ପୂର୍ବତନ କାଉନ୍‌ସିଲର ଏବେ ଦିନ ମଜୁରିଆ

Advertisment

୨୦ ବର୍ଷରେ ସବୁ କିଛି ଓଲଟପାଲଟ

୨୦ ବର୍ଷରେ ସବୁ କିଛି ଓଲଟପାଲଟ

ପୂର୍ବତନ କାଉନ୍‌ସିଲର ଏବେ ଦିନ ମଜୁରିଆ

କଟକ: (ଗଦାଧର ପଣ୍ଡା) ଦିନେ ସେ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଥିଲେ। ସଭାସମିତିରେ ମଂଚରେ ବସୁଥିଲେ। ତାଙ୍କ ଦସ୍ତଖତରେ ବିଲ୍ ମଂଜୁର ହେଉଥିଲା। କିନ୍ତୁ ୨୦ ବର୍ଷ ପରେ ତାଙ୍କ ଭାଗ୍ୟ ଓଲଟପାଲଟ ହେଇ ଯାଇଛି। ସିଏ ଏବେ ଜଣେ ଦିନ ମଜୁରିଆ। କଟକ ପୌର ପରିଷଦ ଥିବା ସମୟରେ ସେ ୩୨ ନମ୍ବର ୱାର୍ଡ (ଜଗତପୁର ଅଞ୍ଚଳ, ବର୍ତ୍ତମାନର ୪୮-୪୯ ନମ୍ବର ୱାର୍ଡ)ର କାଉନସିଲର ଥିଲେ। ଜଗତପୁର ଶାନ୍ତିନଗର, ମୁଣ୍ଡା ସାହିର ବାସିନ୍ଦା ଭାଗୀରଥୀ ସୋରେନ, ଭାଗି ଭାଇ (୪୯)। କେବେ ଯେ ଦିନେ ସେ ଜଣେ ମାନ୍ୟଗଣ୍ୟ ବ୍ୟକ୍ତି ଥିଲେ, ତାଙ୍କର ସେ କଥା ଆଉ ମନେନାହିଁ ବୋଲି କୁହନ୍ତି ଭାଗି ଭାଇ। ମୂଲ ଲାଗି‌ଲେ ତାଙ୍କୁ ଦିନକୁ ମିଳୁଥିବା ୪୦୦ ଟଙ୍କ‌ାରେ ସେ ତାଙ୍କର ଚାରି ପ୍ରାଣୀ କୁଟୁମ୍ବ ପ୍ରତିପୋଷଣ କରନ୍ତି। ମୟୂରଭଂଜ ବେତନଟିର ମୂଳବାସିନ୍ଦା ଭାଗୀରଥୀ ନିଜର ଦୁଇ ଝିଅ ଓ ପତ୍ନୀଙ୍କୁ ନେଇ ଏବେ ଭିନ୍ନ ଏକ ଜୀବନ ବିତାଉଛନ୍ତି।

ଭାଗୀରଥୀ ହେଉଛନ୍ତି ଅନୁସୂଚିତ ବର୍ଗ ବା ଆଦିବାସୀ ସଂପ୍ରଦାୟର। ‌ସେ ୧୯୯୭ରେ କଲେଜରେ ପଢୁଥିବ‌ାବେଳେ ଜଗତପୁରର ୩୨ ନମ୍ବର ୱାର୍ଡଟି ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ଥିଲା। ମୁଣ୍ଡା ସାହିରେ ରହୁଥିବା ଭାଗୀରଥୀ ଜଣେ ଶିକ୍ଷତ ଯୁବକ ହୋଇଥିବା କାରଣରୁ ବିଜେପି ତାଙ୍କୁ ପ୍ରାର୍ଥୀ କରିଥିଲା। ସେତେବେଳେ ସେ ରାଜନୀତି କ'ଣ ଜାଣି ନଥିଲେ। ପ୍ରାର୍ଥୀ ହେ‌ଲେ ସମ୍ମାନ ଆଉ ସୁବିଧା ମିଳିବ ବୋଲି ଦଳ ପ୍ରତିଶ୍ରୁତି ପାଇ ସେ ପ୍ରାର୍ଥୀ ହୋଇଥିଲେ। ସେ ବର୍ଷ ଭାଗୀରଥୀ ଭଲ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ଆଶୀର୍ବାଦ ବେହେରା କଟକ ପୌର ନିଗମର ଅଧ୍ୟକ୍ଷ ହୋଇଥିଲେ। ୧୯୯୯ ବାତ୍ୟା‌ ବେଳର ଅନୁଭୂତି କହିବା ବେଳେ ଭାଗୀରଥୀ ଭାବ ବିହ୍ବଳ ହୋ‌ଇପଡନ୍ତି। ହାଫ୍‌ ପ୍ୟାଣ୍ଟ୍ ପିନ୍ଧି ସେ କଟକରୁ ବିଭିନ୍ନ ସାମଗ୍ରୀ ଆଣି ଥାନାରେ ରଖି ଲୋକଙ୍କୁ ବାଣ୍ଟିଥିଲେ। ନେତା ହେବାରେ ବଡ଼ ଖୁସିଥାଏ ବୋଲି ସେତେବେଳେ ସେ ଅନୁଭବ କରିଥିଲେ। ୨୦୦୩ ଯାଏ ସେ କାଉନସିଲର ଥିଲେ।

ଭାଗୀରଥୀଙ୍କ ବର୍ତ୍ତମାନ ସ୍ଥିତି କିନ୍ତୁ ଅତି ଦୟନୀୟ। ମୁଣ୍ଡ ଗୁଞ୍ଜିବାକୁ ଛାତ ଖଣ୍ଡେ ନାହିଁ। ଭଙ୍ଗା ଆଜବେଷ୍ଟସ ଖଣ୍ଡେ ପକାଇ ରହୁଛନ୍ତି। ନିଜର ଜାଗା ନାହିଁ କି ଘର ନାହିଁ। ଆଗରେ ଘର ଖଣ୍ଡେ କରିବାକୁ ଇଟା ଯୋଡେଇ କରିଥିଲେ ବି ଅର୍ଥାଭାବରୁ ଛାତ କରିପାରୁ ନାହାନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ହେଉ କି ଅନ୍ୟ ଯୋଜନାରୁ ତାଙ୍କୁ ଘର ଖଣ୍ଡେ ମିଳିନାହିଁ। ସରକାରୀ ସୁବିଧା ମିଳି ନଥିବା ସଂପର୍କରେ ସେ କହିଛନ୍ତି ଯେ ‘ମୁଁ ତ ନିଜେ ନେତା, ସୁବିଧା କାହାକୁ ମାଗିବି। ସୁବିଧା ମିଳିନାହିଁ ବୋଲି କେବେ ଦୁଃଖ କରିନି। ନେତା ହୋଇ ନିଜେ କ'ଣ ସୁବିଧା ନେବି, ଲୋକ କହିବେ ନେଇଗଲା। ହାତ ପୂରାଇ ନିଜେ ସୁବିଧା ନେଉଥିବା ଲୋକ କ'ଣ ନେତା?’ ସେ ଆହୁରି କୁହନ୍ତି ଯେ ଏବେ ମୂଲ ଲାଗି ଚଳୁଛନ୍ତି ବୋଲି ତାଙ୍କର ଦୁଃଖ ନାହିଁ। ସେ ଲୋକଙ୍କ ପାଇଁ କାମ କରିବାକୁ କାଉନସିଲର ହୋଇଥିଲେ। ଏବେ ବି କାହାର କ'ଣ ଦରକାର ହେଲେ କାମ କରୁଛି। ସରକାରଙ୍କ ପାଖରେ ତାଙ୍କର କିଛି ବି ଗୁହାରି ନାହିଁ ବୋ‌ଲି କହିଛନ୍ତି ଭାଗୀରଥୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe