟ ଆମ୍ବ ଟାକୁଆ ଓ ମାଣ୍ଡିଆରୁ ପ୍ରସ୍ତୁତ ଜାଉ। ଟଙ୍କିକିଆ ଚାଉଳ ଯୋଜନା କାର୍ଯ୍ୟକାରୀ ହେବାପରେ ଗରିବ ସୀମାରେଖା ତଳେ ବାସ କରୁଥିବା କାଶୀପୁର ବ୍ଲକର ୪୩ ହଜାର ୨୬୦ ପରିବାର ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ୍ ହୋଇଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ବ୍ଲକ୍ର ୩୬ ହଜାର ୩୧୨ ପରିବାରର ୧ ଲକ୍ଷ ୧୭ ହଜାର ୬୮୯ ହିତାଧିକାରୀ ୫ କିଲୋ ହିସାବରେ ୫୮୮୪.୦୪ କ୍ବିଣ୍ଟାଲ୍ ଚାଉଳ ଏବଂ ୦.୪୧ କ୍ବିଣ୍ଟାଲ୍ ଗହମ ପାଉଛନ୍ତି। ସେହିପରି ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ ୫ ହଜାର ୯୦୪ ପରିବାରର ୧୬ ହଜାର ୪୯୯ ହିତାଧିକାରୀ କାର୍ଡ ପିଛା ୨୫ କିଲୋ ହିସାବରେ ୨୦୬୬.୪ କ୍ବିଣ୍ଟାଲ୍ ଚାଉଳ ପାଉଛନ୍ତି। ଏଥିସହ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ କାଶୀପୁର ବ୍ଲକ୍ର ୯୨୫ ପରିବାରର ୨୬୮୫ ହିତାଧିକାରୀଙ୍କୁ ୫ କିଲୋ ହିସାବରେ ୧୩୪.୨୫ କ୍ବିଣ୍ଟାଲ୍ ଚାଉଳ ମିଳୁଛି। ଏହା ବାଦ୍ ବାସହରା, ବାସଚ୍ୟୁତ ହୋଇଥିବା ବ୍ଲକ୍ର ୧୧୯ ପରିବାରକୁ ୧୦ କିଲୋ ହିସାବରେ ୧୧.୯ କ୍ବିଣ୍ଟାଲ୍ ଚାଉଳ ପ୍ରଦାନ କରାଯାଉଛି। ଏଭଳି ଭାବେ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ବ୍ଲକ୍ର ୪୩ ହଜାର ୨୬୦ ପରିବାରର ୧ ଲକ୍ଷ ୩୬ ହଜାର ୯୯୨ ହିତାଧିକାରୀ ୮୦୯୬.୫୯ କ୍ବିଣ୍ଟାଲ୍ ଚାଉଳ ପାଉଛନ୍ତି। କରୋନା ମହାମାରୀ ଯୋଗୁ ଜୀବିକା ହରାଇ ଗାଁ ମୁହାଁ ହୋଇଥିବା କାଶୀପୁର ବ୍ଲକର ୩୬ ହଜାର ୨୯୫ ଗରିବ ପରିବାରକୁ ଅତିରିକ୍ତ ଭାବେ ୫୮୭୭.୯୯ କ୍ବିଣ୍ଟାଲ୍ ଚାଉଳ ଯୋଗାଇ ଦିଆଯାଉଛି। ସେହିପରି ରାଜ୍ୟ ସରକାର ଅତିରିକ୍ତ ଭାବେ ୯୪୩ ପରିବାରର ୨୭୩୪ ହିତାଧିକାରୀଙ୍କୁ ୧୩୬.୭୦ କ୍ବିଣ୍ଟାଲ୍ ଚାଉଳ ଯୋଗାଇ ଦେଉଛନ୍ତି। ସପ୍ତାହେ ଧରି ଝାଡ଼ାବାନ୍ତି ବ୍ୟାପିଥିବା ଟିକିରି ପଞ୍ଚାୟତକୁ ଫୋକସ୍କୁ ନେଲେ ଏହି ପଞ୍ଚାୟତର ୩ ହଜାର ୨୯୭ ପରିବାରର ୧୦ ହଜାର ୬୧୬ ହିତାଧିକାରୀ ୫୩୦.୭୨ କ୍ବିଣ୍ଟାଲ୍ ଚାଉଳ ଏବଂ ୦.୮ କ୍ବିଣ୍ଟାଲ୍ ଗହମ ପାଉଛନ୍ତି।
ଏହାସତ୍ତ୍ବେ ଭାତ ଓ ଅନ୍ୟାନ୍ୟ ପୃଷ୍ଟିକର ଖାଦ୍ୟକୁ ଆଦିବାସୀ, କନ୍ଧ ଏବଂ ଝୋଡ଼ିଆ ସଂପ୍ରଦାୟ ସାଧାରଣତଃ ଗ୍ରହଣ କରିପାରିନାହାନ୍ତି। ଅଧିକାଂଶ ସମୟ ଆମ୍ବ ଟାକୁଆ, ମାଣ୍ଡିଆରୁ ପ୍ରସ୍ତୁତ ଜାଉ ଏବଂ ମହୁଲରୁ ପ୍ରସ୍ତୁତ ମଦ୍ୟପାନ କରି ରହୁଛନ୍ତି। ଯାହା ଗତ ସପ୍ତାହକ ମଧ୍ୟରେ ଟିକିରି ପଞ୍ଚାୟତରେ ଝାଡ଼ାବାନ୍ତିର ଶିକାର ହୋଇ ୫ ଜଣଙ୍କ ମୃତ୍ୟୁ ଘଟଣାରୁ ସ୍ପଷ୍ଟ। ତେବେ ଗୁରୁବାର ରାତିରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଟିକିରି ଝୋଡ଼ିଆ ସାହିର ସରୋଜିନୀ ଝୋଡ଼ିଆଙ୍କ ପରିବାର ୫ ବର୍ଷ ହେଲା ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ଥିବା ଜଣାପଡ଼ିଛି। ରାସନ କାର୍ଡ ହଜି ଯାଇଥିବାରୁ ୫ ବର୍ଷ ହେଲା ରାସନ ସାମଗ୍ରୀ ପାଉନାହାନ୍ତି ରଜନୀଙ୍କ ପରିବାର। ସେହିପରି ମୃତ ଅଞ୍ଜନ ଝୋଡ଼ିଆଙ୍କ ପରିବାର ମଧ୍ୟ ରାସନ ସାମଗ୍ରୀରୁ ବଞ୍ଚିତ ରହିଛନ୍ତି। ପରିବାରରେ ଚାରି ପ୍ରାଣୀ କୁଟୁମ୍ବ ରହୁଥିବାବେଳେ କେବଳ ଅଞ୍ଜନଙ୍କ ମା’ ବାଲି ଝୋଡ଼ିଆଙ୍କୁ ହିଁ ମାସକୁ ପାଞ୍ଚ କିଲୋ ଚାଉଳ ମିଳୁଛି। ଅନ୍ୟ ମୃତକ ରଜନୀ ଝୋଡ଼ିଆ ମାନସିକ ଅନଗ୍ରସର ଥିବା ସତ୍ତ୍ବେ ଆବେଦନ ପରେ ବି ଭତ୍ତା କିମ୍ବା ଆବାସ ଯୋଜନାରେ ଘର ଖଣ୍ଡିଏ ପାଇପାରିନାହାନ୍ତି।
Follow Us