ଆପେଆପେ ଖୋଲିଗଲା ଜଳଭଣ୍ଡାର ଗେଟ୍‌, ସୃଷ୍ଟି ହେଲା ଭୟର ବାତାବରଣ

୪୫ ମିନିଟ୍‌ ଧରି ପାଣି ନିଷ୍କାସନ ହେଲା, ବନ୍ଦ କରିବା ପରେ ବଡ଼ ବିପଦ ଟଳିଲା

ଆପେଆପେ ଖୋଲିଗଲା ଜଳଭଣ୍ଡାର ଗେଟ୍‌, ସୃଷ୍ଟି ହେଲା ଭୟର ବାତାବରଣ

ଦଶପଲ୍ଲା : ଯାନ୍ତ୍ରିକ ତ୍ରୁଟି ପାଇଁ ଆଜି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅନ୍ତର୍ଗତ କୁଆଁରିଆ ଜଳଭଣ୍ତାରର ଏକ ଗେଟ୍ ଆପେଆପେ ତଥା ସମ୍ପୂର୍ଣ୍ଣ ଭାବେ ଖୋଲିଯାଇଛି। ଯାହାକୁ ନେଇ ପ୍ରାୟ ୪୫ ମିନିଟ୍ ଧରି ସ୍ଥାନୀୟ ଅଞ୍ଚଳ ସମେତ ନଦୀକୂଳିଆ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଯାଇଛି। ମାତ୍ର, ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏହାକୁ ନିୟନ୍ତ୍ରଣ କରାଯାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଲଗାଣ ବର୍ଷା ନେଇ କୁଆଁରିଆ ଜଳଭଣ୍ତାରର ଜଳସ୍ତର ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଜଳସମ୍ପଦ ବିଭାଗର ଏସ୍‌ଡିଓ ସୁମିତ କୁମାର ଜେନା ଏବଂ ଯନ୍ତ୍ରୀ ସୁବ୍ରତ ପ୍ରଧାନ ଜଳଭଣ୍ତାରରୁ ଜଳ ନିଷ୍କାସନ ପାଇଁ ୨ ନମ୍ବର ଗେଟ୍‌କୁ ପ୍ରାୟ ୨ ଫୁଟ ଖୋଲିଥିଲେ। ଏହାପରେ ସେଠାରେ କୌଣସି ଅଧିକାରୀ ଉପସ୍ଥିତ ନଥିଲେ। ଏହାର କିଛିସମୟ ପରେ ହଠାତ୍ ୫ ନମ୍ବର ଗେଟ୍‌ଟି ଆପେଆପେ ସମ୍ପୂର୍ଣ୍ଣ ଭାବେ ଖୋଲି ଯାଇଥିଲା। ଗେଟ୍‌ଟି ୫ ମିଟର ବା ୧୫ ଫୁଟ ଖୋଲିଯିବା ଦ୍ବାରା ଉପସ୍ଥିତ ଥିବା କିଛି ଜନସାଧାରଣଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଘଟଣା ପ୍ରଘଟ ହେବାପରେ ପ୍ରବଳ ଜନସମାଗମ ହୋଇଥିଲା। ସୂଚନା ପାଇ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତାଜୁବ୍ ହୋଇଯାଇଥିଲେ। ପୂର୍ବରୁ ଉକ୍ତ ଗେଟ୍‌ଟି ଖରାପ ଥିବା ହେତୁ ଏହାକୁ ମରାମତି କରାଯାଇଥିଲା। ମାତ୍ର, କେବେହେଲେ ଏହାକୁ ଖୋଲାଯାଉ ନଥିଲା। କିଭଳି ଓ କେଉଁ ପରିସ୍ଥିତିରେ ଗେଟ୍‌ଟି ଖୋଲିଲା, ତାକୁ ନେଇ ଅଧିକାରୀମାନେ ଛାନିଆ ହୋଇପଡ଼ିଥିଲେ। ପାଖାପାଖି ୪୫ ମିନିଟ୍ ଧରି ଜଳଭଣ୍ତାରରୁ ପାଣି ନିଷ୍କାସନ ହୋଇଥିଲା। ଏହାପରେ ଉକ୍ତ ଗେଟ୍‌କୁ ବନ୍ଦ କରାଯାଇଥିଲା।

ଏପଟେ ନଦୀରେ ମାତ୍ରଧିକ ଭାବେ ପାଣି ବୃଦ୍ଧି ପାଇବା ନେଇ ନଦୀକୂଳିଆ ଗ୍ରାମଗୁଡ଼ିକରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। କିଛିସ୍ଥାନରୁ ବଡ଼ବଡ଼ କାଠ ଭାସି ଯାଇଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ଯନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ପଚାରିବାରୁ, ୨ ନମ୍ବର ଗେଟ୍ ଖୋଲାଯିବା ପରେ ଏକ ରିପୋର୍ଟ ପ୍ରସ୍ତୁତ ପାଇଁ ସେ ଓ ଏସ୍‌ଡିଓ ବଙ୍ଗଳାକୁ ଚାଲି ଆସିଥିଲେ। ଏହି ଗେଟ୍‌ଟି କେତେବେଳେ ଖୋଲାଯାଉ ନଥିବା ବେଳେ ଏହା ଆପେଆପେ ଚାର୍ଜ ହୋଇ ଖୋଲି ଯାଇଥାଇପାରେ ବୋଲି ଅନୁମାନ କରାଯାଉଛି। ଏହି ଗେଟ୍‌ରୁ ଏବେ ବିଦ୍ୟୁତ୍ ସଂଯୋଗକୁ ବିଚ୍ଛିନ୍ନ କରାଯିବା ସହ ଯାଞ୍ଚ ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe