image source-sentinelassam.com
ବଅଁରପାଳ/ନାଲକୋନଗର : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ କୁଲାଡ଼ ଗାଁରେ ଗୁରୁବାର ରାତିରେ ହାତୀ ଆକ୍ରମଣରେ ଜଣେ ବନରକ୍ଷୀ ଶରତ ଘଡ଼େଇ(୫୦)ଙ୍କର ପ୍ରାଣହାନି ଘଟିଛି। ସୂଚନା ଅନୁଯାୟୀ, ସନ୍ଧ୍ୟା ପ୍ରାୟ ୭ଟାବେଳେ ପାଖାପାଖି ୧୫ଟି ହାତୀ କୁଲାଡ଼ରୋ ପଶିଥିଲେ। ହାତୀପଲ ଗାଁ ମଝି, କୁଲାଡ଼ ଛକ ନିକଟ ପୋଖରୀ, ପେଟ୍ରୋଲ ପମ୍ପ ପଛପାଖ, ବ୍ରାହ୍ମଣୀଦେଈ ମନ୍ଦିର ଅଞ୍ଚଳରେ ବୁଲିଥିଲେ। ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଥିଲେ। ହାତୀ ଭୟରେ ଗାଁର କିଛି ଅଧିବାସୀ ସପରିବାର ଛାତ ଉପରକୁ ପଳାଇଥିଲେ।
ଗ୍ରାମବାସୀଙ୍କଠାରୁ ଖବର ପାଇ ବନରକ୍ଷୀ ଶରତ ଘଡ଼େଇ ଆସି ହାତୀଙ୍କୁ ଘଉଡ଼ିବାକୁ ଉଦ୍ୟମ କରିଥିଲେ। ଗ୍ରାମବାସୀ ମଧ୍ୟ ବାଣ ଫୁଟାଇ ହାତୀ ଘଉଡ଼ିବାକୁ ଚେଷ୍ଟା କରିଥିଲେ। ଶରତ ହାତୀ ଘଉଡ଼ିବାବେଳେ ବ୍ରାହ୍ମଣୀଦେଈ ମନ୍ଦିର ନିକଟରେ ଏକ ହାତୀ ତାଙ୍କ ମୁଣ୍ଡକୁ ଦଳି ମାରି ଦେଇଥିବା ଜଣାପଡ଼ିଛି। ଏହାପରେ ଗାଁରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ବହୁ ଗ୍ରାମବାସୀ ୫୫ ନମ୍ବର ଜାତୀୟ ରାଜପଥରେ ଜମା ହୋଇଯିବାରୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ନାଲ୍କୋ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ମୃତ ଶରତଙ୍କ ଘର ତାଳଚେର ବ୍ଲକ୍ ଜନ୍ଦାବାହାଳ ଗାଁରେ। ସେ ଅନୁଗୁଳ ବନାଞ୍ଚଳରେ କାର୍ଯ୍ୟ କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2019/10/elephant-attack-1.jpg)