ହାତୀପଲର ଗତିବିଧି ଠାବ କରିବାରେ ବନ ବିଭାଗ ବିଫଳ

ହାତୀପଲର ଗତିବିଧି ଠାବ କରିବାରେ ବନ ବିଭାଗ ବିଫଳ

Times of India

କେନ୍ଦୁଝର: ହାତୀପଲଙ୍କୁ ଠାବ କରିବାରେ ବନ ବିଭାଗ ଫେଲ୍ ମାରିଛି।  ପାଞ୍ଚପାଞ୍ଚ ଦିନ ଧରି ହାତୀଙ୍କ ଗତବିଧିକୁ ବନ କର୍ମଚାରୀ ଟ୍ରାକ୍ କରି ନପାରିବାରୁ ଡିଏଫଓ ଏଚଡି ଧନରାଜ ବିଜେପି ରେଞ୍ଜ ଅଧିକାରୀଙ୍କୁ ଏ ସମ୍ପର୍କିତ ରିପୋର୍ଟ ତଲବ କରିଥିଲେ। ତେବେ ବନ ବିଭାଗର ଅବହେଳା ଏବଂ ହାତୀପଲକୁ ଟ୍ରାକ୍ କରା ଯାଇ ନପାରିବା କାରଣରୁ କେନ୍ଦୁଝର ଜୁଡ଼ିଆ ଫାର୍ମରେ ଦୁଇଦୁଇଟି ହାତୀଙ୍କର ବିଦ୍ୟୁତ୍‌ ଆଘାତରେ ପ୍ରାଣ ଗଲା। ଏହି ଘଟଣାକୁ ପଶୁପ୍ରେମୀ, ପରିବେଶବିତ୍ ସହଜରେ ଗ୍ରହଣ କରିପାରୁ ନାହାନ୍ତି।

ରିପୋର୍ଟ ମାଗିବାର ମାତ୍ର ଗୋଟିଏ ଦିନ ପରେ ହାତୀଙ୍କ ମୃତ୍ୟୁ ଘଟିବାରୁ ଡିଏଫଓ ବିଜେପି ରେଞ୍ଜ ଅଧିକାରୀଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କହିଛନ୍ତି ଯଦି ହାତୀଙ୍କ ଗତିବିଧିକୁ ଠିକ ଭାବରେ ଟ୍ରାକ୍ କରାଯାଇ ପାରିଥାନ୍ତା ତେବେ ହୁଏତ୍ ହାତୀ ମୃତ୍ୟୁକୁ ରୋକାଯାଇପାରିଥାନ୍ତା।

ଜୁଡିଆ ଫାର୍ମ ସଦର ରେଞ୍ଜ ଅଧୀନ ହୋଇଥିବା ବେଳେ ଏହାଠାରୁ ମାତ୍ର ଅଳ୍ପ କିଛି ଦୂରତାରେ ରହିଛି ବିଜେପି ରେଞ୍ଜ। ବିଜେପି ରେଞ୍ଜର ଏହି ହାତୀପଲ ବିଚରଣ କରୁଥିବା ବେଳେ ଦୁଇଟି ହାତୀ ଜୁଡ଼ିଆ ଫାର୍ମକୁ ପଶି ଆସିଥିଲେ।  ୨୫ ତାରିଖ ସକାଳ ୭ଟା ବେଳେ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କଲେ।  ହାତୀ ପଲକୁ ଟ୍ରାକ କରାଯାଇ ନପାରି ଥିବାରୁ ଖୋଦ୍‌ ଡିଏଫ୍‌ଓ ଏଥିନେଇ କ୍ଷୁବ୍ଧ ଥିଲେ।

ପିସିସିଏଫ୍‌(ବନ୍ୟପ୍ରାଣୀ)ର ନିୟମ ଅନୁସାରେ, ପ୍ରତ୍ୟେକ ଦିନ ହାତୀର ଗତିବିଧି ନେଇ ଟ୍ରାକିଂ ବ୍ୟବସ୍ଥାର ଫଟୋ ଅପଲୋଡ୍‌ କରାଯାଇଥାଏ। ଯଦି କୌଣସି କାରଣରୁ ପ୍ରଥମ ଦିନ ହାତୀ ସହିତ ଫଟୋ ଅପ୍‌ଲୋଡ  ହୋଇପାରିଲା ନାହିଁ, ତେବେ ଦ୍ବିତୀୟ ଦିନ  ଫଟୋ ଅପଲୋଡ କରିବା ବ୍ୟବସ୍ଥା ରହିଛି। ମାତ୍ର ଏକ୍ଷେତ୍ରରେ ଗତ ୧୯ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ବିଜେପି ରେଞ୍ଜରେ ଥିବା ଏହି ହାତୀ ପଲକୁ ବନ ବିଭାଗ ଟ୍ରାକ କରି ପାରି ନଥିଲା କି ଏହି ହାତୀପଲର ଫଟୋକୁ ଟ୍ରାକିଂ ବ୍ୟବସ୍ଥାରେ ପୋଷ୍ଟ କରି ପାରି ନଥିଲା।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ହାତୀ ପଲ ସଦର ରେଞ୍ଜରେ ପଶି ମୃତ୍ୟୁବରଣ କରିଥିଲେ ବି ଏହି ହାତୀପଲ  ପୂର୍ବରୁ ବିଜେବି ରେଞ୍ଜରେ ବୁଲୁଥିଲେ। ଯେତେବେଳେ ସଦର ରେଞ୍ଜକୁ ଏହି ହାତୀପଲ ପ୍ରବେଶ କଲେ ବନ ବିଭାଗର ନିୟମ ଅନୁସାରେ, ତତ୍‌କାଳ ଏହି ଖବର ସଦର ରେଞ୍ଜକୁ ଦେବା କଥା। ମାତ୍ର ବିଜେବି ରେଞ୍ଜ ପକ୍ଷରୁ ଏହି ହାତୀ ପଲ ସଂପର୍କରେ ସଦର ରେଞ୍ଜକୁ ଖବର ଦିଆଯାଇ ନ ଥିଲା। ଯେଉଥିପାଇଁ ହାତୀ ମୃତ୍ୟୁ ପରେ ବିଦ୍ୟୁତ ବିଭାଗଠାରୁ ଖବର ପାଇ ବନ ବିଭାଗ କର୍ମଚାରୀମାନେ ସେଠାରେ ପହଞ୍ଚିଥିଲେ। ହାତୀଙ୍କ ଗତିବିଧି ଲକ୍ଷ୍ୟ କରିବାକୁ ଗଜସାଥୀଙ୍କଠାରୁ ଆରମ୍ଭ କରି ସ୍ବତନ୍ତ୍ର ସ୍କ୍ବାଡ୍ ଗଠନ କରାଯାଇଛି। ସ୍ବତନ୍ତ୍ର ଗାଡି ଏବଂ ସ୍ବତନ୍ତ୍ର ଅନୁଦାନର ବ୍ୟବସ୍ଥାର ବ୍ୟବସ୍ଥା ରହିଛି। ହେଲେ ବିଜେପି ରେଞ୍ଜରେ କିପରି ହାତୀପଲଙ୍କ ଗତିବିଧି ପାଞ୍ଚପାଞ୍ଚ ଦିନ ଧରି ଟ୍ରାକ୍ କରାଯାଇ ପାରିଲା ନାହିଁ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe