ବାଟବଣା ହାତୀକୁ ବାନ୍ଧିଲା ବନ ବିଭାଗ

ବାଟବଣା ହାତୀକୁ ବାନ୍ଧିଲା ବନ ବିଭାଗ

ବିଂଝାରପୁର/ଦଶରଥପୁର: ଯାଜପୁର ଜିଲ୍ଲାର ଦଶରଥପୁର ଓ ବିଂଝାରପୁର ବ୍ଲକ୍‌ରେ ଆଜି ଦିନସାରା ବୁଲି ଆତଙ୍କ ଖେଳାଇଥିବା ବାଟବଣା ଦନ୍ତାହାତୀଟିକୁ ବନ ବିଭାଗ ବାନ୍ଧିବାରେ ସକ୍ଷମ ହୋଇଛି। ସନ୍ଧ୍ୟାରେ ଏହାକୁ ବିଂଝାରପୁର ବ୍ଲକ୍‌ର ଉତ୍ତଙ୍ଗରା ପଞ୍ଚାୟତ ବରୀକୂଳ ଗାଁରେ ଟ୍ରାଙ୍କୁଲାଇଜ୍‌ କରି କାବୁ କରାଯାଇଛି। ବରୀକୂଳ ଗାଁରେ ବିଲ ଭିତରେ ଧାନ ଖାଉଥିଲାବେଳେ ଅପରାହ୍‌ଣ ପ୍ରାୟ ସାଢ଼େ ୩ ଟାରେ ନନ୍ଦନକାନନରୁ ଆସିଥିବା ପ୍ରାଣୀ ଚିକିତ୍ସକ ଦଳ ହାତୀଟିକୁ ପ୍ରଥମେ ଟ୍ରାଙ୍କୁଲାଇଜ କରିଥିଲେ। ପ୍ରାୟ ଅଧଘଣ୍ଟା ପରେ ୪ ଟାରେ ଦ୍ବିତୀୟ ଥର ଟ୍ରାଙ୍କୁଲାଇଜ କରାଯାଇଥିଲା। ଏହାପରେ ପଛଗୋଡ଼କୁ ରଶିରେ ଛନ୍ଦାଯାଇଥିଲା। ଆଗ ଗୋଡ଼କୁ ଲୁହା ଚେନ୍‌ରେ ବାନ୍ଧି ବିଲରୁ ଟାଣିଟାଣି ନେଇ ଜେସିବି ସାହାଯ୍ୟରେ ରାସ୍ତା ଉପରକୁ ଉଠାଯାଇଥିଲା। ସେଠାରୁ କ୍ରେନ୍‌ ସାହାଯ୍ୟରେ ଏକ ହାଇୱାରେ ଉଠାଯାଇ ହାତୀଟିକୁ ନନ୍ଦନକାନ ଅଭିମୁଖେ ନିଆଯାଇଛି ବୋଲି ରେଞ୍ଜ ଅଫିସର ମାର୍ଶାଲ କିସ୍କୁ ସୂଚନା ଦେଇଛନ୍ତି।

ହାତୀ ଦେଖିବାକୁ ହଜାରହଜାର ଲୋକ ଭିଡ଼ ଜମାଇଥିବାରୁ ପୁଲିସ ପ୍ରଶାସନକୁ ନାକେଦମ୍‌ ହେବାକୁ ପଡ଼ିଛି। ବିଂଝାରପୁର ତହସିଲଦାର କୈଳାସ ଚନ୍ଦ୍ର ମହାଳିକ ସେହି ଅଞ୍ଚଳ​ରେ ୧୪୪ ଧାରା ଜାରି କରିଥିଲେ। ଆଇଆଇସି ପ୍ରଶାନ୍ତ କୁମାର ଦାଶଙ୍କ ନେତୃତ୍ବରେ ଏକ ପ୍ଲାଟୁନ ପୁଲିସ ଫୋର୍ସ ରାସ୍ତାର ଉଭୟ ପାର୍ଶ୍ବରେ ବ୍ୟାରିକେଡ୍‌ କରି କାହାକୁ ଛାଡ଼ିନଥିଲେ। ରେଞ୍ଜ ଅଫିସର ପୀତାମ୍ବର ନାୟକଙ୍କ ସମେତ ବନ ବିଭାଗର ବହୁ ଅଧିକାରୀ, କର୍ମଚାରୀ ଏଥିରେ ସହଯୋଗ କରିଥିଲେ।

କେନ୍ଦୁଝର ଜିଲ୍ଲାର ହଦଗଡ଼ ଜଙ୍ଗଲରୁ ବାହାରି ଆସିଥିବା ଏହି ଦନ୍ତାଟି ଦୁଇଦିନ ତଳେ ଆନନ୍ଦପୁର ଓ ହାଟଡିହି ବ୍ଲକ୍‌​ର ବିଭିନ୍ନ ଗାଁ ଭିତରେ ପଶି ଆତଙ୍କ ଖେଳାଇଥିଲା। ଗୁରୁବାର ସନ୍ଧ୍ୟାରେ ଏହା ଭଦ୍ରକ ଜିଲ୍ଲାର ନାହାମି ଅଞ୍ଚଳରେ ପଶିଥିଲା। ଶନିବାର ସକାଳେ ଯାଜପୁର ଜିଲ୍ଲାର ବିରଜାପୁରରେ ହଠାତ ଏହି ଦନ୍ତାଟିକୁ ବିଲରେ ଧାନ ଖାଉଥିବାର ଲୋକେ ଦେଖିଥିଲେ। ବଣୁଆ ହାତୀ ଦେଖିବାକୁ ଲୋକଙ୍କ ଭିଡ଼ ହୋଇଥିବାବେଳେ ପାଚିଲା ଧାନ ଫସଲ ନଷ୍ଟ ହେଉଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଲୋକଙ୍କ ହୋହଲ୍ଲା ମଧ୍ୟରେ ହାତୀଟି ଏଣେତେଣେ ​ଯିବାରେ ଲାଗିଥିଲା। ସାଉଣ୍ଡି ଗ୍ରାମରେ ରାସ୍ତା ଉପରେ ଥିବା ଏକ ବାଇକ୍‌କୁ ହାତୀଟି ଗୋଇଠା ମାରି ରାସ୍ତା ତଳକୁ ଠେଲି ଦେଇଥିଲା। ତଳିହା, ବିହାରୀ, ରାହାସୋଇ, ବିରୁହାଁ, ଗ୍ରାମନନ୍ଦୀପୁର ଆଦି ପଞ୍ଚାୟତ ଦେଇ ହାତୀଟି ବିଂଝାରପୁର ବ୍ଲକର ବରୀକୂଳ ଅଞ୍ଚଳକୁ ଚାଲିଯାଇଥିଲା। ଦଶରଥପୁର ତହସିଲଦାର ବିକ୍ରମ କେଶରୀ ପରିଡ଼ା, ଥାନା ଆଇଆଇସି ବଦ୍ରିକାନାଥ ବେହେରା ଉପସ୍ଥିତ ରହି ଲୋକମାନଙ୍କୁ ସଚେତନ କରିବା ସହ ଭିଡ଼ ନିୟନ୍ତ୍ରଣ କରିଥିଲେ। ଗାଁ ଗାଁରେ ମାଇକ୍‌ ଯୋଗେ ପ୍ରଚାର କରି ଲୋକମାନଙ୍କୁ ସଚେତନ ଓ ସତର୍କ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe