କରଞ୍ଜିଆ: କରଞ୍ଜିଆ ବ୍ଲକ୍ ରସମତଳା ପଞ୍ଚାୟତର ପୂର୍ବତନ ସରପଞ୍ଚ ରମାକାନ୍ତ ନାୟକ ଅର୍ଥାଭାବରୁ ଘୋର ଦୁର୍ଦ୍ଦଶା ମଧ୍ୟରେ ରହିଛନ୍ତି। ୨୦୦୭ ପଞ୍ଚାୟତ ନିର୍ବାଚନରେ ରମାକାନ୍ତ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ସମୟରେ ଗ୍ରାମ୍ୟ ପରିମଳ ଯୋଜନାରେ ରସମତଳା ଶ୍ରେଷ୍ଠ ପଞ୍ଚାୟତ ଭାବେ ପୁରସ୍କୃତ ହୋଇଥିଲା। ଏଥିପାଇଁ ରମାକାନ୍ତ ଆସାମର ଗୌହାଟୀଠାରେ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କଠାରୁ ସମ୍ବର୍ଦ୍ଧିତ ମଧ୍ୟ ହୋଇଥିଲେ। ତେବେ ଭାଗ୍ୟର ବିଡ଼ମ୍ବନା, ପକ୍ଷାଘାତ ରୋଗରେ ଏବେ ସଂପୂର୍ଣ୍ଣ ଅକର୍ମଣ୍ୟ ହୋଇ ପଡ଼ିଛନ୍ତି ରମାକାନ୍ତ। ତାଙ୍କର ଗୋଟିଏ ଅଙ୍ଗ ସଂପୂର୍ଣ୍ଣ ଅଚଳ ହୋଇଯାଇଛି। ଉଠିବା କିମ୍ବା ବସିବାକୁ ହେଲେ କାହାର ସାହାରା ଆବଶ୍ୟକ ପଡୁଛି।
ସେପଟେ କିଡ଼ନି ରୋଗାକ୍ରାନ୍ତ ପତ୍ନୀ ନିରାଶ ନାୟକ ଅର୍ଥାଭାବରୁ ଚିକିତ୍ସିତ ହୋଇ ନପାରି ୬ ମାସ ତଳେ ଆଖି ବୁଜିଛନ୍ତି। କରଞ୍ଜିଆର ତତ୍କାଳୀନ ଉପଜିଲ୍ଲାପାଳ ୫ ହଜାର ଟଙ୍କା ଦେବାରୁ ସ୍ତ୍ରୀ’ଙ୍କର ଶୁଦ୍ଧିକ୍ରିୟା ହୋଇ ପାରିଥିଲା। ବର୍ତ୍ତମାନ ଘରେ ତାଙ୍କର ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଝିଅଟିଏ ଅଛି। ସରକାରୀ ଭତ୍ତା ବାବଦରେ ୫ ଶହ ଟଙ୍କା ମିଳୁଛି। ଚାଷଜମି ନାହିଁ। ନିଜେ ରୋଷେଇ କରିବାକୁ ମଧ୍ୟ ଅସମର୍ଥ। ସ୍ଥିତି ଏମିତି ଯେ, ଗୋଟିଏ ଓଳି ଖାଇଲେ ଆର ଓଳି ଉପାସ ରହୁଛନ୍ତି ବାପଝିଅ। ଭତ୍ତା ବୃଦ୍ଧି ପାଇଁ ବ୍ଲକ୍ରେ ନିବେଦନ କରିଥିଲେ ମଧ୍ୟ କେହି ଶୁଣିନାହାନ୍ତି। ଏଭଳି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିଛନ୍ତି ରମାକାନ୍ତ। ଯଦି ତାଙ୍କର ମୃତ୍ୟୁ ହୋଇଯାଏ, ତେବେ ଝିଅର ପାଠପଢ଼ା ସହିତ ତାର ଥଇଥାନ ଓ ରହିବା ପାଇଁ ବିଜୁ ପକ୍କା ଘରଟିଏ ମଞ୍ଜୁର କରିବାକୁ ଆକୁଳ ନିବେଦନ କରିଛନ୍ତି।
Follow Us