iStock
କଣ୍ଟାମାଳ: ମନମୁଣ୍ଡା ଫରେଷ୍ଟ ରେଞ୍ଜ ଶୁଣ୍ଢିପଦର ପଞ୍ଚାୟତ ପେନାଯୋର ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ୬ନମ୍ବର କମ୍ପାର୍ଟମେଣ୍ଟ ଖଜୁରୀଖୋଲ ଜଙ୍ଗଲରୁ ବ୍ୟାପକ ଗଞ୍ଜେଇ ଗଛ ନଷ୍ଟ କରିଛି ମନମୁଣ୍ଡା ବନ ବିଭାଗ। ଶୁକ୍ରବାର ମନମୁଣ୍ଡା ଫରେଷ୍ଟ ରେଞ୍ଜର ଶ୍ରୀବତ୍ସ କୁମୁରାଙ୍କ ନେତୃତ୍ବରେ ଜଙ୍ଗଲର ୭ ହେକ୍ଟର ଜାଗାରେ ହୋଇଥିବା ପ୍ରାୟ ୨୫ ହଜାର ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଥିଲା। ଚଢ଼ଉରେ ଶ୍ରୀ କୁମୁରା, ବୌଦ୍ଧ ରେଞ୍ଜର ନିହାର ରଞ୍ଜନ ମଲ୍ଲିକ, କଣ୍ଟାମାଳ ରେଞ୍ଜର ଖିରାବ୍ଦୀ ପ୍ରଧାନ, ମନମୁଣ୍ଡା ଫରେଷ୍ଟର ପ୍ରକାଶ ଚନ୍ଦ୍ର ସେଠୀ, ଶଗଡ଼ା ଫରେଷ୍ଟର ଦେବକାନ୍ତ ବେହେରା, ବରପଦର ଫରେଷ୍ଟର ମାଳତୀ ମାଝୀ ପ୍ରମୁଖ ସାମିଲ ଥିଲେ।
ସେହିପରି ମନମୁଣ୍ଡା ପୁଲିସ ପକ୍ଷରୁ ଥାନାଧିକାରୀ ଅଶ୍ବିନୀ ଭିତିରିଆଙ୍କ ନେତୃତ୍ବରେ ପେନାଯୋର ସଂରକ୍ଷିତ ଜଙ୍ଗଲର ୩୩ ଏକର ଜଙ୍ଗଲ ଜମିରେ ଲାଗିଥିବା ପ୍ରାୟ ୪୯ ହଜାର ୫ଶହ ଗଞ୍ଜେଇ ଗଛ ନଷ୍ଟ କରାଯାଇଥିଲା। ପୁଣି ବଲମତୁମା ସଂରକ୍ଷିତ ଜଙ୍ଗଲରେ କଣ୍ଟାମାଳ ଥାନାଧିକାରୀ ନଳିନୀକାନ୍ତ ଦାସଙ୍କ ନେତୃତ୍ବରେ ପୁଲିସ ଚଢ଼ଉ କରି ୫୦ ଏକର ପରିମିତ ଜଙ୍ଗଲ ଜମିରେ ଚାଷ ହୋଇଥିବା ୭୫ ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇଥିଲା। ଅନ୍ୟପକ୍ଷରେ ଏବେ ବି ବଲମତୁମା ଓ ପେନାଯୋର ସଂରକ୍ଷିତ ଜଙ୍ଗଲରେ ଆହୁରି ଶତାଧିକ ହେକ୍ଟର ଜଙ୍ଗଲ ଜମିରେ ଗଞ୍ଜେଇ ଚାଷ ହୋଇଥିବା ଅଭିଯୋଗ ହୋଇଛି।
Follow Us