ଗ୍ୟାସ୍‌ ଟାଙ୍କି ଫାଟି ଭୟାବହ ଅଗ୍ନିକାଣ୍ଡ: ୨୧ ଘର ଭସ୍ମୀଭୂତ, ୫୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ

ଗ୍ୟାସ୍‌ ପାଇପ୍‌ ଫାଟି ନିଆଁ ଲାଗିଲା: ମହିଳା ଗୁରୁତର, ଯୁବତୀ ଆହତ

ବ୍ରହ୍ମବରଦା: ଧର୍ମଶାଳା ଥାନା ରାଉତରାପୁର ପଞ୍ଚାୟତ କୁଣ୍ତପାଟଣା ଗ୍ରାମ ନୂଆସାହି ୭ ନମ୍ବର ୱାର୍ଡରେ ଆଜି ମଧ୍ୟାହ୍ନରେ ଗ୍ୟାସ୍‌ ସିଲିଣ୍ଡର ଫାଟିବାରୁ ଭୟାବହ ଅଗ୍ନିକାଣ୍ତ ଘଟି ୨୧ ଘର ଭସ୍ମୀଭୂତ ହୋଇଯାଇଛି। ଏଥିରେ ପ୍ରାୟ ୫୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି। ଘରେ ଥିବା ଆସବାବ ସହ ଧାନଚାଉଳ ପୋଡ଼ି ପାଉଁଶ ହୋଇାଇଛି। ଏଥିରେ ୨୧ ପରିବାର ବାସହରା ହେବା ସହ ସର୍ବସ୍ବ ହରାଇଥିବା ଲିଖିତ ଭାବେ ଜଣାଇଛନ୍ତି।

ଆଜି ମଧ୍ୟାହ୍ନରେ କୁଣ୍ତପାଟଣା ଗ୍ରାମର ନେତ୍ରାନନ୍ଦ ପୃଷ୍ଟିଙ୍କ ଘରେ ରୋଷେଇ ଚାଲିଥିବାବେଳେ କୌଣସି କାରଣରୁ ଗ୍ୟାସ୍‌ ସିଲିଣ୍ଡର ଫାଟି ଯାଇଥିଲା। ଆଖିପିଛୁଳାକେ ଏହି ନିଆଁ ଘରଚାଳକୁ ଧରି ହୁତୁହୁତୁ ହୋଇ ଜଳିଥିଲା। ସୌଭାଗ୍ୟବଶତଃ ଘର ଲୋକେ ବାହାରକୁ ଆସି ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ। ଚାହୁଁଚାହୁଁ ନିଆଁ ଚାଳ ପରେ ଚାଳ ଡେଇଁ ଅଧାସାହିକୁ ବ୍ୟାପିଯାଇଥିଲା। ପ୍ରଥମେ ନେତ୍ରାନନ୍ଦଙ୍କ ପୁଅ ନିରଞ୍ଜନ ପୃଷ୍ଟିଙ୍କ ଘରେ ନିଆଁ ଲାଗି ତାଙ୍କ ଭାଇ ରଘୁନାଥ ପୃଷ୍ଟିଙ୍କ ଘରକୁ ‌ମାଡ଼ିଯାଇଥିଲା। ପରେପରେ ସାହିର ବିଷ୍ଣୁଚରଣ ପୃଷ୍ଟି, ଗୋକୁଳ ପୃଷ୍ଟି, ନରହରି ପୃଷ୍ଟି, ଧରଣୀଧର ପୃଷ୍ଟି, ଦୀନବନ୍ଧୁ ପୃଷ୍ଟି, କାଳନ୍ଦୀ ପୃଷ୍ଟି, ବିଜୟ ପୃଷ୍ଟି, ଅଜୟ ପୃଷ୍ଟି, ପୂର୍ଣ୍ଣିମା ପୃଷ୍ଟି, ଗୁଣ୍ଡିଚା ପୃଷ୍ଟି, ନଟବର ପୃଷ୍ଟି, ବଟ ପୃଷ୍ଟି, ଧବଳ ପୃଷ୍ଟି, ସୁବଳ ପୃଷ୍ଟି, ଈଶ୍ବର ପୃଷ୍ଟି, ନନ୍ଦନ ପୃଷ୍ଟି, ବିନୋଦ ପୃଷ୍ଟି, ରବୀନ୍ଦ୍ର ପୃଷ୍ଟି ଓ ଟିକ ପୃଷ୍ଟିଙ୍କ ଘର ଏହି ନିଆଁ ଆଁରେ ପଡ଼ି ଭସ୍ମୀଭୂତ ହୋଇଯାଇଥିଲା।

ଗାଁ ଲୋକେ ହାଣ୍ଡି, ଗରା, ବାଲ୍‌ଟିରେ ପାଣି ଢାଳି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ସମସ୍ତଙ୍କ ଆଖି ସାମନାରେ ଚାଳଘର କାଠକୁଟା ସବୁ ଜଳି ଖଣ୍ଡଖଣ୍ଡ ହୋଇ ଖସିପଡ଼ିଥିଲା। ପ୍ରାୟ ୩୫-୪୦ ବଖରା ଏଥିରେ ପୋଡ଼ି ପାଉଁଶ ହୋଇଯାଇଛି। ସମସ୍ତ ପରିବାର ସଦସ୍ୟ ସୁରକ୍ଷିତ ଥିବା ଜଣାପଡ଼ିଛି। ଏହି ନିଆଁରେ ଘରେ ଥିବା ସମସ୍ତ ଆସବାବ, ଧାନଚାଉଳ, ନଗଦ ଟଙ୍କା ଓ ସୁନାରୁପା, ଦରକାରୀ କାଗଜପତ୍ର ଆଦି ପୋଡ଼ି ପାଉଁଶ ହୋଇଯାଇଛି ବୋଲି ବିପନ୍ନ ପରିବାର ଲୋକେ ପ୍ରକାଶ କରିଛନ୍ତି। ଖବର ପାଇ ଚଣ୍ତିଖୋଲ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବରୀ ବିଜେଡି ସଂଯୋଜକ ଦେବେନ୍ଦ୍ର ଦାସ, ସାମନ୍ତରାପୁର ରାଜସ୍ବ ବିଭାଗ ଓ ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଆସନ୍ତାକାଲି କ୍ଷୟକ୍ଷତି ଆକଳନ କରି ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯିବ ବୋଲି ସାମନ୍ତରାପୁର ଆରଆଇ ନୃସିଂହ ଚରଣ ବେହେରା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe