ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ଦେଶରେ ଥିବା ବିଭିନ୍ନ ଏମ୍ସର ନାମକରଣ ନେଇ ଆଲୋଚନା ଜୋର ଧରିଛି। ଏମ୍ସ ଭୁବନେଶ୍ବର କର୍ତ୍ତୃପକ୍ଷ ଏସଂକ୍ରାନ୍ତରେ କ’ଣ ପ୍ରସ୍ତାବ ଦେଇଛନ୍ତି ତାହା ସ୍ପଷ୍ଟ କରି ନାହାନ୍ତି। ବିଭିନ୍ନ ବର୍ଗ ବିଭିନ୍ନ ପ୍ରକାର ପ୍ରସ୍ତାବ ଦେଉଛନ୍ତି। ଭୁବନେଶ୍ବର ଏମ୍ସର ଭିତ୍ତିପ୍ରସ୍ତର ସ୍ଥାପନ ବେଳେ ଏହାର ନାମ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ରହିଥିଲା। ୨୦୦୩ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଶିଳାନ୍ୟାସ କରିବା ସମୟରେ ଏହି ଫଳକ ଥିଲା।
ଏହି ଅବସରରେ ବାଜପେୟୀଙ୍କ ବ୍ୟତୀତ ତତ୍କାଳୀନ ରାଜ୍ୟପାଳ ଏମଏମ ରାଜେନ୍ଦ୍ରନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଅର୍ଜୁନ ସେଠୀ, ବ୍ରଜକିଶୋର ତ୍ରିପାଠୀ, ପ୍ରଫୁଲ୍ଲ ଘଡ଼େଇ ଉପସ୍ଥିତ ଥିଲେ। ପରବର୍ତ୍ତୀ ସମୟରେ ଏମ୍ସ ଆକ୍ଟ ପ୍ରସ୍ତୁତ ବେଳକୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ନରହି କେବଳ ଏମ୍ସ ଭୁବନେଶ୍ବର ଭାବରେ ପଞ୍ଜୀକୃତ ହେଲା ଏବଂ ସବୁଠି ସେହି ନାମ ରହିଲା। ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ମତ ହେଲା, ଏମ୍ସ ଭୁବନେଶ୍ବର ନେତାଜୀଙ୍କ ନାଁରେ ଶିଳାନ୍ୟାସ ହୋଇଥିବାରୁ ସେହି ନାଁ ହିଁ ରହିବା ଉଚିତ।
Follow Us