ମୋବାଇଲ୍‌ରେ ଗେମ୍‌ଖେଳ ହେଲା କାଳ, ନାବାଳକକୁ ହତ୍ୟାକଲେ ୨ ସାଙ୍ଗ

Advertisment

ମୁଣ୍ଡକୁ ପଥରରେ ଛେଚିଦେଲେ, କୋଲାବ ନଦୀରୁ ମିଳିଲା ମୃତଦେହ

ମୁଣ୍ଡକୁ ପଥରରେ ଛେଚିଦେଲେ, କୋଲାବ ନଦୀରୁ ମିଳିଲା ମୃତଦେହ

ମୋବାଇଲ୍‌ରେ ଗେମ୍‌ଖେଳ ହେଲା କାଳ, ନାବାଳକକୁ ହତ୍ୟାକଲେ ୨ ସାଙ୍ଗ

କୋରାପୁଟ: ମୋବାଇଲ୍‌ରେ ଗେମ୍‌ ଖେଳ ହେଲା କାଳ! ଫ୍ରି-ଫାୟାର ଖେଳକୁ ନେଇ ଜଣେ ନାବାଳକକୁ ହତ୍ୟା କରିଛନ୍ତି ଦୁଇ ସାଙ୍ଗ। କୋରାପୁଟ ଟାଉନ୍ ଥାନା ଅନ୍ତର୍ଗତ ମସିପୁଟ ଗ୍ରାମରେ ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୃତ ନାବାଳକ ଜଣକ ସେହି ଗାଁର ପୀତବାସ ଭୋଇଙ୍କ ପୁଅ ଲୁଲୁ ଭୋଇ (୧୨) ବୋଲି ଜଣାପଡ଼ିଛି। ଗତକାଲି ସନ୍ଧ୍ୟାରେ ଲକି ମାଳି(୧୮) ଓ ଅନ୍ୟ ଜଣେ ସାଙ୍ଗ ସହ ଲୁଲୁ ମସିପୁଟସ୍ଥିତ କୋଲାବ ନଦୀକୁ ଯାଇଥିଲେ। ସେଠ‌ାରେ ଲୁଲୁ ଗେମ୍ ଖେଳୁଥିବାବେଳେ ଲକି ଓ ୧୨ ବର୍ଷୀୟ ସେହି ସାଙ୍ଗ ଜଣକ ଗେମ୍ ଖେଳିବାକୁ ମୋବାଇଲ ଫୋନ୍‌ଟିକୁ ମାଗିଥିଲେ। ହେଲେ, ଫୋନ୍ ନଦେବାରୁ ଦୁଇଜଣ ରାଗିଉଠି ଲୁଲୁର ମୁଣ୍ଡକୁ ପଥରରେ ଛେଚି ଦେଇଥିଲେ। ଫଳରେ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେବାରୁ ଲୁଲୁ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ। ଚେତା ଫେରିଲେ ଗାଁରେ ଏକଥା ପ୍ରଘଟ କରିଦେବ ଭାବି ମିଶିକି ତା’ର ତଣ୍ଟି ଚିପି ହତ୍ୟା କରିଥିଲେ। ଏହାପରେ କୋଲାବ ନଦୀକୁ ଘୋଷାଡ଼ିନେଇ ଫୋପାଡ଼ି ଦେଇଥିଲେ। ତେବେ; ମୋବାଇଲରେ ଗେମ୍‌ ଖେଳକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି ନା ଆଉ କିଛି କାରଣ ରହିଛି, ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି।

କୋରାପୁଟ ଅତିରିକ୍ତ ଏସପି ଉତ୍କଳ କେଶରୀ ଦାସ କହିଛନ୍ତି, ଲୁଲୁ ମୋବାଇଲ ନଦେବାରୁ ୩ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା। ବଚସା ଉଗ୍ରରୂପ ନେବାରୁ ଦୁଇସାଙ୍ଗ ମିଶି ଏକ ପଥରରେ ଲୁଲୁକୁ ଆକ୍ରମଣ କରିଥିଲେ। ଫଳରେ, ଲୁଲୁ ଅଚେତ ହୋଇ ତଳେ ପଡ଼ିଯାଇଥିଲା। କାଳେ ମରିଯାଇଥିବ ଭାବି ଘୋଷାଡ଼ି ଘୋଷାଡ଼ି ନିକଟସ୍ଥ ନଦୀରେ ନେଇ ଫୋପାଡ଼ି ଦେଇଥିଲେ। ଆଜି ବହୁ ଖୋଜାଖୋଜି କରିବା ପରେ ଲୁଲୁଙ୍କ ଶବ ନିକଟସ୍ଥ ନଦୀ କୂଳରେ ଭାସୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ କୋରାପୁଟ ଟାଉନ୍ ଥାନା ପୁଲିସ ପହଞ୍ଚି ଶବ ଜବତ କରିଛି। ଘଟଣାରେ ୨ ଜଣଙ୍କୁ ଅଟକ ରଖିବା ସହିତ ଅଧିକ ତଦନ୍ତ କରୁଛି ବୋଲି ଅତିରିକ୍ତ ଏସ୍‌ପି ଶ୍ରୀ ଦାସ ସୂଚନା ଦେଇଛନ୍ତି। ଆସନ୍ତାକାଲି ୧୨ ବର୍ଷୀୟ ନାବାଳକକୁ ଜୁଭେନାଇଲ କୋର୍ଟ ଓ ଅନ୍ୟ ଜଣ ସାଙ୍ଗ ଲକି ମାଳି(୧୮)କୁ କୋର୍ଟଚାଲାଣ କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe