ପୁରୀ : ଶ୍ରୀମନ୍ଦିର ଚାରିଦ୍ବାର ଦର୍ଶନ ବନ୍ଦ ପରେ ଭକ୍ତଙ୍କ ଯନ୍ତ୍ରଣା ଦ୍ବିଗୁଣିତ ହୋଇଛି। ଭକ୍ତମାନଙ୍କୁ ପ୍ରଶାସନ ଦର୍ଶନ ପାଇଁ ଡହଡହ ଖରାରେ ସିଝିବାକୁ ବାଧ୍ୟ କରୁଛି। ଏଥିପାଇଁ ପ୍ରତିଦିନ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ଲମ୍ବାଧାଡ଼ି ଲାଗୁଛି। ସେପଟେ ମୁଣ୍ଡଫଟା ଖରାରେ ପାଦ, ଦେହ ସିଝି ଯାଉଥିଲେ ବି ପ୍ରଶାସନର ଏକଚାଟିଆ ନୀତି ଆଗରେ ଶ୍ରଦ୍ଧାଳୁ ନିରବ ରହିବାକୁ ବାଧ୍ୟ ହେଉଛନ୍ତି। ଯେଉଁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଛନ୍ତି, ତିକ୍ତ ଅନୁଭୂତି ନେଇ ଫେରୁଛନ୍ତି। ଅଧିକ କଷ୍ଟ ପାଉଛନ୍ତି ପୁରୀ ସହରବାସୀ। ଚାରିଦ୍ବାର ଦର୍ଶନ ବନ୍ଦ ପରେ ପ୍ରତିଦିନ ମହାପ୍ରଭୁଙ୍କ ଦର୍ଶନ କରୁଥିବା ପୁରୀ ସହରବାସୀ ଏହି ସୌଭାଗ୍ୟରୁ ବଞ୍ଚିତ ହେଉଛନ୍ତି।
ନିକଟରେ ଶ୍ରୀମନ୍ଦିର ସେବାୟତମାନେ ରଥଯାତ୍ରା ସମନ୍ବୟ ବୈଠକରେ ଚାରିଦ୍ବାର ଖୋଲିବା ଦାବିରେ ହୋହଲ୍ଲା କରିଥିଲେ। ତୁରନ୍ତ ଭକ୍ତଙ୍କ ପାଇଁ ଚାରିଦ୍ବାର ଉନ୍ମୁକ୍ତ କରାଯାଉ ବୋଲି ଦାବି କରିଥିଲେ। ଆଇନ ମନ୍ତ୍ରୀ ବି ଖୁବଶୀଘ୍ର ଏ ଦିଗରେ ବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।କିନ୍ତୁ ଏହା ପାଣିର ଗାର ପାଲଟିଛି। ଲୋକେ ଏବେ ବି ଅସହ୍ୟ ଓ ମୁଣ୍ଡଫଟା ଖରାରେ ଲମ୍ବାଧାଡ଼ିରେ ରହି ଛଟପଟ ହେଉଛନ୍ତି। ପ୍ରତିଦିନ ଭକ୍ତ ଚେତାଶୂନ୍ୟ ହେଉଛନ୍ତି।
ପୂର୍ବରୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରର ଚାରିଦ୍ବାର ଦେଇ ପ୍ରବେଶ ଓ ପ୍ରସ୍ଥାନ କରୁଥିଲେ। କିନ୍ତୁ କୋଭିଡ୍ କଟକଣା ପରଠାରୁ ବିଭିନ୍ନ ଆଳରେ ଶ୍ରୀମନ୍ଦିର ପ୍ରଶାସନ ଚାରିଦ୍ବାର ଦର୍ଶନ ବନ୍ଦ କରି ଦେଇଛି। କେବଳ ସିଂହଦ୍ବାର ଦେଇ ସମସ୍ତ ଭକ୍ତଙ୍କୁ ଛଡ଼ାଯାଉଛି। ଅନ୍ୟ ଦ୍ବାର ବନ୍ଦ କରି ଦିଆଯାଇଛି। ବାରମ୍ବାର ଦାବି ପରେ ପଶ୍ଚିମଦ୍ବାର ଦେଇ ପୁରୀ ସହରବାସୀଙ୍କୁ ପ୍ରବେଶ ବ୍ୟବସ୍ଥା କରାଗଲା, ଏବେ ପଶ୍ଚିମଦ୍ବାରରୁ ଦର୍ଶନ ବନ୍ଦ କରି ଦିଆଯାଇଛି। ଏଭଳି ସ୍ଥିତିରେ ସିଂହଦ୍ବାରରେ ଭକ୍ତଙ୍କ ଲମ୍ବାଧାଡ଼ି ଲାଗୁଛି।
ଭକ୍ତମାନେ ବଡ଼ଦାଣ୍ଡରେ ଖରାତରାରେ ୩ରୁ ୪ ଘଣ୍ଟା ଦର୍ଶନ ପାଇଁ ଅପେକ୍ଷା କରୁଛନ୍ତି। ଏସମ୍ପର୍କରେ ବରିଷ୍ଠ ଦଇତାପତି ସେବକ ବିଶ୍ବାବସୁ ବିନାୟକ ଦାସମହାପାତ୍ର କହିଛନ୍ତି, ନିର୍ଦ୍ଦିଷ୍ଟ ଯାନିଯାତ୍ରା, ଯେଉଁ ସମୟରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ସମ୍ଭାବନା ରହିଛି, ସେ ସମୟରେ ସିଂହଦ୍ବାର ଦେଇ ଦର୍ଶନ ବ୍ୟବସ୍ଥା ଲାଗୁ ହେଉ। କିନ୍ତୁ ଅନ୍ୟ ସମୟରେ ଏହା ଲାଗୁ ନ ହେଉ। ଏବେଠୁ ଯେଉଁଭଳି ପୁରୀବାସୀଙ୍କ ପାଇଁ କଟକଣା ଲାଗିଲାଣି, ଆଗକୁ ଲୋକେ ଘରକୁ କେମିତି ଫେରିବେ ସନ୍ଦିହାନରେ ପଡ଼ିଲେଣି। ଭକ୍ତଙ୍କ ପାଇଁ ଅନ୍ୟ ତିନି ଦ୍ବାର ବି ନିହାତି ଖୋଲାଯିବା ଦରକାର। ପୁରୁଣା ବ୍ୟବସ୍ଥା ଲାଗୁ ହେବା ଦରକାର ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି।
Follow Us