ଜଙ୍ଗଲ ଜମି ଖୋଳିନେଲେଣି ମାଟି ମାଫିଆ

Advertisment
ଜଙ୍ଗଲ ଜମି ଖୋଳିନେଲେଣି ମାଟି ମାଫିଆ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ବାଲି ଚୋରା ଚାଲାଣ ସୀମା ଲଂଘିଥିବା ବେଳେ ଗତ ୩-୪ ସପ୍ତାହ ହେଲା ଜିଲ୍ଲାବ୍ୟାପୀ ମାଟିମାଫିଆ ବେଶ୍‌ ସକ୍ରିୟ ହୋଇ ସଂରକ୍ଷିତ ଜଙ୍ଗଲକୁ ତାଡ଼ିନେଲେଣି। ଏଥିଯୋଗୁଁ ଜଙ୍ଗଲ ଧ୍ବଂସ ହେବା ସହ ମୂଲ୍ୟବାନ ଗଛ ନଷ୍ଟ ହେବାକୁ ବସିଛି। ସବୁଠାରୁ ବଡ଼କଥା ହେଲା ଶିମିଳିପାଳ ଅଭୟାରଣ୍ୟ ପାର୍ଶ୍ବବର୍ତ୍ତୀ ଅଞ୍ଚଳରୁ ମାଟି ଲୁଟ୍ ହେଉଛି। ସ୍ଥାନୀୟ ଲୋକ ପ୍ରତିବାଦ କଲେ ବି ନେତା ଓ ସରକାରୀ ବାବୁଙ୍କ ନାଁ କହି ନାଲି ଆଖି ଦେଖାଉଛନ୍ତି ମାଫିଆ। ଜଙ୍ଗଲ ଖୋଳି ମାଟି ଲୁଟ୍ ଫଳରେ ଜୈବ ସନ୍ତୁଳନ ପ୍ରତି ମଧ୍ୟ ବିପଦ ସୃଷ୍ଟି ହେଉଛି। ଦିନ ଦ୍ବିପ୍ରହରେ ଜଙ୍ଗଲ ଖୋଳି ମାଟି ଲୁଟ୍ କରାଯାଉଥିବା ବେଳେ ବନ ବିଭାଗ ସବୁ ଜାଣି ଚୁପ୍ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ମୟୂରଭଞ୍ଜ ଜିଲ୍ଲା ସବୁଜିମାରେ ଭରପୂର। ଚାରିଆଡ଼େ ରହିଛି ଘଞ୍ଚଜଙ୍ଗଲ। ତେବେ ବିଭିନ୍ନ କାରଣରୁ ଜଙ୍ଗଲ ପରିସର ସଙ୍କୁଚିତ ହେବାରେ ଲାଗିଛି। ୨ ହଜାର ୭୫୦ ବର୍ଗ କିଲୋମିଟର ପରିବ୍ୟାପ୍ତ ଶିମିଳିପାଳର ଜୈବମଣ୍ଡଳ କ୍ରମଶଃ ହ୍ରାସ ପାଇ ୨ ହଜାର ୫୭୯ ବର୍ଗ କିଲୋମିଟରରେ ପହଞ୍ଚିଲାଣି। ଏହାକୁ ନେଇ ପରିବେଶବିତ୍‌ ଚିନ୍ତିତ ଥିବା ବେଳେ ଏବେ ଜଙ୍ଗଲ ଖୋଳି ମାଟି ଲୁଟ୍ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି। ବିଶେଷ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମୟୂରଭଞ୍ଜରେ ଜମି ଦଲାଲ୍‌ ସକ୍ରିୟ ହୋଇ ସରକାରୀ ଜମି ନିଜ ଦଖଲକୁ ନେଇ ପ୍ଲଟିଂ କରି ବିକ୍ରି କରୁଛନ୍ତି।

ଚାଷ ଜମିକୁ ବି ପ୍ଲଟିଂ କରି ଘରବାଡ଼ି ଜମି କହି ବିକ୍ରି କରିବାକୁ ପଛାଉ ନାହାନ୍ତି। ରାଜସ୍ବ ବିଭାଗ ଜ୍ଞାତସାରରେ ଏସବୁ ଚାଲିଛି। ତେବେ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ। ପ୍ଲଟିଂ କରି ବିକ୍ରି ପୂର୍ବରୁ ସେହି ଜମିକୁ ସମତଳ କରିବାକୁ ପଡ଼ୁଛି। ହେଲେ ମାଟି ସହଜରେ କେଉଁଠୁ ମିଳୁନି। ତେଣୁ ସଂରକ୍ଷିତ ଜଙ୍ଗଲ ହେଉ କି ଶିମିଳିପାଳ ପାର୍ଶ୍ବବର୍ତ୍ତୀ ଅଞ୍ଚଳ, ସେଠାରୁ ମାଟି ଉଠାଇ କାରବାର କରୁଛନ୍ତି ମାଫିଆ। ସ୍ଥାନୀୟ କିଛି କୁଜି ନେତା ଓ ଜନପ୍ରତିନିଧିଙ୍କୁ ହାତଗୁଞ୍ଜା ଦେଇ ମାଫିଆମାନେ ଜଙ୍ଗଲ ଖୋଳି ପ୍ରତିଦିନ ଟ୍ରିପ୍ ଟ୍ରିପ୍ ମାଟି ଉଠାଉଛନ୍ତି। ଫଳରେ ଗୋଟିଏ ଗୋଟିଏ ସ୍ଥାନରେ ୧୫ରୁ ୨୦ ଫୁଟ୍ ଗାତ ସୃଷ୍ଟି ହେଉଛି। ଏହି ଖାଲରେ ପଡ଼ି ମଣିଷ ଓ ବନ୍ୟଜନ୍ତୁଙ୍କ ଜୀବନ ଯିବାର ବି ଆଶଙ୍କା ରହିଛି। ଏନେଇ ସ୍ଥାନୀୟ ଆଦିବାସୀ ପ୍ରତିବାଦ କରୁଛନ୍ତି। ହେଲେ ସେମାନଙ୍କ ପ୍ରତିବାଦକୁ ମାଫିଆମାନେ ଭ୍ରୁକ୍ଷେପ କରୁନାହାନ୍ତି। ତେବେ ସମୟ ଥାଉଥାଉ ମାଟି ମାଫିଆଙ୍କୁ ରୋକା ନଗଲେ ସେମାନେ ସାରା ଜଙ୍ଗଲ ଖୋଳିଦେବେ ବୋଲି ଆଶଙ୍କା କରୁଛନ୍ତି ପରିବେଶବିତ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe